କନକ ବ୍ୟୁରୋ : କ୍ରିକେଟ୍ ଇତିହାସରେ ସବୁଠୁ ବଡ଼ ଖୁଲାସା । ଷ୍ଟିଙ୍ଗ ଅପରେସନ୍ରେ ଫସିଲେ ମୁଖ୍ୟ ଚୟନକର୍ତା ଚେତନ ଶର୍ମା । କହିଛନ୍ତି ଭାରତୀୟ କ୍ରିକେଟରମାନେ ନିଜକୁ ଫିଟ୍ ରଖିବା ପାଇଁ ଇଞ୍ଜେକ୍ସନ୍ ନେଉଛନ୍ତି । ଯନ୍ତ୍ରଣା ଉପଶମ ପାଇଁ ଇଞ୍ଜେକ୍ସନ ନେଉଥିବା କହିଛନ୍ତି ଚେତନ ଶର୍ମା । ଆହତ ଥିବା ସତ୍ୱେ ଦଳର ଚୟନ ବେଳେ ଫିଟ୍ ରହିବାକୁ ଇଞ୍ଜେକ୍ସନ୍ ଉପରେ ନିର୍ଭର କରୁଛନ୍ତି । ଏକ ଘରୋଇ ଟିଭି ଚ୍ୟାନେଲ ପକ୍ଷରୁ କରାଯାଇଥିବା ଷ୍ଟିଙ୍ଗ ଅପରେସନ୍ ବେଳେ ଏପରି କିଛି ବିସ୍ଫୋରକ ବୟାନ ଦେଇଛନ୍ତି ଚେତନ ଶର୍ମା । ଭାରତୀୟ ଦଳର କିଛି ବଡ଼ ବଡ଼ କ୍ରିକେଟର ବି ଏପରି ଇଞ୍ଜେକ୍ସନ୍ ନେଇଛନ୍ତି ବୋଲି ଚେତନ ଶର୍ମା କହିଛନ୍ତି । ଖେଳାଳି ଚୟନ ପୂର୍ବରୁ କିଛି ଖେଳାଳି ୮୦ରୁ ୮୫ ପ୍ରତିଶତ ଶାରୀରିକ ଭାବେ ଅଯୋଗ୍ୟ ଥାନ୍ତି । ହେଲେ ସେହି ଖେଳାଳିମାନଙ୍କୁ ଦଳରେ ରଖିବା ପାଇଁ ଅନୁରୋଧ ଆସିଥାଏ । କିଛି ଷ୍ଟାର ଖେଳାଳି ସଂପୂର୍ଣ୍ଣ ଅସୁସ୍ଥ ଥିଲେ ମଧ୍ୟ ଏନ୍ସିଏ ସେମାନଙ୍କୁ ସବୁଜ ସଙ୍କେତ ଦେଇଥାଏ ।

Advertisment

କେବଳ ଏତିକି ନୁହେଁ ବିରାଟ କୋହଲୀ, ରୋହିତ ଶର୍ମା ଓ ସୌରଭ ଗାଙ୍ଗୁଲିଙ୍କ ଉପରେ ବଡ଼ ବଡ଼ କଥା କହିଛନ୍ତି ଚେତନ ଶର୍ମା । ୨୦୨୧ରେ ଟି-୨୦ ବିଶ୍ୱକପ୍ ପୂର୍ବରୁ କୋହଲୀ ଦଳର ନେତୃତ୍ୱ ଛାଡିବା ପାଇଁ ଚାହିଁଥିଲେ । ଏସଂପର୍କରେ କୋହଲୀ ସାମ୍ବାଦିକ ସମ୍ମିଳନୀରେ ଯାହା କହିଥିଲେ ତାହାକୁ ଗାଙ୍ଗୁଲି ଗ୍ରହଣ କରିପାରିନଥିଲେ । ପରେ ନିଷ୍ପତିର ପୁନର୍ବିଚାର କରିବାକୁ କହିଥିଲେ ଗାଙ୍ଗୁଲି । କିନ୍ତୁ କୋହଲୀ ଅଗ୍ରାହ୍ୟ କରିଦେଇଥିଲେ । ଏହା ପରଠୁ କୋହଲୀ ଓ ଗାଙ୍ଗୁଲିଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିବା ଆଲୋଚନା ହୋଇଥିଲା । ରୋହିତ ଓ କୋହଲୀଙ୍କ ମଧ୍ୟରେ ବିବାଦ ନାହିଁ ଅହଂକାର ରହିଛି ବୋଲି କହିଛନ୍ତି ଚେତନ ଶର୍ମା । ଶୁବମନ ଗିଲଙ୍କୁ ଟି-୨୦ ଦଳରେ ସ୍ଥାନ ଦେବା ପାଇଁ ରୋହିତ ଓ କୋହଲୀଙ୍କ ଭଳି ଖେଳାଳିଙ୍କୁ ହଟାଇବାକୁ ପଡ଼ିଥିବା କହିଛନ୍ତି ଚେତନ ଶର୍ମା ।