କାଳିଆ ଦର୍ଶନ ପାଇଁ ନୂଆବର୍ଷରେ ବିହାରରୁ ପୁରୀ ଆସିଥିଲେ ପରିବାର । ଭୁବନେଶ୍ୱରରେ ହଜିଗଲା ୪ ବର୍ଷର କୁନି ପୁଅ, ୨୦ ଦିନ ହେଲା ପୁଅକୁ ଖୋଜି ଖୋଜି ନୟାନ୍ତ ହେଲେଣି ବାପା ମା’ ।

1,024

କନକ ବ୍ୟୁରୋ : ରାଜଧାନୀରେ ୪ ବର୍ଷର ଶିଶୁ ନିଖୋଜ । କେହି ଦୁର୍ବୃତ ଶିଶୁଟିକୁ ଚୋରି କରିନେଇଥିବା ଅଭିଯୋଗ ହୋଇଛି । ପୁରୀ ଦର୍ଶନ ପାଇଁ ବିହାରରୁ ଆସିଥିବା ଏକ ପରିବାରର ୪ ବର୍ଷର ପୁଅ ଗତ ୩୧ ତାରିଖରୁ ନିଖୋଜ ଅଛି । ୨୦ ଦିନ ହେଲା ପରିବାର ପୁଅକୁ ଖୋଜି ଖୋଜି ନୟାନ୍ତ ହେଲେଣି । ତଥାପି ଶିଶୁଟିର ସନ୍ଧାନ ମିଳିନାହିଁ । କ୍ୟାମେରା ଆଗରେ ବାପା-ମାଆ କହିଛନ୍ତି, ପୁଅ ନମିଳିଲା ଯାଏ ସେମାନେ ବିହାର ଫେରିବେ ନାହିଁ ।

ପୁଅ ହଜିଗଲା ଭୁବନେଶ୍ୱରରେ । ବିହାରରୁ ଓଡିଶା ଆସିଥିବା ଏହି ପରିବାର ଆଖିରୁ ଲୁହ ଶୁଖୁନି । ବାପା-ମାଆ ଅପେକ୍ଷା କରିଛନ୍ତି ନିଖୋଜ ପୁଅର ଫେରିବା ବାଟକୁ । ରାସ୍ତାରେ ଯିଏ ଯାଉଛି, ତାକୁ ନେହୁରା ହେଉଛନ୍ତି । କହୁଛନ୍ତି, ପୁଅକୁ ଫେରାଇଦିଅ, ବିହାର ଚାଲିଯିବୁ ।

ନାମ – ଅସରଦ, ବସୟ- ପ୍ରାୟ ୪ ବର୍ଷ । ଡିସେମ୍ବର ୩୧ ତାରିଖ । ନୂଆବର୍ଷରେ କାଳିଆ ଦର୍ଶନ କରିବାକୁ ପୁରୀ ଆସିଥିଲେ ବିହାରର ଏହି ପରିବାର । ସାଙ୍ଗରେ ଥିଲେ ଦୁଇ ପୁଅ, ଦୁଇ ଝିଅ । ସକାଳେ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ବିହାର ଫେରିବାକୁ ସନ୍ଧ୍ୟାରେ ଆସିଥିଲେ ଭୁବନେଶ୍ୱର ରେଳ ଷ୍ଟେସନକୁ । ପୁଅ ବିସ୍କୁଟ୍ ଖାଇବ ବୋଲି କହିବାରୁ, ମାଷ୍ଟର କ୍ୟାଂଟିନ୍ ନିକଟ ରାସ୍ତା କଡରେ ଠିଆ ହୋଇ ତାକୁ ଟଙ୍କା ଦେଇଥିଲେ ଆଣିବାକୁ । ପୁଅ ଟଙ୍କା ନେଇ ଗଲା, ହେଲେ ଆଉ ଆସିଲାନି ।

୨୦ ଦିନ ହେଲା ବାପା-ମାଆ ନିଖୋଜ ପୁଅର ଫେରିବା ବାଟକୁ ଅନାଇ ରହିଛନ୍ତି । ରାଜଧାନୀର ସାହି ଗଳି ଖୋଜିସାରିଲେଣି । ସେପଟେ ପୁଅକୁ ଚୋରି କରାଯାଇଥିବା ନେଇ ଏତଲା ଦେବା ପରେ ପୋଲିସ ବି ଶିଶୁର ସନ୍ଧାନ କରୁଛି । ପୁଅକୁ ନପାଇ ବାପା, ମା’ଙ୍କ ଆଖିରୁ ଲୁହ ଶୁଖୁନଥିବା ବେଳେ ପୁଅର ଫେରିବା ବାଟକୁ ଚାହିଁ ରହିଛନ୍ତି ।