କନକ ବ୍ୟୁରୋ: ଶ୍ରୀମନ୍ଦିରର ଆଲୋକିକରଣ ପାଇଁ ଲଗାଯାଇଥିଲା ଲାଇଟ୍ ଖୋଲି ଦିଆଯିବା ଘଟଣା । ଜିଲ୍ଲାପାଳଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟ ସଚିବ ପ୍ରଦୀପ ଜେନା । କାହିଁକି ଶ୍ରୀମନ୍ଦିରର ଚାରିପାଖରୁ ଲାଇଟ କଢ଼ାଯାଇଛି ତାହାର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ୩ ଦିନ ହେଲା ଅନ୍ଧାର ହୋଇଛି ଶ୍ରୀମନ୍ଦିର ଚାରିପଟ ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସହ ମନ୍ଦିରକୁ ସଂପୂର୍ଣ୍ଣ ଆଲୋକିକରଣ କରାଯାଇଥିଲା । ମନ୍ଦିର ଚାରିପାର୍ଶ୍ୱରେ ଏକାଧିକ ଲେଜର ଲାଇଟ୍ ଲଗାଯାଇଥିଲା । ଉତ୍ତର ଦ୍ୱାର, ଦକ୍ଷିଣଦ୍ୱାର, ପଶ୍ଚିମଦ୍ୱାରରେ ବକ୍ସ ଭଳି ଏକାଧିକ ସ୍ଥାନରେ ବଡ଼ ବଡ଼ ଫୋକସିଂ ଲାଇଟ୍ ସବୁ ଲାଗିଥିଲା । ଏହି ଉଚ୍ଚକ୍ଷମତା ସଂପନ୍ନ ଲାଇଟ୍ ସିଧାସଳଖ ଶ୍ରୀମନ୍ଦିର ଓ ନୀଳଚକ୍ରରେ ପଡ଼ୁଥିଲା । ଫଳରେ ମେଘନାଦ ପାଚେରିଠାରୁ ଶ୍ରୀମନ୍ଦିର ନୀଳଚକ୍ର ପର୍ଯ୍ୟନ୍ତ ସ୍ପଷ୍ଟ ଦୃଶ୍ୟମାନ ହେଉଥିଲା । ଘନ ଅନ୍ଧକାରରେ ବି ଶ୍ରୀମନ୍ଦିର ସୌନ୍ଦର୍ଯ୍ୟ ଦୂରକୁ ସ୍ପଷ୍ଟ ଦୃଶ୍ୟମାନ ହେଉଥିଲା ।