କନକ ବ୍ୟୁରୋ : ମାଟ୍ରିକ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ଅନୁପସ୍ଥିତିକୁ ଗମ୍ଭୀରତାର ସହ ନେଇଛନ୍ତି ଶିଶୁ ଅଧିକାର ସୁରକ୍ଷା ଆୟୋଗ । ନିଜଆଡୁ ହସ୍ତକ୍ଷେପ କରିବା ସହ ମାଧ୍ୟମିକ ଶିକ୍ଷା ପରିଷଦକୁ ରିପୋର୍ଟ ତଲବ କରିଛନ୍ତି । ପ୍ରକାଶିତ ଖବର ଅନୁସାରେ ପିଲା କୁଆଡେ ଗଲେ ସେନେଇ ଉତ୍ତର ରଖିବାକୁ ୧୩ ତାରିଖ ଯାଏଁ ସମୟ ଦେଇଛନ୍ତି ଶିଶୁ ସୁରକ୍ଷା ଆୟୋଗ ସନ୍ଧ୍ୟାବତୀ ପ୍ରଧାନ । ବୋର୍ଡ ପକ୍ଷରୁ ରିପୋର୍ଟ ଆସିବା ପରେ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କଠାରୁ ସବିଶେଷ ରିପୋର୍ଟ ମଗାଯିବ । ତେଣୁ ପିଲାଙ୍କ ଅନୁପସ୍ଥିତିର କାରଣ ଜଣାପଡିବା ପରେ ସେମାନଙ୍କୁ କିଭଳି ବିଭିନ୍ନ ସରକାରୀ ସୁବିଧାର ଲାଭ ମିଳିବ ସେନେଇ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ।କରୋନା ସମୟରେ କ୍ଲାସ ନହେବାରୁ ଅଭିଭାବକ ଓ ଦଲାଲଙ୍କ କଥାରେ ପଡି କିଛି ପିଲା ଦାଦନ ଖଟିବାକୁ ଯାଇଥିବା ନଜିର ରହିଛି । କିନ୍ତୁ ସବିଶେଷ ରିପୋର୍ଟ ଆସିବା ପରେ ପ୍ରକୃତ ତଥ୍ୟ ଜଣାପଡିବ ବୋଲି ସେ କହିଛନ୍ତି ।

Advertisment

ଅନ୍ୟପଟେ ମାଟ୍ରିକ୍ ପରୀକ୍ଷା ପାଇଁ ଫର୍ମ ପୂରଣ କରି ପଲା ପରୀକ୍ଷା ଦେବାକୁ ଆସନଥିବା ଜଣାପଡିଛି । କେଉଁଥି ପାଇଁ ପିଲା ପରୀକ୍ଷା ଦେବାରୁ ଦୂରେଇ ରହିଲେ ସେନେଇ ଆରମ୍ଭ ହୋଇଛି ଖୋଳତାଡ । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ କର୍ତୃପକ୍ଷଙ୍କୁ ରିପୋର୍ଟ ମଗାଯାଇଥିଲା । ପରିଷଦ ମଧ୍ୟ ସରକାରଙ୍କୁ ରିପୋର୍ଟ ଦେଇଥିବା କୁହାଯାଉଛି । ପରିଷଦ ପକ୍ଷରୁ କୁହାଯାଇଛି ଯେ, ୪୬ ହଜାର ନୁହେଁ ୪୩ ହଜାର ୪୮୯ ଜଣ ପିଲା ପରୀକ୍ଷା ଦେଉନାହାନ୍ତି । ରେଗୁଲାରରେ ୪୨ ହଜାର ୭୦୪ ଓ ଏକ୍ସରେଗୁଲାରରେ ୭୮୫ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଛନ୍ତି ।

ଚଳିତ ବର୍ଷ ପରୀକ୍ଷା ଦେବା ପାଇଁ ୫ ଲକ୍ଷ ୭୧ ହଜାର ୯୦୯ ଜଣ ଛାତ୍ରଛାତ୍ରୀ ନାମ ପଂଜିକରଣ କରିଥିଲେ । ସେମାନଙ୍କ ମଧ୍ୟରୁ ୫ ଲକ୍ଷ ୨୮ ହଜାର ୪୨୦ ଜଣ ପରୀକ୍ଷା ଦେଉଛନ୍ତି । ମୟୂରଭଂଜ, ଗଂଜାମ, ବଲାଙ୍ଗୀର ଓ ନବରଙ୍ଗପୁରରେ ସବୁଠୁ ଅଧିକ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଛନ୍ତି । ୨୦୨୨ ସମିଟିଭ୍ ଆସେସମେଂଟ-୨ ପାଇଁ ଫର୍ମ ପୂରଣ କରିଥିବା ଛାତ୍ରଛାତ୍ରୀ ୨୦୨୦ରେ ପଞ୍ଜୀକୃତ ହୋଇଥିଲେ । ଯେତେବେଳେ କି ସେମାନେ ନବମ ଶ୍ରେଣୀରେ ନାମ ଲେଖାଇଥିଲେ । କରୋନା ସମୟରେ ସେମାନେ ନାମ ଲେଖାଇଥିବାରୁ ଅନୁପସ୍ଥିତ ରହିଥିବା ପରୀକ୍ଷାର୍ଥୀଙ୍କୁ ଫେକ୍ ତଥା ନକଲି କହିପାରିବା ନାହିଁ ବୋଲି ବିଏସଇ ପକ୍ଷରୁ କୁହାଯାଇଛି । ଏଥିସହ ଅତି ଆଶ୍ଚର୍ଯ୍ୟଜନକ ସଫେଇ ରଖିଛି ମାଧ୍ୟମିକ ଶିକ୍ଷା ପରିଷଦ ।

ଚଳିତ ଥର ଫର୍ମ ପୂରଣ ମାଗଣା ହୋଇଥିବାରୁ ସ୍କୁଲର ପ୍ରଧାନଶିକ୍ଷକମାନେ ସମସ୍ତ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେବେ ବୋଲି ଆଶା କରି ଫର୍ମ ପୂରଣ କରିଥିବା କୁହାଯାଇଛି । ଅର୍ଥାତ୍ ଦଶମ ଶ୍ରେଣୀର ସମସ୍ତ ଛାତ୍ରଛାତ୍ରୀଙ୍କର ଫର୍ମ ପୂରଣ କରିଦିଆଯାଇଛି । ଏବେ କିନ୍ତୁ କାହିଁକି ଏତେ ସଂଖ୍ୟାରେ ପିଲା ପରୀକ୍ଷା ଦେଉନାହାନ୍ତି ତାର ପ୍ରକୃତ କାରଣ ଜାଣିବା ପାଇଁ ଜିଲ୍ଲା ଓ ବ୍ଲକ ଶିକ୍ଷା ଅଧିକାରୀ ମାନଙ୍କଠାରୁ ରିପୋର୍ଟ ମଗାଯାଇଛି ।