ଦେଓଗାଁରେ ଶିଶୁବଳି! ୧୩ ଦିନ ପରେ ମିଳିଲା ନିଖୋଜ ବାଳକର ଖଣ୍ଡ ବିଖଣ୍ଡିତ ମୃତଦେହ । ପୁଲିସର ତନାଘନା

540

କନକ ବ୍ୟୁରୋ: ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ସିଲେଟକାନି ଗାଁରେ ଗତ ୨୨ତାରିଖରୁ ନିଖୋଜ ଥିବା ଜଣେ ୧୧ବର୍ଷୀୟ ନାବାଳକର ଖଣ୍ଡ ବିଖଣ୍ଡିତ ଶବ ଦୀର୍ଘ ୧୩ ଦିନ ପରେ ଜବତ ହୋଇଛି । ଶିଶୁଟି ନିଖୋଜ ଥିବା ନେଇ ପୂର୍ବରୁ ଥାନାରେ ଅଭିଯୋଗ ହୋଇଥିଲେ ହେଁ ପୁଲିସ ଠାବ କରିବାର ବିଫଳ ହୋଇଥିବାରୁ ଶିଶୁବଳି ବୋଲି ସଂପୃକ୍ତ ଅଂଚଳରେ ଚର୍ଚ୍ଚା ହେଉଥିଲା । ଗତକାଲି ସଂଧ୍ୟାରେ ସିଲେଟକାନି ଗାଁର କିଛି ଲୋକ ଗାଁ ମୁଣ୍ଡରେ ଥିବା ଏକ ଧାନ ମିଲ୍ ନିକଟରେ ଗୋଟିଏ ବୁଲା କୁକୁର ଏକ କଟା ଗୋଡ ଧରି ଯାଉଥିବା ଦେଖିବା ପରେ ପରିବାର ଲୋକଙ୍କୁ ଖବର ଦେଇଥିଲେ । ତେବେ ପରିବାର ଲୋକେ ପହଂଚିବା ସହ କଟା ଗୋଡଟି ସଂପୃକ୍ତ ନିଖୋଜ ଶିଶୁଟିର ବୋଲି ଚିହ୍ନଟ କରିବା ପରେ ପୁଲିସକୁ ଖବର ଦିଆଯାଇଥିଲା ।

ଦେଓଗାଁ ବ୍ଲକ ବଡବନ୍ଦ ପଂଚାୟତର ସିଲେଟକାନିର ଉଗ୍ରେସନ ବଗର୍ତି ଗାଁ ପାଖ ଜୋରରେ ଇଟା ଗଢୁଥିଲେ । ଗତ ୨୨ ତାରିଖ ସକାଳ ୯ଟାରୁ ଏହି ଇଟାଭାଟିରୁ ଉଗ୍ରସେନଙ୍କ ପୁଅ ବବଲୁ କେଉଁ ଆଡେ ଚାଲି ଯାଇଥିଲା । ପରିବାର ଲୋକେ ଓ ଗ୍ରାମବାସୀ ବହୁତ ଖୋଜାଖୋଜି ପରେ ମଧ୍ୟ ପିଲାଟିର ପତା ପାଇନଥିଲେ । ପରିବାର ତରଫରୁ ଏନେଇ ଦେଓଗାଁ ଥାନାରେ ଅଭିଯୋଗ ହୋଇଥିଲା । ତେବେ ପୁଲିସ ଏହାକୁ ଗୁରୁତ୍ୱ ଦେଇନଥିବାରୁ ଗାଁଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ପରିବାର ଲୋକ ନିଖୋଜ ଶିଶୁର ଫେରିବା ବାଟକୁ ଚାହିଁ ରହିଥିବା ବେଳେ ଖଣ୍ଡ ବିଖଣ୍ଡିତ ଶବ ମିଳିବାରୁ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଅପରପକ୍ଷରେ ଏହା ଶିଶୁ ବଳି ହୋଇଥିବା ସାଧାରଣରେ ସନ୍ଦେହ ପ୍ରକାଶ ପାଉଛି ।