ବାପା ନେଲା ଋଣ, ଅପହରଣ ହେଲା ପୁଅ: ୬୦ ହଜାର ନେଇ ଗାଡି ଦେଇନପାରିବାରୁ ପୁଅକୁ ଉଠାଇନେଲେ ଦୁର୍ବୃତ୍ତ

ଅପହରଣକାରୀ ଧରାପଡିବା ପରେ ଜଣାପଡିଲା ପୂରା ସତ

747

କନକ ବ୍ୟୁରୋ: ୬୦ ହଜାର ଟଙ୍କା ପାଇଁ ଶିଶୁକୁ ଅପହରଣର । ଅପରାଧୀଙ୍କୁ ଧରିବା ପରେ ପୁରା ଘଟଣା ଉପରୁ ପରଦା ହଟିଛି । ଢେଙ୍କାନାଳ ଜିଲ୍ଲା କଙ୍କଡାହାଡର ରମାନାଥ ମହାରାଣା ନାମକ ଜଣେ ବ୍ୟକ୍ତି ଏକ ଗାଡି ବିକ୍ରି କରିବା ପାଇଁ କବି ବେହେରା ନାମକ ବ୍ୟକ୍ତିଙ୍କଠାରୁ ୬୦ ହଜାର ଟଙ୍କା ନେଇଥିଲେ । ହେଲେ ଦେଶବ୍ୟାପୀ ଲକଡାଉନ କଟକଣା ଫଳରେ ତାଙ୍କୁ ଗାଡି ଦେଇପାରିଲେ ନାହିଁ କିମ୍ବା ନେଇଥିବା ଟଙ୍କା ଫେରସ୍ତ ମଧ୍ୟ କରିପାରିଲେ ନାହିଁ । ଏଥିପାଇଁ କବି ବେହେରା ବାରମ୍ବାର ତାଙ୍କୁ ଧମକ ଚମକ ଦେଉଥିଲେ । ଶେଷରେ ଟଙ୍କା ଫେରି ନପାଇବାରୁ ଗତକାଲି ସକାଳ ସାଢେ ୭ଟାରେ ଅନ୍ୟଜଣେ ସହଯୋଗୀ ତ୍ରିନାଥ ସାହୁଙ୍କ ସହ ବାଇକରେ ଆସି ଘର ବାହାରେ ଖେଳୁଥିବା ରମାନାଥଙ୍କ ପୁଅକୁ ଦେଖିଥିଲେ ।

ଗାଁରେ କେଉଁଠି ଦୋକାନ ରହିଛି ଦେଖାଇ ଦେବା ପାଇଁ କହି ଅତି ଚାଲାକିରେ ଅପହରଣ କରିନେଇଥିଲେ । ଗାଁ ଲୋକଙ୍କ ନଜରରୁ ବର୍ତିବା ପାଇଁ ଜଙ୍ଗଲିଆ ରାସ୍ତା ଦେଇ ଚାଲିଯାଇଥିବାବେଳେ ନାବାଳକଟିକୁ ଘରେ ବନ୍ଦ କରି ରଖିଥିଲେ । ଏନେଇ ରମାନାଥଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ପରେ ତୁରନ୍ତ ଛାନଭିନ ଆରମ୍ଭ କରିଥିଲା ପୋଲିସ । ଶିଶୁଟିର ଜୀବନ ପ୍ରତି ବିପଦ ଥିବାରୁ ଅଭିଯୁକ୍ତଙ୍କ ଘରେ ରେଡ୍ କରିଥିଲା କଙ୍କଡାହାଡ ପୋଲିସ । ଶିଶୁଟିକୁ ଏକ ଅନ୍ଧାର କୋଠରୀରୁ ଉଦ୍ଧାର କରିବା ସହ ଦୁଇ ଅଭିଯୁକ୍ତ କବି ବେହେରା ଓ ତ୍ରିନାଥ ସାହୁଙ୍କୁ ଗିରଫ କରିଛି ।