ପୁଣି ସାମ୍ନାକୁ ଆସିଲା ଚିକିତ୍ସା ଅବହେଳା । ଡାକ୍ତରଙ୍କ ଅବହେଳାରୁ ନବଜାତର ଜୀବନ ଯାଇଥିବା ହେଲା ଅଭିଯୋଗ, ଲେବର ରୁମ ଆଗରେ ଧାରଣାରେ ବସିଲେ ବିଜେପି କର୍ମୀ

147

କନକ ବ୍ୟୁରୋ : ଚିକିତ୍ସା ଅବହେଳାରୁ ନବଜାତକର ମୃତ୍ୟୁ ଅଭିଯୋଗରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତେଜନା । ଡାକ୍ତରଙ୍କ ଅବହେଳାରୁ ନବଜାତକର ମୃତ୍ୟୁ ହୋଇଥିବା ଅଭିଯୋଗ ଆଣି ଅସନ୍ତୋଷ ପ୍ରକାଶ କରିଥିଲେ । ଏହି ଖବର ପାଇ ଘଟଣାସ୍ଥଳରେ ବିଜେପି କର୍ମକର୍ତା ପହଂଚି ଲେବର ରୁମ ଆଗରେ ଧାରଣାରେ ବସିଥିଲେ । ପରେ କଂଗ୍ରେସ ଓ ବିଜେଡି କର୍ମୀ ମଧ୍ୟ ଧାରଣାରେ ସାମିଲ ହୋଇ ଚିକିତ୍ସା ଅବହେଳାର ଦୃଢ ପ୍ରତିବାଦ କରିଥିଲେ ।

ପରେ ସିଡିଏମଓ, ଏଡିଏମଓ ଧାରଣାକାରୀଙ୍କ ସହ ଆଲୋଚନା କରି ପୁରା ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଛି । ସିଡିଏମଓଙ୍କ ନେତୃତ୍ୱରେ ଏକ କମିଟି ଗଠନ କରାଯାଇ ନବଜାତକର ମୃତ୍ୟୁ ଘଟଣାର ତଦନ୍ତ କରାଯିବ, ଏଥିସହ ଆଗକୁ ଯେପରି ଏଭଳି ଅଘଟଣ ନଘଟେ ସେଥିପ୍ରତି ପଦକ୍ଷେପ ନିଆଯିବ, ଏବଂ ପ୍ରସୂତୀଙ୍କ ଆସିଥିବା ଆଶାକର୍ମୀଙ୍କୁ ଲେବର ରୁମକୁ ଛଡାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ସିଡିଏମଓ । ଗତ ଶୁକ୍ରବାର ଅଳନ୍ଦାଶାର ଗାଁର ଜୟଶ୍ରୀ ବାରିକଙ୍କ ଗର୍ଭବେଦନା ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଥିଲେ ।

ପରିବାର ଲୋକେ ପ୍ରସୂତୀଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ପଚାରିବାରୁ ସେ କିଛି କହିନଥିଲେ, ଏପରି କି ପ୍ରସୂତୀଙ୍କ ସହ ଆସିଥିବା ଆଶା କର୍ମୀଙ୍କୁ ମଧ୍ୟ ଲେବର ରୁମକୁ ଛାଡିନଥିବା ଅଭିଯୋଗ ହୋଇଛି । ଶନିବାର ଜୟଶ୍ରୀ ଏକ ଶିଶୁ ପୁତ୍ର ଜନ୍ମ ଦେଇଥିବା ପରିବାର ଲୋକଙ୍କୁ ସୂଚନା ଦିଆଯାଇଥିଲା । ତେବେ ଶିଶୁର ସ୍ୱାସ୍ଥ୍ୟବସ୍ଥା ନେଇ ଡାକ୍ତରଙ୍କୁ ପଚାରିବାରୁ ସେ କିଛି ନକହି ଚାଲିଯାଇଥିଲେ । ଶେଷରେ ପରିବାର ଲୋକେ ଯାଇ ଦେଖିଲା ବେଳେ ନବଜାତକର ମୃତ୍ୟୁ ହୋଇଯାଇଛି । ଡାକ୍ତରଙ୍କ ଚିକିତ୍ସା ଅବେହଳାରୁ ନବଜାତକର ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକେ ଅଭିଯୋଗ ଆଣିବା ପରେ ମେଡିକାଲରେ ଉତେଜନା ଖେଳିଯାଇଥିଲା ।