ଛନକା ଭରୁଛି ଚିକିଟି । ବିଜେଡିକୁ ଉଷା ଭରସା, ବିଜେପି-କଂଗ୍ରେସରେ କନଫ୍ୟୁଜନ ।

78

କନକ ବ୍ୟୁରୋ: ଆସନ୍ତ ଏପ୍ରିଲ ୧୧ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ହେବ ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ । ଦକ୍ଷିଣ ଓଡ଼ିଶାରୁ ଏହି ନିର୍ବାଚନୀ ମତଦାନ ଆରମ୍ଭ ହେଉଥିବାରୁ ସରଗରମ ହେଉଛି ରାଜ୍ୟ ରାଜନୀତି । ତେବେ ଏହି ସଂସଦୀୟ କ୍ଷେତ୍ର ମଧ୍ୟରୁ ବ୍ରହ୍ମପୁର ସ˚ସଦୀୟ କ୍ଷେତ୍ରର ଏକ ବିଧାନ ସଭା ଆସନ ହେଉଛି ଚିକିଟି । ଏହା ଜିଲ୍ଲାର ଏକ ସ୍ପର୍ଶକାତର ବିଧାନସଭା କ୍ଷେତ୍ର ଭାବେ ପରିଚିତ। କାରଣ ଏହି ଆସନରୁ ବିଜେଡିର ପ୍ରାର୍ଥୀ ଏକରକମ ସ୍ପଷ୍ଟ ହୋଇ ସାରିଥିବା ବେଳେ ବିଜେପି ଓ କ˚ଗ୍ରେସର ଏଯାବତ୍ କିଏ ମୈଦାନକୁ ଓହ୍ଲାଇବ ତାହା ଉପରୁ ପରଦା ଉଠି ପାରିନାହିଁ ।

ଚିକିଟି ଏନଏସି, ଚିକିଟି ବ୍ଲକ ଓ ପାତ୍ରପୁର ବ୍ଲକକୁ ନେଇ ଗଠିତ । ୧୯୮୫ରେ ଚିକିଟି ରାଜାଙ୍କ ବୋହୂ ତଥା ବର୍ତ୍ତମାନର ମନ୍ତ୍ରୀ ଉଷାଦେବୀ ନିର୍ବାଚନ ଲଢିଥିଲେ। କ˚ଗ୍ରେସ ପ୍ରାର୍ଥୀ ଚିନ୍ତାମଣି ଦ୍ୟାନ ସାମନ୍ତରା ତାଙ୍କୁ ପରାଜିତ କରି ୧୬, ୬୦୮ ଖଣ୍ତ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ । ଆଉ ୧୯୯୦ ନିର୍ବାଚନରେ ଚିନ୍ତାମଣିଙ୍କୁ ଚେକମେଟ୍ ଦେଇ ଜନତା ଦଳର ପ୍ରାର୍ଥୀ ଉଷାଦେବୀ ୨୦, ୫୭୮ଖଣ୍ତ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ । କିନ୍ତୁ ୧୯୯୫ ନିର୍ବାଚନ ପର ଠାରୁ ପୁଣି ଚିନ୍ତାମଣି ଦ୍ୟାନ ସମାନ୍ତରା ଉଷାଦେବୀଙ୍କୁ ହରାଇ ୨୮୯୩ ଖଣ୍ତ ଭୋଟରେ ପୁଣି ଚିକିଟିକୁ କବଜା କରିଥିଲେ । କିନ୍ତୁ ୨୦୦୦ ନିର୍ବାଚନ ପରଠାରୁ ଏହି ବିଧାନ ସଭାକ୍ଷେତ୍ରରୁ ଉଷାଦେବୀ କ୍ରମାଗତ ଭାବେ ବିଜୟୀ ହୋଇ ଆସୁଛନ୍ତି । ଏବେ ନିର୍ବଚନୀ ବିଗୁଲ ବାଜି ସାରିଥିବାବେଳେ ଏହି ନିର୍ବାଚନ କ୍ଷେତ୍ରରୁ ଉଷାଦେବୀ ବିଜେଡିରୁ ପ୍ରାର୍ଥୀ ହେବା ଏକରକମ ସ୍ପଷ୍ଟ ହୋଇଛି । ତେବେ ଉଷାଦେବୀଙ୍କ ପୁଅ ମଧ୍ୟ ରାଜନୀତିରେ ପାଦ ଥାପିବାର ସମ୍ଭାବନା ରହିଥିବା କୁହାଯାଉଛି।

