ଓଡ଼ିଶାରେ ଲମ୍ବିଛି ଅନଲାଇନରେ ଶିଶୁ ଯୌନ ନିର୍ଯାତନା ଭିଡିଓର ଚେର । ସିବିଆଇ ଚଢ଼ାଉ ପରେ ଖୋଲୁଛି ଗୁମର ।

203

କନକ ବ୍ୟୁରୋ : ଅନଲାଇନ ଶିଶୁ ଯୌନ ଶୋଷଣ ମାମଲାରେ ଗତକାଲି ୩ଟି ସ୍ଥାନରେ ସିବିଆଇ ରେଡ୍ କରିବା ପରେ ଢେଙ୍କାନାଳର ସୁରେନ୍ଦ୍ର ନାୟକଙ୍କୁ ଗିରଫ କରାଯାଇଛି । ସିବିଆଇର ସ୍ୱତନ୍ତ୍ର ସେଲରେ ହୋଇଥିବା ଅଭିଯୋଗ ଅନୁସାରେ ସିବିଆଇ ଅଧିକାରୀମାନେ ତଥ୍ୟ ଓ ପ୍ରମାଣ ପାଇଛନ୍ତି । ଓଡ଼ିଶାରେ ରହି ଏହି ବ୍ୟକ୍ତି, ଅଶ୍ଳୀଳ ୱେବସାଇଟ ପାଇଁ କାମ କରୁଥିଲା । ତାର କାମ ଥିଲା, ସେ ଭିଡିଓ ଡାଉନଲୋଡ କରିବ ଓ ହ୍ୱାଟ୍ସଆପ୍, ଇନଷ୍ଟାଗ୍ରାମ ଭଳି ବିଭିନ୍ନ ମାଧ୍ୟମରେ ଏହାକୁ ସେୟାର କରିବ । କିଛି ଟଙ୍କା ପାଇଁ ସେ ଏହି କାମ ହାତକୁ ନେଇଥିଲା । ଏବଂ ସମ୍ପୃକ୍ତ ସାଇଟରୁ ତାକୁ ଟଙ୍କା ମିଳିଥିଲା ।

ଦେଶର ୭୭ଟି ସ୍ଥାନରେ ଏବଂ ଓଡ଼ିଶାର ୩ଟି ସ୍ଥାନରେ ସିବିଆଇ ଚଢ଼ାଉ କରିବା ପରେ ଏମିତି କିଛି ତଥ୍ୟ ଆସିଛି, ଯାହା ଆପଣଙ୍କୁ ଚମକାଇ ଦେବ । ଓଡ଼ିଶାରେ ବି ଅନଲାଇନରେ ଶିଶୁ ଯୌନ ନିର୍ଯାତନାର ଚେର ଯେ ଏତେ ଭିତରକୁ ଗଲାଣି, ତାହା ପୂର୍ବରୁ କେବେ ବି ଜଣାପଡିନଥିଲା । ମିଳିଥିବା ସୂଚନା ଅନୁସାରେ ଢ଼େଙ୍କାନାଳର ସୁରେନ୍ଦ୍ର ନାୟକ ସହଜରେ ଅର୍ଥ ଉପାର୍ଜନର ମାଧ୍ୟମ ୟୁ-ଟ୍ୟୁବରୁ ଶିଖିଥିଲା ଏବଂ ଅଶ୍ଳୀଳ ସାଇଟରୁ ଭିଡିଓ ଡାଉନଲୋଡ କରି ଗତ ଦୁଇ ମାସରେ ପ୍ରାୟ ୧୮୦୦ ଟଙ୍କା ରୋଜଗାର କରିଛି ।

ସହଜରେ ଟଙ୍କା ରୋଜଗାର ପାଇଁ ବାଟ ବାଛିଥିଲା ଅଭିଯୁକ୍ତ । ପର୍ନ ସାଇଟରୁ ଡାଉନଲୋଡ୍ କରି ଭାଇରାଲ କରୁଥିଲା ଭିଡିଓ । ସହଜରେ ଟଙ୍କା ରୋଜଗାର ପାଇଁ ଶିଶୁ ଯୌନ ନିର୍ଯାତନା ଭିଡିଓ ଡାଉନଲୋଡ କରି ଅନ୍ୟମାନଙ୍କ ନିକଟକୁ ପଠାଉଥିଲା ଢେଙ୍କାନାଳରୁ ଗିରଫ ହୋଇଥିବା ସୁରେନ୍ଦ୍ର ନାୟକ । ୟୁ-ଟ୍ୟୁବରୁ ଏହି କୌଶଳ ଶିଖିବା ପରେ ରୋଜଗାରର ଏହି ଫର୍ମୁଲା ବାଛି ନେଇଥିଲା ଅଭିଯୁକ୍ତ । ତାକୁ ଜଣାନଥିଲା ଯେ ଏପରି କରି ସେ ସିବିଆଇର ସ୍କାନରକୁ ଆସିଯାଇଛି ।

