ବୟସ୍କଙ୍କୁ ନେଇ ବାଗଚୀଙ୍କ ବଡ ବାର୍ତ୍ତା: ପିଲାଙ୍କ ଭଳି ବୟସ୍କଙ୍କ ଯତ୍ନ ନିଅନ୍ତୁ, ମାନସିକ ସ୍ଥିତି ଭଲ ରଖିବାକୁ ମନକଥା ବୁଝନ୍ତୁ । ସଙ୍କଟ ସମୟରେ ସମ୍ପର୍କ ଯୋଡିବାକୁ ଆଗେଇ ଆସନ୍ତୁ…

644

କନକ ବ୍ୟୁରୋ: କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ ଆଜି ବୟସ୍କ ଲୋକଙ୍କ ଦାୟିତ୍ୱ ଓ ସେମାନଙ୍କ ଯତ୍ନ ନେବା ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି । କରୋନା ପାଇଁ ବୟସ୍କ ଲୋକ ଏବଂ ଛୋଟ ପିଲା ଘରୁ ନବାହାରିବା ପାଇଁ ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାରଙ୍କ କରୋନା ସଚେତନତା କମିଟିର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ । ୬୫ ବର୍ଷ ବୟସରୁ ଅଧିକ ବୃଦ୍ଧବୃଦ୍ଧା ଘରେ ରୁହନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି ।

ତେବେ ଓଡିଶାରେ ବୟସ୍କ ଲୋକଙ୍କ ସଂଖ୍ୟା ଅଧିକ ଥିବାରୁ କରୋନା ମୁକାବିଲା ପାଇଁ ସେମାନଙ୍କ ଦାୟିତ୍ୱ ନେବା ଉଚିତ । କରୋନା ଭୁତାଣୁ ସଂକ୍ରମଣରେ ବୟସ୍କମାନେ ଆକ୍ରାନ୍ତ ହେବାର ଆଶଙ୍କା ଥିବାରୁ ସେମାନଙ୍କ ସେବା ଏବଂ ସୁରକ୍ଷା ପ୍ରତି ଅଧିକ ଧ୍ୟାନ ଦେବାକୁ ସୁବ୍ରତ ସମସ୍ତଙ୍କୁ ଅପିଲ କରିଛନ୍ତି ।

 

ବୟସ୍କ ଲୋକଙ୍କୁ ଖାଲି ଘରେ ରଖି ଦେଲେ ହେବନି ସେମାନଙ୍କ ପ୍ରତିଟି ପରିସ୍ଥିତିକୁ ପରିବାର ଲୋକେ ବୁଝିବା ଦରକାର । ଘରର ବୟସ୍କ ଲୋକଙ୍କୁ ଅଣଦେଖା କରିବା ଅନୁଚିତ । ସେମାନେ ଯେମିତି ଏକୁଟିଆ ଅନୁଭବ ନକରନ୍ତି ସେଥିପାଇଁ ତାଙ୍କ ସହ କଥା ହୁଅନ୍ତୁ, ମନ କଥା ବୁଝନ୍ତୁ, ସ୍ନେହ କରନ୍ତୁ । ସେମାନେ ଯାହା କହୁଛନ୍ତି ଶୁଣନ୍ତୁ, ଏବଂ ତାଙ୍କ ଇଚ୍ଛା ପୂରଣ କରନ୍ତୁ । ସବୁଦିନ ସେମାନଙ୍କ ମନ ପସନ୍ଦର ରୋଷେଇ କରି ଖୁଆନ୍ତୁ ବୋଲି ସୁବ୍ରତ ବାଗଚୀ କହିଛନ୍ତି ।

ତେବେ କରୋନା ଭୂତାଣୁ ନେଇ ବୟସ୍କ ଲୋକଙ୍କୁ ଭୟଭୀତ କରନ୍ତୁନି । ସବୁବେଳେ ସେମାନଙ୍କୁ କରୋନା କଥା କୁହନ୍ତୁନି କି କରୋନାର ସ୍ଥିତି ସମ୍ପର୍କରେ ବାରମ୍ବାର ଟିଭି ଦେଖାଇ ବିଚଳିତ କରାନ୍ତୁ ନାହିଁ । ସେମାନଙ୍କ ମନ ସ୍ଥିର ରଖିବାକୁ ଆଉ ସୁସ୍ଥ ରଖିବାକୁ ତାଙ୍କ ପ୍ରିୟ ବହି କିମ୍ବା ପତ୍ର ପତ୍ରିକା କିଣି ପଢିବାକୁ ଦିଅନ୍ତୁ । ଜେଜେ, ଜେଜେମାଙ୍କ ପୁରୁଣା ସ୍ମୃତି ରୋମନ୍ଥନ କରନ୍ତୁ । ତାଙ୍କ ପିଲା ଦିନର ଦୁଷ୍ଟାମି, ଜେଜେମାର ଜେଜେ ସହ ବାହାଘର ଅନୁଭୁତି କଥା କହିବାକୁ କହି ତାଙ୍କ ସହ ମଜା ମସ୍ତି କରନ୍ତୁ । ଘର ଭିତରେ ରହୁଥିବାରୁ କାଳେ ସେମାନେ ଏକୁଟିଆ ଅନୁଭବ କରୁଥିବେ ତେଣୁ ସେମାନଙ୍କୁ ତାଙ୍କ ସମୟର ସିନେମା, ଗୀତ ଶୁଣାନ୍ତୁ । ସବୁ ପରେ ନିଜ ସହ ତାଙ୍କର ବି ପରିଛନ୍ନତା ଉପରେ ଗୁରୁତ୍ୱ ଦେଲେ ବୟସ୍କ ଲୋକମାନେ ମାନସିକ ସ୍ତରରେ ଭାଙ୍ଗି ନପଡି ସୁରକ୍ଷିତ ରହିବେ ବୋଲି ସୁବ୍ରତ ବାଗଚୀ କହିଛନ୍ତି ।