ଓଡ଼ିଶାରେ ସୁରକ୍ଷିତ ନାହାନ୍ତି ଶୈଶବ ! ରିପୋର୍ଟରୁ ମିଳିଲା ସାଂଘାତିକ ତଥ୍ୟ, ୩ବର୍ଷରେ ନିଖୋଜ ହୋଇଛନ୍ତି ୩,୨୭୬ ଜଣ ଶିଶୁ ।

161

କନକ ବ୍ୟୁରୋ: ଓଡ଼ିଶାରେ ଶିଶୁଙ୍କ ସୁରକ୍ଷା ନେଇ ଉଠିଛି ଏକ ବଡ ପ୍ରଶ୍ନବାଚୀ । ବିଧାନସଭା ଗୃହରେ ମନ୍ତ୍ରୀ ରଖିଥିବା ତଥ୍ୟ ଅନୁସାରେ ଚଳିତବର୍ଷ ଜାନୁୟାରୀରୁ ମାର୍ଚ୍ଚ ମାତ୍ର ତିନି ମାସ ଭିତରେ ଓଡ଼ିଶାର ମୋଟ୍ ୬୦୨ ଜଣ ନାବାଳକ ଓ ନାବାଳିକା ନିଖୋଜ ହୋଇଛନ୍ତି । ହଜିଯାଇଥିବା ଶହେ ନାବାଳକଙ୍କ ମଧ୍ୟରୁ ମାତ୍ର ୩୧ ଜଣଙ୍କୁ ଉଦ୍ଧାର କରାଯାଇଛି । ଆଉ ନାବାଳିକାଙ୍କ କ୍ଷେତ୍ରରେ ଏହି ପରିସଂଖ୍ୟାନ ଆହୁରି ଚିନ୍ତାଜନକ । କାରଣ ଏହି ତିନି ମାସ ଭିତରେ ୫୦୨ ଜଣ ନାବାଳିକା ନିଖୋଜ ହୋଇଛନ୍ତି ।

ସବୁଠାରୁ ବଡ଼ ଚିନ୍ତାଜନକ ବିଷୟ ହେଲା କି, ସେଥିରୁ ମାତ୍ର ୭୯ ଜଣଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛି ପୁଲିସ । ସେହିଭଳି ଯଦି ୨୦୧୬ରୁ ୨୦୧୯ ମାର୍ଚ୍ଚ ଯାଏ ପରିସଂଖ୍ୟାନକୁ ବିଚାରକୁ ନିଆଯାଏ, ତେବେ ୬୨୮ ନାବାଳକ, ୨୬୫୮ ନାବାଳିକାଙ୍କ ସଂପର୍କରେ କାହା ପାଖରେ କିଛି ଖବର ନାହିଁ । ୩୨୭୬ କୁନି କୁନି ପିଲା କୁଆଡେ ଗଲେ ତାକୁ ନେଇ ସୃଷ୍ଟି ହୋଇଛି ବଡ ପ୍ରଶ୍ନବାଚୀ । କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ଲିଖିତ ପ୍ରଶ୍ନର ଉତରରେ ନିଖୋଜ ନାବାଳକ ଏବଂ ନାବାଳିକାଙ୍କ ସଂପର୍କରେ ଏଭଳି କିଛି ତଥ୍ୟ ରଖିଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ।

ଓଡ଼ିଶାରେ ସୁରକ୍ଷିତ ନାହାନ୍ତି ଶୈଶବ । ବଢୁଛି ଚିନ୍ତା କିନ୍ତୁ ନିଦରୁ ଉଠୁ ନାହାନ୍ତି ସରକାର । ଦିନକୁ ଦିନ କୁନି ପିଲାଙ୍କ ପାଇଁ ଅସୁରକ୍ଷିତ ହେବାରେ ଲାଗିଛି ଓଡ଼ିଶା । ପ୍ରକାଶିତ ରିପୋର୍ଟ ମୁତାବକ, ୨୦୧୬ରୁ ୨୦୧୯ ମାର୍ଚ୍ଚ ଭିତରେ ଓଡ଼ିଶାରୁ ନିଖୋଜ ହୋଇଛନ୍ତି ୩ହଜାର ୨୭୬ ନାବଳକ ଓ ନାବାଳିକା । ଆଉ ଏମାନଙ୍କ ମଧ୍ୟରୁ ୨ ହଜାର ୬୫୮ଜଣ ନାବାଳିକା ନିଖୋଜଥିବା ଜଣାପଡ଼ିଛି । ହେଲେ ଏମାନେ କୁଆଡେ ଗଲେ ଆଉ କେଉଁଠି ଅଛନ୍ତି ତାହାର ପତ୍ତା ମିଳୁନାହିଁ । ଏହାକୁ ନେଇ ଏବେ ବିରୋଧୀ ରାଜ୍ୟ ସରକାରଙ୍କୁ ଘେରିବାରେ ଲାଗିଛନ୍ତି ।