ପିଲାଏ ପଢ଼ୁଛନ୍ତି ଅନ୍ଧ ବିଶ୍ୱାସର ପାଠ : ବଜ୍ରକାପ୍ତା କାତିରୁ ମୁଦି ତିଆରି ହେଉଛି ବୋଲି ଚତୁର୍ଥ ଶ୍ରେଣୀ ବହିରେ ରହିଛି ପାଠ

ସିଡ୍ୟୁଲ ୧ ପ୍ରାଣୀ ସମ୍ପର୍କରେ ଭ୍ରମାତ୍ମକ ଶିକ୍ଷା ପାଉଛନ୍ତି ଛୋଟ ପିଲା

332

କନକ ବ୍ୟୁରୋ : ପିଲାଏ ପଢୁଛନ୍ତି ଅନ୍ଧବିଶ୍ୱାସର ପାଠ । ଚତୁର୍ଥ ଶ୍ରେଣୀ ପାଠ୍ୟପୁସ୍ତକ ‘ଆମେ ଓ ଆମ ପରିବେଶ’ରେ ବଜ୍ରକାପ୍ତାକୁ ନେଇ ଭ୍ରମାତ୍ମକ ତଥ୍ୟ ଦିଆଯାଇଛି । ବହିରେ ଏକ ଟେବୁଲ କରି ପ୍ରାଣୀ ମାନଙ୍କର ନାମ ଏବଂ ସେଥିରୁ ଲୋକେ କ’ଣ ପାଉଛନ୍ତି ତାହା ଦିଆଯାଇଛି । ଏଥିରେ ଲେଖା ରହିଛି କି, ବଜ୍ରକାପ୍ତାରୁ କାତି ମିଳିଥାଏ, ଯେଉଁଥିରୁ ମୁଦି ତିଆରି ହୁଏ । ଏଥିରେ ଔଷଧୀୟ ଗୁଣ ରହିଛି । ବଜ୍ରକାପ୍ତା ଚୋରା ଚାଲାଣ ରୋକିବା ପାଇଁ କଡ଼ାକଡ଼ି ଭାବେ କାର୍ଯ୍ୟନୁଷ୍ଠାନ ନିଆଯାଉଛି । ଭାରତରେ ମଧ୍ୟ ବନ୍ୟପ୍ରାଣୀ ସଂରକ୍ଷଣ ଆଇନ ୧୯୭୨ ଅନୁଯାୟୀ ସବୁଠାରୁ ଅଧିକ ସୁରକ୍ଷା ଦିଆଯାଇଛି ।

ବନ୍ୟପ୍ରାଣୀ ସଂରକ୍ଷଣ ଆଇନ୍‌ ଅନୁଯାୟୀ ବଜ୍ରକାପ୍ତାକୁ ମଧ୍ୟ ବାଘ, ହାତୀ, ଗଣ୍ଡା, ସିଂହ ଆଦି ପ୍ରାଣୀମାନଙ୍କ ସହ ସିଡ୍ୟୁଲ-୧ ଶ୍ରେଣୀରେ ଅନ୍ତର୍ଭୁକ୍ତ କରାଯାଇଛି । ପରିବେଶ ସନ୍ତୁଳନ କ୍ଷେତ୍ରରେ ପ୍ରମୁଖ ଭୂମିକା ରଖୁଥିବା ଏହି ପ୍ରାଣୀ ଏବେ କାଁ ଭାଁ ଦେଖିବାକୁ ମିଳୁଛନ୍ତି । ତେଣୁ ଏହାର ଶିକାର କରୁଥିବା ବା କାତି ବିକ୍ରି କରୁଥିବା ବ୍ୟକ୍ତି ବି‌ରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ଖୋଦ୍‌ ରାଜଧାନୀରେ ଇନ୍ଦିରା ଗାନ୍ଧୀ ପାର୍କରୁ ଜଣେ ବ୍ୟକ୍ତିଙ୍କୁ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ୧୫ଟି କାତି ସହିତ ଗିରଫ କରିଥିଲା । ସେହିଭଳି ପିପିଲି ଜୟସପାଟଣାରେ ଜାତୀୟ ରାଜପଥ ଉପରୁ ଆଉ ଜଣେ ବ୍ୟକ୍ତିଙ୍କଠାରୁ ୨ କିଲୋଗ୍ରାମ ବଜ୍ରକାପ୍ତା କାତି ଜବତ ସହ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା । ମାତ୍ର ପାଠ ବହିରେ ବଜ୍ରକାପ୍ତା ଶିକାରକୁ ଯେମିତି ପ୍ରୋତ୍ସାହନ ଦିଆଯାଉଛି ।

‘ଆମେ ଓ ଆ‌ମ ପରିବେଶ’ ବହିରେ ୧୪୬ ନମ୍ବର ପୃଷ୍ଠାରେ ବଜ୍ରକାପ୍ତାକୁ ନେଇ ଏଭଳି ଭ୍ରମାତ୍ମକ ତଥ୍ୟ ଦିଆଯାଇଛି । ଫଳରେ ବିଦ୍ୟାଳୟରେ ଶିକ୍ଷକଶିକ୍ଷୟିତ୍ରୀ ମଧ୍ୟ ଏହି ଭୁଲ୍‌ ପାଠ ପିଲାଙ୍କୁ ପଢ଼ାଇବାକୁ ବାଧ୍ୟ ହେଉଛନ୍ତି । ପୁସ୍ତକର ଏକ ସାରଣୀରେ ପ୍ରାଣୀ ଓ ସେମାନଙ୍କଠାରୁ କ’ଣ ମିଳେ ସେସବୁର ବିବରଣୀ ଦିଆଯାଇଥିବା ବେଳେ ବଜ୍ରକାପ୍ତାଠାରୁ କାତି ମିଳେ ଓ ସେଥିରେ ମୁଦି ତିଆରି ହୁଏ ବୋଲି ଉଲ୍ଲେଖ ରହିଛି । ଗୁରୁତ୍ବପୂର୍ଣ୍ଣ କଥା ହେଲା, ଯେଉଁ ମୁଦି ତିଆରି କଥା ବହିରେ ଉଲ୍ଲେଖ ରହିଛି ତାହା ଉଲ୍ଲେଖ କରିଥିବା ବିଶେଷଜ୍ଞମାନେ ବି ଜାଣିବା ଉଚିତ୍‌ ଯେ ଯେଉଁ ଲୋକ ବି କାତିରେ ତିଆରି ମୁଦି ପିନ୍ଧିବା ନେଇ ସୂଚନା ମିଳେ ତାକୁ ବନ୍ୟପ୍ରାଣୀ ଆଇନ୍‌ ଉଲ୍ଲଂଘନ ଅପରାଧରେ ଗିରଫ କରାଯିବାର ଆଇନ୍‌ରେ ବ୍ୟବସ୍ଥା ରହିଛି । ବହିରେ ଉଲ୍ଲେଖ ଥିବା କଥାକୁ କୋମଳମତି ପିଲାମାନେ ଧ୍ରୂବ ସତ୍ୟ ବୋଲି ଧରି ନିଅନ୍ତି। ‌ତେଣୁ ରାଜ୍ୟ ସରକାର ତୁରନ୍ତ ଏହାର ସଂଶୋଧନ କରିବାକୁ ସେ ଦାବି କରିଛନ୍ତି ।