କନକ ବ୍ୟୁରୋ: ସ୍କୁଲ ଯିବା ସମୟରେ ପିଲାଏ ଚରାଉଛନ୍ତି ଗାଈ ଗୋରୁ । କାରଣ ଗାଁର ସ୍କୁଲକୁ ବନ୍ଦ କରିଦିଆଯାଇଛି, ଆଉ ୭ କିଲୋମିଟର ପାହାଡ଼ିଆ ରାସ୍ତା ପାର ହେଇ ପାଖ ସ୍କୁଲକୁ ଯିବାକୁ କୁନି ପିଲାଏ ରାଜି ନାହାନ୍ତି । ଗଜପତି ଜିଲ୍ଲା ତାମସିଂ ଗାଁରୁ ଆସିଛି ଏଭଳି କିଛି ଖବର ।

Advertisment

ଆପଣଙ୍କୁ ଲାଗିପାରେ ଗାଁର ପିଲାମାନେ ଫୁରସତ୍ ସମୟରେ ହୁଏତ ପରିବାର ଲୋକଙ୍କୁ ସାହାଯ୍ୟ କରୁଛି, ଆଉ ଗାଈଗୋରୁଙ୍କ ଘଉଡ଼ାଇ ନେଉଛି । ହେଲେ ଦୁଃଖର କଥା ହେଲା, ଯେଉଁ ସମୟରେ ପିଲା ସ୍କୁଲ ଯିବା କଥା, ଶ୍ରେଣୀରେ ବସି ପାଠ ପଢ଼ିବା କଥା, ସେହି ସମୟରେ ସେମାନେ ଗୋରୁ ଛେଳି ଚରାଉଛନ୍ତି ।

ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ତରଡଙ୍ଗା ପଞ୍ଚାୟତର ତାମସିଂ ଗାଁ । ଏଠାରେ ଯେଉଁ ସ୍କୁଲଟି ଥିଲା, ତାହା ଏବେ ବନ୍ଦ ପଡ଼ିଛି । କାରଣ ହେଲା ୨୦ ଜଣରୁ କମ୍ ଛାତ୍ରଛାତ୍ରୀ ଥିବା ଦର୍ଶାଇ ୨୦୧୮ରୁ ଏହାକୁ ବନ୍ଦ କରିଦିଆଯାଇଛି । ତାମସିଂ ଗାଁ ସମେତ ତଳ ପାଙ୍ଗୁଡ଼ା, ତଳ ତାମସିଂ ଗାଁର ପିଲାମାନେ ଏଠାରେ ପାଠ ପଢ଼ୁଥିଲେ । ଆଉ ଏହି ସ୍କୁଲକୁ ୭ କିଲୋମିଟର ଦୂର ଆମ୍ବଝରି ସ୍କୁଲରେ ସାମିଲ କରାଯାଇଛି । ହେଲେ ପିଲାଙ୍କ ପାଇଁ ୭ କିଲୋମିଟର ପାହାଡ଼ିଆ ରାସ୍ତା ପାର କରି ଆମ୍ବଝରି ସ୍କୁଲ ଯିବା ସମ୍ଭବ ହେଉ ନାହିଁ । ଫଳରେ ପାଠ ପଢ଼ାରେ ଡୋରି ବନ୍ଧା ଯାଇଛି, ଆଉ ଏବେ ସେମାନେ ଗାଈଗୋରୁ ଓ ଛେଳି ଚରାଉଛନ୍ତି ।

ଏହି ସ୍କୁଲକୁ ପୁଣି ଥରେ ଖୋଲିବାକୁ ଗାଁ ଲୋକ ଦାବି ଦୋହରାଇ ଆସୁଛନ୍ତି । ସେପଟେ ଜିଲ୍ଲା ଶିକ୍ଷାଧିକାରୀଙ୍କ କହିବା କଥା ହେଲା, ସରକାରଙ୍କ ନିଷ୍ପତି ଅନୁଯାୟୀ ସ୍କୁଲ ବନ୍ଦ ରହିଛି । ଏବେ ତାକୁ ପୁନଃ କାର୍ଯ୍ୟକ୍ଷମ କରାଯିବା ସମ୍ଭବ ନୁହେଁ । ତାମସିଂ ଗାଁ ସ୍କୁଲ ବନ୍ଦ କରାଯିବା ନେଇ ଏବେ ମାମଲା କୋର୍ଟରେ ଅଛି । ତେବେ ଗୋଟିଏ ପଟେ ସରକାର ସ୍କୁଲ-ଡ୍ରପଆଉଟ୍ କମାଇବା ଉପରେ ଜୋର ଦେଉଛନ୍ତି । ଅନ୍ୟପଟେ ପିଲା ନଥିବା ଦର୍ଶାଇ ଦୁର୍ଗମ ଅଞ୍ଚଳରେ ଏପରି ସ୍କୁଲ ବନ୍ଦ କରାଯିବା ଚିନ୍ତାର ବିଷୟ ।