କନକ ବ୍ୟୁରୋ : କ୍ୟାପିଟାଲ୍ ହସପିଟାଲରେ ଛୁଆ ଅଦଳବଦଳ ଘଟଣାରେ ନୂଆ ମୋଡ଼ । ସନ୍ତାନ ଚିହ୍ନଟ ପ୍ରକ୍ରିୟା ଯେତିକି ବିଳମ୍ବ ହେଉଛି, ଘଟଣାକ୍ରମ ସେତିକି ବିବାଦୀୟ ହୋଇପଡ଼ୁଛି । ଗୋଟିଏ ପଟେ କେନ୍ଦ୍ରାପଡ଼ାର ପ୍ରାଣକୃଷ୍ଣ ବିଶ୍ୱାଳ ପୁଅ ପାଇଁ ନଛୋଡ଼ବନ୍ଧା ଥିବା ବେଳେ ହସ୍ପିଟାଲ ସଫାସଫା କହିଛି ତାଙ୍କର କନ୍ୟା ସନ୍ତାନ ହୋଇଛି । ମାମଲା ଆଉ ଏବେ ହସ୍ପିଟାଲ ଭିିତରେ ସୀମିତ ହୋଇ ରହି ନାହିଁ, ବରଂ ଥାନାରେ ପହଂଚିଲାଣି । କ୍ୟାପିଟାଲ ଥାନା ପୋଲିସ୍ ତଦନ୍ତ ଆରମ୍ଭ କରିଥିବା ବେଳେ ପ୍ରସୂତି ବିଭାଗର ଏକାଧିକ କର୍ମଚାରୀଙ୍କୁ ପଚରାଉଚରା କରିଛି । ଏହାରି ଭିତରେ ପ୍ରାଣକୃଷ୍ଣଙ୍କର ପୁଅ ନା ଝିଅ ହୋଇଥିଲା, ତା’ ଉପରୁ ପରଦା ହଟାଇବା ପାଇଁ ଡିଏନଏ ଟେଷ୍ଟ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଭୁବନେଶ୍ୱରରେ ଥିବା ଷ୍ଟେଟ ଫରେନ୍ସିକ ସାଇନ୍ସ ଲାବରୋଟୋରୀ ବା ଏସଏଫଏସଏଲକୁ ଡିଏନଏ ସାମ୍ପଲ ସଂଗ୍ରହ କରିବା ପାଇଁ କୁହାଯାଇଥିଲା ଡିସିପି କହିଛନ୍ତି ।
ସେପଟେ ହସ୍ପିଟାଲକୁ ଖୁବଶୀଘ୍ର କୋର୍ଟକୁ ଟାଣିବା ପାଇଁ ଧମକ ଦେଇଛନ୍ତି ପ୍ରାଣକୃଷ୍ଣ । ହସ୍ପିଟାଲ ପକ୍ଷରୁ ଏପର୍ଯ୍ୟନ୍ତ ସନ୍ତାନ ଟିକୁ ତାଙ୍କୁ ଦେଖାଯାଇ ନାହିଁ । କେବଳ ମହିଳା ଆଟେଣ୍ଡାଂଟଙ୍କୁ ନିଲମ୍ବନ କରିଦେଲେ ହେବନି, ବରଂ ତାଙ୍କୁ ନ୍ୟାୟ ମିଳିବା ଦାବି କରିଛନ୍ତି ପ୍ରାଣକୃଷ୍ଣ ।
ରାଜଧାନୀର କ୍ୟାପିଟାଲ ହସ୍ପିଟାଲ ଭଳି ସ୍ଥାନରୁ ସନ୍ତାନ ଅଦଳବଦଳ ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରଥମେ ପୁତ୍ର ସନ୍ତାନ କହି ପରେ କନ୍ୟା ସନ୍ତାନ ଧରାଇଦିଆଯିବା ଘଟଣା ଏବେ ହସ୍ପିଟାଲ କର୍ମଚାରୀଙ୍କୁ ଅଡ଼ୁଆରେ ପକାଇଛି । ଏବେ ସବୁଠୁ ବଡ଼ ପ୍ରଶ୍ନ ପ୍ରାଣକୃଷ୍ଣଙ୍କର ସନ୍ତାନ କିଏ, ତାହା ଡିଏନଏ ଚିହ୍ନଟ କରିପାରିବ ତ?