ବ୍ରାଜିଲରେ ଚିନ୍ତା ବଢାଉଛି ଶିଶୁ ମୃତ୍ୟୁ: ୪ ମାସରେ ଗଲାଣି ୫୭୦ ଜୀବନ, କୁପୋଷଣ ଓ ସୁନାଖଣି ପାଲଟିଛି ମୃତ୍ୟୁର କାରଣ

145

କନକ ବ୍ୟୁରୋ: ବ୍ରାଜିଲରେ ଚିନ୍ତା ବଢାଉଛି ଶିଶୁ ମୃତ୍ୟୁ । ୪ ମାସରେ ଗଲାଣି ୫୭୦ ଜଣଙ୍କ ଜୀବନ । ତେବେ ଏହି ଶିଶୁ ମୃତ୍ୟୁ ପଛରେ ପ୍ରମୁଖ କାରଣ କୁପୋଷଣ ଓ ସୁନା ଖଣି ବୋଲି କୁହାଯାଉଛି । କାରଣ ବ୍ରାଜିଲରେ ଅନେକ ସୁନା ଖଣି ରହିଛି । ଯାହାର ଖନନ ପାଇଁ ପାରଦ ବା ମର୍କୁରୀର ବ୍ୟବହାର ହୋଇଥାଏ । ଏହି ବାୟୁରେ ମିଶି ବିଷାକ୍ତ ହେଉଛି । ଯାହା ଦ୍ୱାରା ପିଲାଙ୍କ ମୃତ୍ୟୁ ହେଉଥିବା ନେଇ କୁହାଯାଉଛି । ଭେନେଜୁଏଲା ସୀମାନ୍ତରେ ଥିବା ଦେଶର ବୃହତମ କ୍ଷେତ୍ର ୟାନୋମାମିରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମେଡିକାଲ ଏମରଜେନ୍ସି ଘୋଷଣା କରାଯାଇଛି ।

ବିଶେଷଜ୍ଞଙ୍କ କହିବା ଅନୁସାରେ, ଖଣି ଖନନରେ ବ୍ୟବହାର ହେଉଥିବା ଏହି ପାରଦ ଯେତେବେଳେ ପେଟ ଭିତରକୁ ଯାଏ, ସେତେବେଳେ ପେଟରେ ସମସ୍ୟା ଦେଖା ଦେଇଥାଏ । କିଛି ଶିଶୁଙ୍କ କ୍ଷେତ୍ରରେ ପାଚନ ତନ୍ତ୍ର ସମ୍ପୂର୍ଣ୍ଣ ଖରାପ ହୋଇଯାଇଥାଏ । ଏହାଦ୍ୱାରା ପକ୍ଷାଘାତ ଓ କିଡନୀ ଫେଲ୍ ହେବାର ମଧ୍ୟ ଆଶଙ୍କା ଦେଖାଦେଇଥାଏ । ଏହାଦ୍ୱାରା ମସ୍ତିଷ୍କ ଉପରେ ପ୍ରଭାବ ପକାଇବା ସହ ସ୍ମରଣ ଶକ୍ତି ମଧ୍ୟ ହ୍ରାସ ପାଇଥାଏ । ଠିକ୍ ସମୟରେ ଚିକିତ୍ସା କରାନଗଲେ, ଏହାର ମୃତ୍ୟୁର କାରଣ ହୋଇପାରେ ବୋଲି ବିଶେଷଜ୍ଞ କହିଛନ୍ତି ।