ଦଶମ ଫେଲ ସୁରେନ୍ଦ୍ର ହ୍ୱାଟ୍ସଆପ୍ ଓ ଟେଲିଗ୍ରାମ ଜରିଆରେ ପର୍ନ ସାଇଟରୁ ଡାଉନଲୋଡ କରୁଥିବା ଭିଡିଓକୁ ଅନ୍ୟମାନଙ୍କ ନିକଟକୁ ପଠାଉଥିଲା । ଟେଲିଗ୍ରାମରେ ପାଖାପାଖି ୨୭୭ ଓ ହ୍ୱାଟ୍ସଆପରେ ପାଖାପାଖି ୬୦ ଜଣଙ୍କୁ ଏସବୁ ଭିଡିଓ ପଠାଇ ଟଙ୍କା ରୋଜଗାର କରିଥିଲା । ସିବିଆଇ ରେଡ୍ ପରେ ଜଣାପଡ଼ିଛି ଯେ ସାରା ଦେଶରେ ଶିଶୁ ଯୌନ ନିର୍ଯାତନାର ଏତେ ବଡ଼ ର୍ୟାକେଟ କାମ କରୁଛି । ସହରରୁ ଗାଁ ପର୍ଯ୍ୟନ୍ତ ଏହାର ଚେର ମାଡ଼ିଯାଇଛି । ଢେଙ୍କାନାଳର ସୁରେନ୍ଦ୍ର ନାୟକ ସମେତ ଯାଜପୁର ଜିଲ୍ଲା କୋରେଇ ବ୍ଲକର ଅନୀଲ ମାଝି ଓ ଭଦ୍ରକ ବନ୍ତ ବ୍ଲକର ଅଟୋ ଚାଳକ ମନୋଜ ଦାସକୁ ପଚରାଉଚରା କରିବା ପରେ ସିବିଆଇ ହାତରେ ଅନେକ ତଥ୍ୟ ଲାଗିଛି ।

ବଡ଼ କଥା ହେଉଛି କୌଣସି ଅଶ୍ଳୀଳ ଫିଲ୍ମ ନିଜେ ସୁରେନ୍ଦ୍ର ପ୍ରସ୍ତୁତ କରିନଥିଲା । ବରଂ ଏହାକୁ ପ୍ରଚାର ପ୍ରସାର କରାଉଥିଲା । ଗାଁ ଲୋକଙ୍କ କହିବା ଅନୁସାରେ ଏକଦା ସିକ୍ୟୁରିଟି ଗାର୍ଡ଼ ଭାବେ କାମ କରୁଥିବା ସୁରେନ୍ଦ୍ର ଚାକିରିରୁ ତଡ଼ା ଖାଇବା ପରେ ରୋଜଗାର ହରାଇଥିଲା । ଆଉ ଏହି ସମୟରେ ସହଜରେ ଅର୍ଥ ଉପାର୍ଜନ ପାଇଁ ଏଭଳି ପନ୍ଥା ଆପଣାଇଥିଲା ।

ସୁରେନ୍ଦ୍ର ନାୟକ ୨ ମାସ ପୂର୍ବରୁ ଏହି ଗ୍ରୁପରେ ସାମିଲ ହୋଇଥିଲେ । ଅପ୍ରାପ୍ତବୟସ୍କ ପିଲାଙ୍କ ଅଶ୍ଲୀଳ ଭିଡିଓ ଡାଉନଲୋଡ କରି ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ କରିବା ପରେ ତାଙ୍କ ଆକାଉଣ୍ଟକୁ ବିଦେଶରୁ ଟଙ୍କା ଆସୁଥିଲା । ଗାଁରେ କାହା ସହ ମିଶୁନଥିଲା, ଘର ଭିତରେ ରହି ଏହି କାମରେ ମାତିଥିଲା ସୁରେନ୍ଦ୍ର । ତାକୁ ଜଣାନଥିଲା, ଏହି କାମ କରିବା ବେଆଇନ, ଏଥିପାଇଁ କଠୋର ଦଣ୍ଡବିଧାନ ରହିଛି । ଅଭିଯୁକ୍ତ ସୁରେନ୍ଦ୍ର ନାୟକକୁ ଗିରଫ କରିଛି ସିବିଆଇ । ତା’ଠାରୁ ଏକ ମୋବାଇଲ ଜବତ କରାଯାଇଛି । ରାକେଟର ପୂରା ଚେର ଖୋଜିବାକୁ ଜୋରଦାର ଅଭିଯାନ କରୁଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ।