ଗୋଶାଳା ବାହାରେ କଅଁଳା ଶିଶୁ, ବ୍ୟାଗରେ ବନ୍ଦ ମା’ର ଶବ: ରାଜ ଖୋଲିବା ପରେ ସ୍ତବ୍ଧ ହୋଇଗଲା ପୋଲିସ

1,279
କନକ ବ୍ୟୁରୋ: ଆକ୍ଟୋବର ୮ ତାରିଖ  ।ରାତି ପାଖାପାଖି ୯ଟା । ଗୁଜୁରାଟ ଗାନ୍ଧୀନଗର ପୀଠାପୁର ସ୍ଥିତ ଗୋଶାଳା ବାହାରେ ଶୁଭିଲା ଶିଶୁର କାନ୍ଦ ଶବ୍ଦ । ଏହା ଶୁଣି ଗୋଶାଳାରେ କାମ କରୁଥିବା କର୍ମଚାରୀ ଆସି ପହଞ୍ଚିଥିଲେ । ଆସି ଦେଖନ୍ତି ତ ରାହା ଧରି କାନ୍ଦୁଥିଲା ୧୦ ମାସର ଶିଶୁ ପୁତ୍ର । ଆଖପାଖରେ ଖୋଜିଥିଲେ ବି କାହାରି ଦେଖାନଥିବାରୁ ଶିଶୁକୁ କୋଳେଇ ନେବା ସହ ପୋଲିସକୁ ଖବର ଦେଇଥିଲେ । ତୁରନ୍ତ ପୋଲିସ ଆସି ପହଞ୍ଚିବା ସହ  ପିଲାଟିକୁ କିଛି ସମୟ ରଖିବାକୁ ଗୋଶାଳା କର୍ମଚାରୀଙ୍କୁ ଅନୁରୋଧ କରିଥିଲା ।
ପରଦିନ ସକାଳ ହେବାବେଳକୁ ସୋସିଆଲ ମିଡିଆରେ ସାରା ଗୁଜୁରାଟରେ ଭାଇରାଲ ହୋଇସାରିଥିଲା । ଏହି ନିଷ୍ପାପ ଶିଶୁକୁ ଦେଖି ସମସ୍ତଙ୍କ ମନ ଯେପରି ଦୋହଲିଯାଇଥିଲା । ଏହି ଖବ ଯାଇ ପହଞ୍ଚିଥିଲେ ଗୁଜୁରାଟ ରାଜ୍ୟ ଗୃହମନ୍ତ୍ରୀ ହର୍ଷ ସାଂଘବୀ ।  ସେତେବେଳକୁ ପୋଲିସ ତତ୍ତ୍ୱାବଧାନରେ ଶିଶୁଟିକୁ ମେଡିକାଲ ଚେକଅପ୍ ପାଇଁ ନିଆଯାଇଥିଲା । ଶିଶୁକୁ ଦେଖିବାକୁ ମେଡିକାଲରେ ପହଞ୍ଚିଥିଲେ ମନ୍ତ୍ରୀ । ଏବଂ ଯଥାଶିଘ୍ର ଶିଶୁ ପୁତ୍ରର ବାପା, ମା’ଙ୍କୁ ଖୋଜି ବାହାର କରିବାକୁ ପୋଲିସକୁ ନିର୍ଦ୍ଦେଶ ଦେଲେ ।
ରାଜ୍ୟ ଗୃହମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଆରମ୍ଭ ହୋଇଥିଲା ପୋଲିସର ତନାଘନା । ଘଟଣାର ଯାଞ୍ଚ ପାଇଁ ୮୫ ଜଣ ପୋଲିସଙ୍କୁ ନେଇ ଗଠନ ହେଲା ୧୪ଟି ଟିମ୍ । ପ୍ରଥମେ ଗୋଶାଳା ଗୋଶାଳା ଓ ଏହା ପାଖାପାଖି ଥିବା ସମସ୍ତ ସିସିଟିଭି ଫୁଟେଜକୁ ଯାଞ୍ଚ କରିଥିଲା । ଆଉ ପୋଲିସକୁ ମିଳିଥିଲା ପ୍ରାଥମିକ ସଫଳତା । ଏହି ସଫଳତା