ଧର୍ମଘଟରୁ କ୍ଷାନ୍ତ ରୁହନ୍ତୁ ଡ୍ରାଇଭର… ଆନ୍ଦୋଳନରୁ ଓହରିଯିବାକୁ ଡ୍ରାଇଭର ମହାସଂଘକୁ ପୁଣି ନିବେଦନ କଲେ ମୁଖ୍ୟ ଶାସନ ସଚିବ ।

581

କନକ ବ୍ୟୁରୋ: ଆନ୍ଦୋଳନରୁ ଓହରିଯିବାକୁ ପୁଣି ଡ୍ରାଇଭର ମହାସଂଘକୁ ନିବେଦନ କଲେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । କହିଲେ, କାଲି ଆଲୋଚନା ପରେ ଲିଖିତ ପ୍ରତିଶ୍ରୁତି ଦିଆଯାଇଥିଲା । ୩ ମାସ ମଧ୍ୟରେ ସେମାନଙ୍କ ଦାବି ଗୁଡିକ ପୂରଣ କରାଯିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଥିଲା । ଡ୍ରାଇଭର ମହାସଙ୍ଘର ଆବାହକଙ୍କୁ ଲିଖିତ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହାର କରିବା ନିଷ୍ପତ୍ତି ଆମକୁ ଜଣାଇବେ ବୋଲି କହିଥିଲେ । ମାତ୍ର ଆଜି ପୁଣି ଥରେ ଆନ୍ଦୋଳନ କରିଛନ୍ତି ।

ଧର୍ମଘଟ ପାଇଁ ସାଧାରଣ ଜନତା ଯେମିତି ହଇରାଣ ନହୁଅନ୍ତି, ପରୀକ୍ଷାର୍ଥୀ ଯେମିତି ହଇରାଣ ନହୁଅନ୍ତି ଏବଂ ରୋଗୀ ଯେମିତି ହନ୍ତସନ୍ତ ନହୁଅନ୍ତି । ତେଣୁ ଡ୍ରାଇଭରମାନେ ତୁରନ୍ତ ଧର୍ମଘଟରୁ କ୍ଷାନ୍ତ ରୁହନ୍ତୁ । ରାଜ୍ୟ ସରକାର ସେମାନଙ୍କ ଦାବି ନିଶ୍ଚିତ ପୂରା କରିବେ ବୋଲି ପୁଣି ନିବେଦନ ସହ ପ୍ରତିଶ୍ରୁତି ଦୋହରାଇଛନ୍ତି ମୁଖ୍ୟ ଶାସନ ସଚିବ ।

ସେପଟେ ପେଟ୍ରୋଲ, ଡିଜେଲ ନେଇ ଯେଉଁ ସ୍ଥାନମାନଙ୍କରେ ସମସ୍ୟା ଦେଖା ଦେଇଥିଲା ତାହା ସୁଧୁରିବାରେ ଲାଗିଛି । ପେଟ୍ରୋଲ, ଡିଜେଲ, ଏଟିଏମ, ଗ୍ୟାସ ସେବାରେ ସୁଧାର ଆସୁଛି । ପୋଲିସ, ପ୍ରଶାସନ ସେମାନଙ୍କ କାମ କରୁଛନ୍ତି । ତେଣୁ ଜନତା ସେଥିପାଇଁ ବ୍ୟସ୍ତ ନହେବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।