ତୃତୀୟ ଲହରରେ ଛୋଟ ପିଲାଙ୍କୁ ନେଇ ଚିନ୍ତା । ଶିଶୁରୋଗ ବିଶେଷଜ୍ଞ କହିଲେ, ଅଧିକ ଶିଶୁ ସଂକ୍ରମିତ ହେବାର ରହିଛି ସମ୍ଭାବନା, ରହିବାକୁ ପଡିବ ପ୍ରସ୍ତୁତ ।

686

କନକ ବ୍ୟୁରୋ : ତୃତୀୟ ଲହରରେ ଶିଶୁମାନେ ଅଧିକ ପ୍ରଭାବିତ ହେବା ନେଇ ଆଶଙ୍କା କରାଯାଉଥିବା ବେଳେ ଆଜି ରାଜ୍ୟର ଅନେକ ଶିଶୁ ରୋଗ ବିଶେଷଜ୍ଞ ଏନେଇ ନିଜର ମତାମତ ରଖିଛନ୍ତି । ଏହାର ସମ୍ଭାବନାକୁ ସେମାନେ ଏଡାଇ ଯାଇ ନାହାନ୍ତି, ଅର୍ଥାତ୍ ଯଦି ତୃତୀୟ ଲହର ଆସେ, ତେବେ ଶିଶୁମାନେ ପ୍ରଥମ ଓ ଦ୍ୱିତୀୟ ଅପେକ୍ଷା ଅଧିକ ସଂକ୍ରମିତ ହେବାର ଯଥେଷ୍ଟ ଆଶଙ୍କା ରହିଛି ।

ଦ୍ୱିତୀୟ ଲହର ସଂକ୍ରମଣ କମୁଥିବା ବେଳେ ତୃତୀୟ ଲହରକୁ ନେଇ ଚିନ୍ତା ବଢୁଛି । ଏବଂ ଏହି ଚିନ୍ତାର ମୁଖ୍ୟ କାରଣ ହେଉଛି ଏହି ଲହର ଶିଶୁ ଓ କିଶୋରମାନଙ୍କୁ ଅଧିକ ପ୍ରଭାବିତ କରିପାରେ । ସରକାରଙ୍କ ପକ୍ଷରୁ କରାଯାଇଥିବା ପ୍ରେସମିଟରେ ଡାକ୍ତର କହିଛନ୍ତି, ତୃତୀୟ ଲହରରେ ଭୂତାଣୁର ଯେଉଁ ନୂଆ ରୂପ ଆସିବ, ତାର ସଂକ୍ରାମକ କ୍ଷମତା ଅଧିକ ରହିପାରେ ।

ଶିଶୁ କିମ୍ବା କିଶୋରମାନଙ୍କୁ ଏହା ପ୍ରଭାବିତ କରିବା ଆଶଙ୍କା ଏଇଥିପାଇଁ କରାଯାଉଛି, ଏହି ବର୍ଗଙ୍କ ପାଇଁ ଟିକା ଆସିନାହିଁ । ଏବଂ ପ୍ରଥମ ଓ ଦ୍ୱିତୀୟ ଲହରରେ ଏହି ବର୍ଗ ଖୁବ କମ୍ ସଂଖ୍ୟାରେ ସଂକ୍ରମିତ ହୋଇଛନ୍ତି ।

ସେପଟେ ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ଅରଜିତ ମହାପାତ୍ର କହିଛନ୍ତି, ଏଯାଏଁ ସଂକ୍ରମିତ ହୋଇଥିବା ଶିଶୁଙ୍କ ମଧ୍ୟରେ ୯୫ରୁ ୯୮ ପ୍ରତିଶତଙ୍କ କ୍ଷେତ୍ରରେ ଆଦୌ ଲକ୍ଷଣ ନାହିଁ କିମ୍ବା ସାମାନ୍ୟ ଲକ୍ଷଣ ଦେଖାଦେଇଛି ।

ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ କହିଛନ୍ତି, ତୃତୀୟ ଲହର ପାଇଁ ଡାକ୍ତରମାନଙ୍କୁ ତାଲିମ ଦେବା ଆରମ୍ଭ ହୋଇଛି ଏବଂ ପ୍ରସ୍ତୁତି ଆରମ୍ଭ ହୋଇଛି । ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଏସଏନ୍ ପରିଡ଼ା କହିଛନ୍ତି, କିଛି ନିର୍ଦ୍ଦିଷ୍ଟ କାରଣ ପାଇଁ କରୋନା ଭୂତାଣୁ, ଶିଶୁମାନଙ୍କୁ ଅଧିକ ସଂକ୍ରମିତ କରି ପାରେନାହିଁ । ସେପଟେ ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ କହିଛନ୍ତି, ତୃତୀୟ ଲହରରେ ଶିଶୁମାନେ ଅଧିକ ପ୍ରଭାବିତ ହେବା ନେଇ କୌଣସି ବିଜ୍ଞାନସମ୍ମତ ପ୍ରମାଣ ମିଳିନାହିଁ ।