ପୋଲିସକୁ ଏକ ସାଣ୍ଟ୍ରୋ କାର ମାଧ୍ୟମରେ ମିଳିଥିଲା । ଏକ ସିସିଟିଭି ଫୁଟେଜ୍ ଅନୁଯାୟୀ ଜଣେ ବ୍ୟକ୍ତି ଏକ ଶିଶୁ ସହ ଏହି ସାଣ୍ଟ୍ରୋ କାରରେ ଗୋଶାଳା ଆଡକୁ ଯାଇଥିଲା । ଫୁଟେଜରୁ କାରର ନମ୍ବର ଜଣାପଡିଥିଲା । ଏବଂ କାରର ରେଜିଷ୍ଟ୍ରେସନ ନମ୍ବରରୁ ଏହାର ମାଲିକ ବିଷୟରେ ଜଣାପଡିଥିଲା । କାରଟି ଉତ୍ତରପ୍ରଦେଶ ନିବାସୀ ସଚ୍ଚିନ ଦୀକ୍ଷିତଙ୍କ ନାଁରେ ରେଜିଷ୍ଟର ଥିଲା ଓ ଠିକଣା ଥିଲା ଗାନ୍ଧୀନଗର ।

ଏହା ପରର ଯାଞ୍ଚରୁ ଯାହା ଜଣାପଡିଲା ତାହା ଥିଲା ବାସ୍ତବରେ ହୃଦୟ ବିଦାରକ ।  ପୋଲିସର ଏକ ଟିମ୍ ଗାନ୍ଧୀନଗର ଠିକଣାରେ ପହଞ୍ଚିଥିଲା । ହେଲେ ଘରେ ତାଲା ଝୁଲୁଥିଲା । ଏହା ଭିତରେ ପୋଲିସକୁ ମିଳିସାରିଥିଲା ସଚ୍ଚିନ ଦୀକ୍ଷିତଙ୍କ ଫୋନ୍ ନମ୍ବର  । ସର୍ଭେଇଲାନ୍ସ ମାଧ୍ୟମରେ ଫୋନ୍ ଟ୍ରାକ୍ କରି ଏହାର ଲୋକେସନ୍ ରାଜସ୍ଥାନର କୋଟା ବୋଲି ଜାଣିପାରିଥିଲା ପୋଲିସ ।  ତା ପରଦିନ କୋଟା ପୋଲିସ ସହାୟତାରେ ସଚ୍ଚିନକୁ ଗିରଫ କରିଥିଲା ପୋଲିସ । ଗିରଫ ବେଳକୁ ସଚ୍ଚିନ ନିଜ ପତ୍ନୀ, ୩ ବର୍ଷର ପୁଅ ଓ ବାପା , ମା’ଙ୍କ ସେହି ସାଣ୍ଟ୍ରୋ କାରରେ ଦଶହରା ବୁଲିବାକୁ ଉତ୍ତରପ୍ରଦେଶ ଯାଉଥଲା । ସେଠାରୁ ଗାନ୍ଧୀନଗର ଆଣି ପଚରାଉଚୁରା କରିବାରୁ ମିଳିଥିବା ପୁଅ ତାଙ୍କର ଓ ତା’ ନାଁ ମଧ୍ୟ କହିଥିଲା ସଚ୍ଚିନ । ହେଲେ ସଚ୍ଚିନଙ୍କ ସ୍ତ୍ରୀ କିନ୍ତୁ  କୁନି ପୁଅଟିକୁ ଚିହ୍ନି ପାରିନଥିଲେ । ସଚ୍ଚିନଙ୍କୁ ଏକୁଟିଆ ଜେରା କରିବା ସହ ଭଦୋଦାରା ପୋଲିସକୁ ଫୋନ କରି ଏକ ଘର ଠିକଣା ଦେବା ସହ ତାହାର ରୋଷେଇ ଘରକୁ ଯାଇ ସେଠାରେ ଥିବା ଏକ ଟ୍ରଲି ବ୍ୟାଗ୍ ଚେକ କରିବାକୁ କହିଥିଲା । ପୋଲିସ୍  ବଦୋଦାରା ଓଭରସିଜ୍ ସୋସାଇଟିରେ ପହଞ୍ଚି ଠିକଣା ଘରେ ପହଞ୍ଚି ତାଲା ଭାଙ୍ଗି ରୋଷେଇ ଘରକୁ ଯାଇ ସେଠାରେ ଥିବା ଏକ ଟ୍ରଲି ବ୍ୟାଗକୁ ଖୋଲିଥିଲା । ସେଥିରେ ଥିଲା ଜଣେ ମହିଳାଙ୍କ ମୃତଦେହ, ଯାହା ଅତି ଦୁର୍ଗନ୍ଧ ହେଉଥିଲା । ପରେ ପୁଣିି ଜେରା କରିବାରୁ ଯେଉଁ ତଥ୍ୟ ସାମନାକୁ ଆସିଥିଲା ସେଥିରେ ସ୍ତବ୍ଧ ହୋଇଥିଲା ପୋଲିସ ।

