ବାତ୍ୟା ଋତୁ ପାଇଁ ପ୍ରସ୍ତୁତ ରହିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ । ପଢନ୍ତୁ, କ'ଣ କହିଲେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର?

ବାତ୍ୟା ଋତୁ ପାଇଁ ପ୍ରସ୍ତୁତ ରହିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ । ପଢନ୍ତୁ, କ'ଣ କହିଲେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର?

କନକ ବ୍ୟୁରୋ: ଓଡ଼ିଶାର ଭୌଗଳିକ ସ୍ଥିତି ଓ ଜଳବାୟୁ ସର୍ବଦା ବନ୍ୟା, ବାତ୍ୟା ପ୍ରବଣ ହୋଇ ରହିଛି । ଚଳିତ ମାସଠାରୁ ଫେରନ୍ତା ଦକ୍ଷିଣ ପଶ୍ଚିମ ମୌସୁମୀ-ବାୟୁ ପ୍ରଭାବରେ ଓଡ଼ିଶାରେ ଭୀଷଣ ବାତ୍ୟା ଅନୁଭୁତ ହୁଏ । ବେଳେବେଳେ ଏହି ସମୟ ଅବଧି ଡିସେମ୍ବର ୧୫ ପର୍ଯ୍ୟନ୍ତ ମଧ୍ୟ ରହିଥାଏ । ଏସବୁକୁ ବିଚାର କରି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର , ବାତ୍ୟା-ଋତୁ ପାଇଁ ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ସଂପୃକ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ନିର୍ଦ୍ଧାରିତ ଏସ୍.ଓ.ପି. ଅନୁସାରେ ଆବଶ୍ୟକୀୟ ପଦାର୍ଥ, ଯନ୍ତ୍ରପାତି, ଉପକରଣ ଏବଂ ମାନବ ସମ୍ବଳ ଆଦିର ମାନଚିତ୍ର ପ୍ରସ୍ତୁତ ସହ ସେସବୁକୁ ପୂର୍ଣ୍ଣ କର୍ମକ୍ଷମ ରଖିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ଆଜି ରାଜ୍ୟସ୍ତରୀୟ ବାତ୍ୟା ପ୍ରସ୍ତୁତି ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟ ଶାସନ ସଚିବ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟ ଲୋକସେବା ଭବନ ସଭାଗୃହରେ ଅନୁଷ୍ଠିତ ଏହି ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ସମ୍ଭ୍ୟାବ୍ୟ ବାତ୍ୟା ମୁକାବିଲା ପ୍ରସ୍ତୁତିର ବିଭିନ୍ନ ଦିଗ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ । ଭାରତୀୟ ପାଣିପାଗ ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକ ଏଚ୍.ଆର.ବିଶ୍ୱାସ ଜଣାଇଥିଲେ ଯେ ଓଡ଼ିଶାର ବର୍ତ୍ତମାନ ଜଳବାୟୁସ୍ଥିତି ବାତ୍ୟା ଅନୁକୂଳ ରହିଛି ହେଲେ ଆସନ୍ତା ୧୫ ଦିନ ଭିତରେ ବାତ୍ୟାର ସୂଚନା ମିଳିନାହିଁ । ବୈଠକର ଆଲୋଚନାରୁ ଜଣାପଡ଼ିଥିଲା ଯେ ଇତିମଧ୍ୟରେ ଓଡ଼ିଶାରେ ବାତ୍ୟାର ପୂର୍ବାନୁମାନ ଏବଂ ଆଗୁଆ ସତର୍କ ସୂଚନା ପ୍ରସାରଣ ଭିତ୍ତିଭୂମିକୁ ସୁଦୃଢ କରାଯାଇଛି । ଜିଲ୍ଲା ଓ ଅଞ୍ଚଳଭିତ୍ତିକ ପାଣିପାଗ ସୂଚନା ଦିଆଯାଉଛି । ଏକ ବାତ୍ୟାର ପ୍ରଭାବ ଭିତ୍ତିକ ପୂର୍ବାନୁମାନ ବ୍ୟବସ୍ଥା କରାଯାଇଛି ।

