କରୋନାରେ ଅନାଥ ହୋଇଗଲେ ଯମଜ ଭାଇଭଉଣୀ : ଅସହାୟ ଶିଶୁଙ୍କୁ ଉଦ୍ଧାର କଲା ଚାଇଲ୍ଡଲାଇନ

95

କନକ ବ୍ୟୁରୋ : କରୋନା କାରଣରୁ ବହୁତ ପିଲା ମା’ ବାପାଙ୍କୁ ହରାଇ ଅନାଥ ହୋଇଯାଇଛନ୍ତି । କାହାର ମା’ କରୋନାରେ ପ୍ରାଣ ହରାଇଛନ୍ତି ତ ଆଉ କାହାର ବାପାଙ୍କ ଦେହାନ୍ତ ହୋଇଯାଇଛି । ଯେଉଁଥିପାଇଁ ବହୁ ପିଲା ଖାଦ୍ୟପେୟଠାରୁ ଆରମ୍ଭ କରି ଆର୍ଥିକ ସଙ୍କଟ ମଧ୍ୟରେ ପଡୁଛନ୍ତି । ଅନେକ ପିଲା ବେସାହାରା ହୋଇଯାଉଛନ୍ତି ।

ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ପୌରାଂଚଳରୁ ଚାଇଲ୍ଡଲାଇନ ଅସହାୟ ଯମଜ ଭାଇଭଉଣୀ ଦ୍ୱୟଙ୍କୁ ସମନ୍ୱିତ ଶିଶୁବିକାଶ ପ୍ରକଳ୍ପ ଏବଂ ଜିଲ୍ଲା ପ୍ରଶାସନ ସହାୟତାରେ ଉଦ୍ଧାର କରିଛି । ୭ ବର୍ଷର ଏହି ଯମଜ ଭାଇଭଉଣୀଙ୍କ ବାପା ୨ ବର୍ଷ ପୂର୍ବରୁ ମୃତ୍ୟୁ ବରଣ କରିସାରିଥିବା ବେଳେ ସପ୍ତାହକ ତଳେ ମା’ କରୋନାରେ ମୃତ୍ୟୁ ହୋଇଛି । ଏହା ପରେ ଦୁଇ ଶିଶୁ ଅସହାୟ ହୋଇଯାଇଥିଲେ ।

ଦୁଇ ଶିଶୁଙ୍କ ଖାଇବା ପିଇବାରେ ଅସୁବିଧା ହେଉଥିବା ଖବର ପାଇ ଜିଲ୍ଲାପ୍ରଶାସନ ଓ ଚାଇଲ୍ଡଲାଇନ ସହାୟତାରେ ଏମାନଙ୍କୁ ଉଦ୍ଧାର କରାଯାଇଛି । ଶିଶୁମଙ୍ଗଳ କମିଟିର ନିର୍ଦ୍ଦେଶ କ୍ରମେ ଦୁଇ ଶିଶୁଙ୍କୁ ଶିଶୁ ଯତ୍ନ ଅନୁଷ୍ଠାନରେ ରଖାଯାଇଛି । ଅସହାୟ ଶିଶୁଙ୍କ ପ୍ରତି ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଯୋଜନାରେ ସାମିଲ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।