ସଚ୍ଚିନର କହିବା ଅନୁସାରେ, ୟୁପିରେ ରହୁଥିବା ସଚ୍ଚିନ ଗାନ୍ଧିନଗରର ଏକ କମ୍ପାନୀରେ ଆସିଷ୍ଟାଣ୍ଟ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲା । ଘର ଲୋକଙ୍କ ସହମତିରେ ବିବାହ ମଧ୍ୟ କରିଥିଲା । ତା’ର ୩ ବର୍ଷର ପୁଅ ମଧ୍ୟ ଅଛି । ହେଲେ ୨୦୧୮ ରେ ଗାନ୍ଧିନଗରର ଏକ ସୋ’ ରୁମରେ ମେହେନ୍ଦି ନାମକ ଏକ ଝିଅ ସହ ଦେଖାହେବା ପରେ କ୍ରମେ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ଘନୀଭୂତ ହୁଏ ଓ ପରେ ଦୁହେଁ ଓଭରସିଜ୍ ସୋସାଇଟିରେ ଲିଭ ଇନ୍ ରିଲେସନସିପରେ ରୁହନ୍ତି । ଦୁହିଁଙ୍କର ପୁତ୍ର ସନ୍ତାନଟିଏ ହୁଏ । ହେଲେ ମେହେନ୍ଦୀକୁ ବିବାହ କରିବାକୁ ମନା କରେ ସଚ୍ଚିନ । ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ କଳି ଝଗଡା ହୁଏ । ଅକ୍ଟୋବର ୮ ତାରିଖରେ ସଚ୍ଚିନ ନିଜ ଘରକୁ ଯିବାକୁ ବାହାରିବାରୁ ତାକୁ ରୋକିଥିଲା ମେହେନ୍ଦି ଓ ବିବାହ କରିବାକୁ ବାଧ୍ୟ କରିଥିଲା । ଏଥିରେ କ୍ଷୁବ୍ଧ ହୋଇ ମେହେନ୍ଦିର ତଣ୍ଟି ଚିପି ହତ୍ୟା କରିବା ସହ ୧୦ ମାସର ପୁଅକୁ ନେଇ ଗାନ୍ଧୀନଗର ଗୋଶାଳା ଆଗରେ ଛାଡିଦେଇ ଆସିଥିଲା । ସେଠାରୁ ୟୁପି ପଳାଇଥିଲା ।

ମା’ ଏ ସଂସାରରୁ ବିଦାୟ ନେଇସାରିଥିବାବେଳେ ବାପା ଜେଲରେ । ଏପରି ସ୍ଥିତିରେ ବିନା କାରଣରେ ବଳି ପଡୁଛି ନିଷ୍ପାପ ଶିଶୁ । ଏବେ ଶିଶୁ ପୁତ୍ରକୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ପୋଲିସ ବିଭାଗର ଅନେକ ଅଧିକାରୀ ।