ଗୋପାଳପୁର ଓ ପାରାଦ୍ୱୀପଠାରେ ଡପଲର ପାଣିପାଗ ରାଡାର ଷ୍ଟେସନ ସହ ବାଲେଶ୍ୱର, ଚାନ୍ଦବାଲି, ପୁରୀ, ଭୁବନେଶ୍ୱର, ଗୋପାଳପୁର ଏବଂ ପାରାଦ୍ୱୀପ ଆଦି ସ୍ଥାନରେ ଉଚ୍ଚ କ୍ଷମତା ସମ୍ପନ୍ନ ବାୟୁଗତି ପରିମାପକ ଯନ୍ତ୍ରମାନ ସ୍ଥାପନ କରାଯାଇଛି । ଏହି ଯନ୍ତ୍ର ଘଣ୍ଟା ପ୍ରତି ପ୍ରାୟ ୩୦୦ କି.ମି. ପବନ ସ୍ଥିତିରେ ମଧ୍ୟ କାର୍ଯ୍ୟ କରିପାରିବ । ଏସବୁ ଆଧୁନିକ ଭିତ୍ତିଭୂମି ସ୍ଥିତିର ପର୍ଯ୍ୟବେକ୍ଷଣ କରିବାସହ ପାଗ ପୂର୍ବାନୁମାନ ଅନୁଶୀଳନରେ ସହାୟକ ହେଉଛି । ବାତ୍ୟାରେ ଟେଲିଫୋନ୍ ଏବଂ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା ଅଧିକ କ୍ଷତିଗ୍ରସ୍ତ ହେଉଥିବାରୁ ମୋବାଇଲ୍ ଟେଲିକମ୍-ଟାଓ୍ୱାର,ସାଟେଲାଇଟ୍ ଫୋନ୍ ଜେନେରେଟର, ବିଦ୍ୟୁତ ଖୁଣ୍ଟ, କଣ୍ଡକ୍ଟର, ସବଷ୍ଟେସନ୍, ଏବଂ ଯଥେଷ୍ଟ ସଂଖ୍ୟକ ମାନବ ସମ୍ବଳ ଆଦିର ଆକଳନ ଏବଂ ଆବଶ୍ୟକ ବେଳେ ତୁରନ୍ତ ନିୟୋଜିତ ପାଇଁ ପ୍ରସ୍ତୁତ ରହିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ ।

ଏହାଛଡା ପାନୀୟ ଜଳ ପାଇଁ ଗ୍ରାମ ଓ ସହରାଞ୍ଚଳରେ ଥିବା ହ୍ୟାଣ୍ଡ ପମ୍ପଗୁଡିକୁ କର୍ମକ୍ଷମ ରଖିବା ସହ ବାତ୍ୟା ଅତିକ୍ରାନ୍ତ ହେବା ସଙ୍ଗେ ସଙ୍ଗେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କର୍ମକ୍ଷମ କରିବାକୁ ପୂର୍ଣ୍ଣ ପ୍ରସ୍ତୁତି ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । ଯଥେଷ୍ଟ ପରିମାଣର ବ୍ଲିଚିଂ, ହେଲୋଜେନ୍ ବଟିକା, ଔଷଧ, ଆମ୍ବୁଲାନ୍ସ୍ ଏବଂ ଡ଼ାକ୍ତରୀ ଟିମ୍ ଆଦି ବିଷୟରେ ପୂର୍ବ ପ୍ରସ୍ତୁତି କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । ଓ଼ଡ୍ରାଫ୍ ଏବଂ ଅଗ୍ନିଶ୍ରମ ସଂସ୍ଥା ଟିମମାନଙ୍କର ସବୁ ଉପକରଣକୁ ସଠିକଭାବେ ଯାଞ୍ଚ୍ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ ।
ବାତ୍ୟା ପ୍ରବଣ ଉପକୂଳବର୍ତ୍ତୀ ଗ୍ରାମମାନଙ୍କରେ ବାତ୍ୟା ପ୍ରସ୍ତୁତି ସଚେତନତା କାର୍ଯ୍ୟକ୍ରମ ଜାରି ରଖିବା ସହ ଆସନ୍ନ ପ୍ରସବ, ବୟସ୍କ, ଦିବ୍ୟାଙ୍ଗ, ଅସହାୟମାନଙ୍କର ତାଲିକା ପ୍ରସ୍ତୁତ ରଖିବାକୁ ମହିଳା ଏବଂ ଶିଶୁ ବିକାଶ ବିଭାଗଙ୍କୁ କୁହାଯାଇଥିଲା । ଆବଶ୍ୟକ ବେଳେ ନିରାପଦ ସ୍ଥାନକୁ ସହାୟତା-ଭିତ୍ତିକ ସ୍ଥାନାନ୍ତର କରିବାରେ ଏହି ତାଲିକା ବହୁ ପରିମାଣରେ ଫଳପ୍ରଦ ହେବ ।