ସେପଟେ ୨୦୧୪ ନିର୍ବାଚନରେ ପୂର୍ବତନ ବାଚସ୍ପତି ଚିନ୍ତାମଣି ଦ୍ୟାନ ସମାନ୍ତରାୟ ନିର୍ବାଚନ ଲଢି ନ ଥିଲେ। ତାଙ୍କ ସାନପୁଅ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ କ˚ଗ୍ରେସରୁ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ। ଏହାପରେ ସେ ‘ହାତ’ ଛାଡ଼ି ପଦ୍ମ ପୋଖରୀକୁ ବୁଡ଼ ମାରିଛନ୍ତି । ବର୍ତ୍ତମାନ ଚିକିଟି ନିର୍ବାଚନମଣ୍ତଳୀରୁ ସେ ଭାଜପାରୁ ପ୍ରାର୍ଥୀ ହେବାକୁ ଆଶା ରଖିଛନ୍ତି । ତାଙ୍କ ବ୍ୟତୀତ ଗତଥର ଭାଜପାରୁ ପ୍ରାର୍ଥୀ ହୋଇଥିବା ଉଦୟ ନାଥ ପ୍ରଧାନ ମଧ୍ୟ ଏଥର ପ୍ରାର୍ଥୀ ପାଇଁ ଦୌଡରେ ରହିଛନ୍ତି।

ଅନ୍ୟପକ୍ଷରେ କ˚ଗ୍ରେସ ଟଳମଳ ସ୍ଥିତିରେ ରହିଛି। ପୂର୍ବତନ ବାଚସ୍ପତି ଚିନ୍ତାମଣି ଦ୍ୟାନ ସାମନ୍ତରାୟଙ୍କ ସାନ ପୁଅ ଭାଜପାରେ ମିଶି ସାରିଥିବାବେଳେ ଚିନ୍ତାମଣି ବ୍ରହ୍ମପୁର ଲୋକସଭା ଟିକେଟ୍ ପାଇଁ ଆଶାୟୀ ରହିଛନ୍ତି । ସେହିପରି ତାଙ୍କ ବଡପୁଅ ରବୀନ୍ଦ୍ର ଦ୍ୟାନ ସମାନ୍ତରାୟ ଏବ˚ କଂଗ୍ରେସ ନେତା ପ୍ରମୋଦ କୁମାର ଦାସ ଦଳୀୟ ଟିକେଟ୍ ପାଇବାକୁ ଜୋରଦାର ପ୍ରସ୍ତୁତି କରୁଥିବା ଚର୍ଚ୍ଚା ହେୁଛି । ଏପରିକି ଯଦି ଭାଜପା ମନୋରଞ୍ଜନକୁ ପ୍ରାର୍ଥୀ କରେ ଏବଂ କ˚ଗ୍ରେସ ରବୀନ୍ଦ୍ରକୁ ପ୍ରାର୍ଥୀ କରେ, ଗୋଟିଏ ପରିବାର ଦୁଇ ଭାଇ ଦୁଇଟି ଦଳରୁ ପ୍ରତିଦ୍ବନ୍ଦ୍ବିତା କରିବେ। ଯାହା ଚିକିଟି ରାଜନୀତିକୁ ରୋଚକ କରିଛି । ସବୁଠାରୁ ବଡ଼ କଥା ହେଲା ଯେ, ଆସନ୍ତା ୧୭ ତାରିଖରେ ୧୦୫ଟି ବିଧାନସଭା ଏବଂ ୧୫ଟି ଲୋକସଭା କ୍ଷେତ୍ରର ପ୍ରାର୍ଥୀ ତାଲିକା ଘୋଷଣା କରିବା ଆପାତଃତ ସ୍ଥିର ହୋଇଛି ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ।