ଭିକ ମାଗିବାକୁ ୫୦ ହଜାରରେ ଚାଲିଛି ପିଲା ବିକ୍ରି

135

କନକ ବ୍ୟୁରୋ : ମହାରାଷ୍ଟ୍ରର ଔରଙ୍ଗାବାଦରୁ ଆସିଛି ଚମକାଇ ଦେବା ଭଳି ଖବର । ଏଠାରେ ଭିକ ମଗାଇବାକୁ ଜଣେ ପିଲାକୁ ୫୦ ହଜାର ଟଙ୍କାରେ ବିକ୍ରି କରାଯାଇଥିଲା । ପିଲାକୁ କିଣି ଭିକ ମଗାଇବା କାମରେ ଲଗାଇଥିବା ୨ ଜଣ ମହିଳାଙ୍କୁ ପୋଲିସ ଗିରଫ କରିଛି ।

ପୋଲିସର ସୂଚନା ମୁତାବକ ଏହି ପିଲାକୁ ଜାଲନା ଓ ଓକେଲାରୁ ଅଣା ଯାଇଥିଲା । ଅଭିଯୁକ୍ତ ମହିଳା ୨ ଜଣଙ୍କୁ ଗିରଫ କରିବା ପରେ ପୋଲିସ ୩ ଦିନିଆ ରିମାଣ୍ଡରେ ନେଇଛି । ଏନେଇ ମୁକୁନ୍ଦବାଡୀ ଥାନାରେ ଅଭିଯୋଗ ଦାଖଲ ହୋଇଛି ।

ସବୁଠାରୁ ଏକ ବଡ କଥା ସାମ୍ନାକୁ ଆସିଛି କି ସହରର ଏକ ଗ୍ୟାଙ୍ଗ ସହର ଗରୀବ ପିଲାମାନଙ୍କୁ ପୋତ୍ସ୍ୟ ସନ୍ତାନ ଭାବେ ଗ୍ରହଣ କରିବା ନାମରେ କିଣି ସେମାନଙ୍କୁ ଭିକ୍ଷାବୃତ୍ତି ଭଳି ଘୃଣ୍ଣ୍ୟ କାମରେ ନିୟୋଜିତ କରୁଛନ୍ତି । ଏଭଳି ସୂଚନା ପାଇବା ପରେ ପୋଲିସ ଗିରଫ ହୋଇଥିବା ୨ ମହିଳାଙ୍କୁ ଜେରା କରିବା ସହ ଏହି ଗ୍ୟାଙ୍ଗରେ ଅନ୍ୟ କେଉଁମାନେ ସଂପୃକ୍ତ ଅଛନ୍ତି ସେମାନଙ୍କ ବାବଦରେ ଖୋଳତାଡ ଆରମ୍ଭ କରିଛି ।

କହିରଖୁ କି ମୁକୁନ୍ଦବାଡୀ ଥାନା ଅଞ୍ଚଳରେ ଥିବା ଏକ ଘରୁ ଜଣେ ସାନ ପିଲା କାନ୍ଦୁଥିବାର ଶବ୍ଦ ଶୁଣାଯାଇଥିଲା । ଏଭଳି ଶବ୍ଦ ଶୁଣି ସାମାଜିକ କର୍ମୀ ଦେବରାଜ ନାଥଜୀ ଯେତେବେଳେ ସେହି ଘର ନିକଟରେ ପହଂଚିଥିଲେ, ସେତେବେଳର ଦୃଶ୍ୟ ତାଙ୍କୁ ଚକିତ କରିଦେଇଥିଲା । ସେ ଦେଖିବାକୁ ପାଇଥିଲେ କି ଜନବାଇ ଯାଦବ ଓ ସବିତା ପଗାରେ ନାମକ ଦୁଇଜଣ ମହିଳା ସେହି କୁନିପିଲାଟିକୁ ଅମାନବୀୟ ଭାବେ ପିଟିବାରେ ଲାଗିଛନ୍ତି । ଦେବରାଜ ସେମାନଙ୍କ ଠାରୁ ପିଲାଟିକୁ ମୁକୁଳାଇ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଂଚି ଉଭୟ ମହିଳାଙ୍କୁ ଗିରଫ କରିଥିଲା । ମହିଳା ୨ ଜଣ ଥାନାରେ କହିଥିଲେ କି ପିଲାଟି ଭିକ ମାଗିବାକୁ ମନା କରିବାରୁ ସେମାନେ ତାଙ୍କୁ ପିଟୁଥିଲେ ।

ଏହି ମାମଲାରେ ପିଲାଟି ଥାନାରେ କହିଛି କି ମୋ ବାପା ମା ମୋତେ ୩-୪ ଲକ୍ଷ ଟଙ୍କାରେ ଏମାନଙ୍କୁ ବିକ୍ରି କରିଦେଇଛନ୍ତି । ଏଠାରେ ଏମାନେ ମୋତେ ମାରଧର କରି ଭକ୍ଷାବୃତ୍ତି କରିବାକୁ ବାଧ୍ୟ କରୁଛନ୍ତି ।