ଅନଲାଇନରେ ଶିଶୁଙ୍କ ଯୌନଶୋଷଣ ମାମଲା : ଅଭିଯୁକ୍ତ ସୁରେନ୍ଦ୍ରଙ୍କୁ ଦିଲ୍ଲୀ ସ୍ୱତନ୍ତ୍ର ସିବିଆଇ କୋର୍ଟରେ କରାଯିବ ହାଜର

ରିମାଣ୍ଡରେ ନେଇ ପଚରା ଉଚରା କରିବ ସିବିଆଇ

86

କନକ ବ୍ୟୁରୋ : ଅନଲାଇନରେ ଶିଶୁଙ୍କୁ ଯୌନ ଶୋଷଣ ଓ ପର୍ଣ୍ଣୋଗ୍ରାଫି ମାମଲାର ଚେର ଓଡିଶାରୁ ବିଦେଶକୁ ଲମ୍ବିଛି । ଏହି ମାମଲାରେ ଓଡିଶାର ତିନୋଟି ସ୍ଥାନରେ ଚଢ଼ାଉ କରିଥିଲା ସିବିଆଇ । ପ୍ରମାଣ ପାଇବା ପରେ ଢ଼େଂକାନାଳର ସୁରେନ୍ଦ୍ର ନାୟକକୁ ଗିରଫ କରିବା ସହ ଟ୍ରାଞ୍ଜିଟ ରିମାଣ୍ଡରେ ନେଇଛି ସିବିଆଇ ।

ଆଜି ସୁରେନ୍ଦ୍ରକୁ ଦିଲ୍ଲୀର ସ୍ୱତନ୍ତ୍ର କୋର୍ଟରେ ହାଜର କରାଯିବ ଓ ରିମାଣ୍ଡରେ ନେବ । ତା ସହ ଓଡିଶାରୁ ଆଉ କିଏ ସମ୍ପୃକ୍ତ ଅଛନ୍ତି କି ନାହିଁ ? ସୁରେନ୍ଦ୍ର କେତୋଟି ଗ୍ରୁପର ସଦସ୍ୟ ରହିଛି ? ସୁରେନ୍ଦ୍ର ଆକାଉଂଟକୁ ଯେଉଁ ଟଙ୍କା ଆସିଛି, କେଉଁଠୁ ଆସିଥିଲା ? ସିଧାସଳଖ ବିଦେଶରୁ ଆସିଥିଲା, ନା କିଏ ମଧ୍ୟସ୍ଥି ରହିଥିଲା ? ସୁରେନ୍ଦ୍ରଠାରୁ ଏମିତି ଏକାଧିକ ପ୍ରଶ୍ନ ଉତର ଖୋଜିବ ସିବିଆଇ । ସୁରେନ୍ଦ୍ର ଇଂଟରନେଟରୁ ଶିଶୁଙ୍କ ଅଶ୍ଳୀଳ ଭିଡିଓ ଡାଉନଲୋଡ କରିବା ସହ ସେସବୁକୁ ଉପଲବ୍ଧ ହେଉଥିବା କେତେକ ୱେବସାଇଟରେ ଅପଲୋଡ କରୁଥିଲା । ହ୍ୱାଟସଆପ୍ , ଟେଲିଗ୍ରାମରେ ଗ୍ରୁପ କରି ସେଗୁଡିକୁ ପୋଷ୍ଟ କରୁଥିଲା ।

ଏସବୁ ଗ୍ରୁପରେ ଦେଶ ଓ ବିଦେଶରୁ ହଜାର ହଜାର ସଂଖ୍ୟାର ଲୋକ ଯୋଡି ହୋଇଥିଲେ । ଏଥିପାଇଁ ତାକୁ ବିଦେଶୀ ମୁଦ୍ରା ମିଳୁଥିଲା । ଏଥିସହ ସେ ଏକ ପର୍ଣ୍ଣସାଇଟ୍ ଖୋଲିବାକୁ ଯୋଜନା କରୁଥିଲା ବୋଲି ସୂଚନା ମିଳିଛି । ନିଜ ଘରେ କମ୍ପ୍ୟୁଟର ରଖି ସେଠାରୁ ଶିଶୁଙ୍କ ଅଶ୍ଳୀନ ଭିଡିଓ ଡାଉନଲୋଡ୍ ଓ ଅପଲୋଡ କରୁଥିଲା । ତାର କମ୍ପ୍ୟୁଟର , ହାର୍ଡଡିସ୍କ, ମୋବାଇଲ ଫୋନକୁ ଜବ୍ତ କରିଛି ତଦନ୍ତକାରୀ ଟିମ୍ । ଏହି ମାମଲାରେ ଅନ୍ୟ ୪ରାଜ୍ୟରୁ ୭ଜଣଙ୍କୁ ଗିରଫ କରାଯାଇଛି । ମଙ୍ଗଳବାର ୧୪ଟି ରାଜ୍ୟର ୭୭ଟି ଠିକଣାରେ ଚଢ଼ାଉ କରିଥିଲା ସିବିଆଇ ।