ତୁରନ୍ତ ଗମନାଗମନ ସୁବିଧାର ପୁନଃସ୍ଥାପନ, ରାସ୍ତା ଓ ନଦୀବନ୍ଧ ମରାମତି, ବାତ୍ୟା ସମୟରେ ଲୁଣାଘେରି ବନ୍ଧର ସୁରକ୍ଷା, ପାନୀୟ ଜଳ, ସହରାଞ୍ଚଳରେ ଉଦବୃତ ବର୍ଷା ଜଳ ନିଷ୍କାସନ, ହସ୍ପିଟାଲ୍ ଗୁଡିକରେ ବିକଳ୍ପ ବିଦ୍ୟୁତ ବ୍ୟବସ୍ଥା, ଗୋ ଖାଦ୍ୟ ଯୋଗାଣ, ପରିମଳ ବ୍ୟବସ୍ଥା ପାଇଁ କଣ୍ଟିଜେଣ୍ଟ୍ ପ୍ଲାନ୍ ସହ ଆବଶ୍ୟକୀୟ ସାମଗ୍ରୀ ଓ ମାନବ ସମ୍ବଳ, କୃଷକମାନଙ୍କୁ ଉପଯୁକ୍ତ ପରାମର୍ଶ ଓ ସୂଚନା ପ୍ରଦାନ, ଧାନ-କିଣା ମଣ୍ଡିରେ ସଂଗୃହିତ ଧାନର ସୁରକ୍ଷା ଓ ପରିବହନ ଆଦି କାମ ପାଇଁ ପ୍ରସ୍ତୁତ ରହିବାକୁ ମୁଖ୍ୟ ଶାସନ ସଚିବ ସଂପୃକ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତଦନୁଯାୟୀ କ୍ଷେତ୍ରସ୍ତରୀୟ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ସଜାଗ ରଖିବା ପାଇଁ ମଧ୍ୟ ବିଭାଗମାନଙ୍କୁ କୁହାଯାଇଥିଲା ।

ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ଼ଃ ମୋନା ଶର୍ମା, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ସମେତ ବାତ୍ୟା ପରିଚାଳନା ସହ ସଂପୃକ୍ତ ସମସ୍ତ ବିଭାଗର ପ୍ରମୁଖ ଶାସନ ସଚିବ, ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନେ ଆବଶ୍ୟକୀୟ ତଥ୍ୟ ଉପସ୍ଥାପନ କରିଥିଲେ । ନାଭାଲ୍, ଆର୍ମି, କୋଷ୍ଟଗାର୍ଡ଼ ଓ ଭାରତୀୟ ପାଣିପାଗ ବିଭାଗ ଆଦିର ବରିଷ୍ଠ ଅଧିକାରୀମାନେ ମଧ୍ୟ ବୈଠକରେ ନିଜ ନିଜ ବିଭାଗର ପ୍ରସ୍ତୁତି ଓ ଆବଶ୍ୟକତା ସଂପର୍କିତ ସୂଚନା ଦେଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe