କ୍ୟାବିନେଟ୍ ସଚିବଙ୍କ ସହ ଆଲୋଚନା କଲେ ରାଜ୍ୟ ସରକାର । ବିଦ୍ୟୁତ୍ ସେବା, ଇଣ୍ଟରନେଟ୍ ଏବଂ ବ୍ୟାଙ୍କିଙ୍ଗ୍ ସେବାର ଅଗ୍ରଗତି ପାଇଁ ସହଯୋଗ ଲୋଡ଼ିଲେ ।

96

କନକ ବ୍ୟୁରୋ: ବାତ୍ୟା ‘ଫୋନି’ରେ ସମ୍ପୂର୍ଣ୍ଣ ଧ୍ୱସ୍ତ ବିଧ୍ୱସ୍ତ ହୋଇଥିବା ବିଦ୍ୟୁତ୍ ଓ ମୋବାଇଲ ସେବା ପୁନଃରୁଦ୍ଧାରରେ ଅଗ୍ରଗତି ନେଇ କ୍ୟାବିନେଟ୍ ସଚିବଙ୍କ ସହ ସମୀକ୍ଷା କଲେ ରାଜ୍ୟ ମୁଖ୍ୟ ଶାସନ ସଚିବ । ସଚିବାଳୟରୁ ଭିଡ଼ିଓ କନଫରେସିଂ ଜରିଆରେ ହୋଇଥିବା ବୈଠକରେ ମୋବାଇଲ ଓ ବିଦ୍ୟୁତ୍ ବ୍ୟବସ୍ଥା ପୁନଃରୁଦ୍ଧାର କାର୍ଯ୍ୟ ପାଇଁ ରାଜ୍ୟର ଆବଶ୍ୟକତାକୁ କ୍ୟାବିନେଟ୍ ସଚିବ ପ୍ରଦୀପ କୁମାର ସିହ୍ନାଙ୍କୁ ଅବଗତ କରାଇଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ । ବର୍ତ୍ତମାନ ସୁଦ୍ଧା ପୁରୀ, ଭୁବନେଶ୍ୱର ଓ ଖୋର୍ଦ୍ଧା ଆଦି ବିଶେଷ କ୍ଷତିଗ୍ରସ୍ତ ସହରାଞ୍ଚଳରେ ୧୦୦% ଜଳ ଯୋଗାଣ ବ୍ୟବସ୍ଥାକୁ କାର୍ଯ୍ୟକ୍ଷମ କରାଯାଇଛି । ଗ୍ରାମାଞ୍ଚଳରେ ସମସ୍ତ ନଳକୂପକୁ ବିଶୋଧନ ଏବଂ କାର୍ଯ୍ୟକ୍ଷମ କରାଯାଇଛି ।

ପୁରୀରେ ଡ଼ାଟା ସଂଚାରଣ ଇଣ୍ଟରନେଟ୍ କାମ କରୁନଥିବାରୁ ବର୍ତ୍ତମାନ ସୁଦ୍ଧା, ୨୭୩ଟି ଏଟିଏଏମ ମଧ୍ୟରୁ ୨୦ଟି ଏଟିଏଏମ ମେସିନ୍ କାର୍ଯ୍ୟକ୍ଷମ କରୁଛି । ପୁରୀରେ ଥିବା ସମସ୍ତ ବ୍ୟାଙ୍କ ମାନେ ନିଜ ନିଜ ବ୍ରାଞ୍ଚକୁ ପୂର୍ଣ୍ଣମାତ୍ରାରେ କାର୍ଯ୍ୟକ୍ଷମ କରାଇବାକୁ ମଧ୍ୟ ମୁଖ୍ୟ ଶାସନ ସଚିବ ଅନୁରୋଧ କରିଛନ୍ତି । ବିଦ୍ୟୁତ୍ ବ୍ୟବସ୍ଥା ପୁନଃରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି । ଇତି ମଧ୍ୟରେ ଆନ୍ଧ୍ରପ୍ରଦେଶରୁ ୨୦୦, ପଶ୍ଚିମବଙ୍ଗରୁ ୫୦ ଏବଂ ତେଲେଙ୍ଗାନାରୁ ୫୦ ବିଦ୍ୟୁତ୍ ଗ୍ୟାଙ୍ଗ୍ ଆସି ରାଜ୍ୟରେ ବିଦ୍ୟୁତ୍ କାର୍ଯ୍ୟ ଚାଲୁ ରଖିଛନ୍ତି । ତେଣୁ ଏହାକୁ ଅଧିକ ତ୍ୱରାନ୍ୱିତ କରିବାକୁ କର୍ଣ୍ଣାଟକ ରାଜ୍ୟରୁ ୧୦୦ ବିଦ୍ୟୁତ୍ ଗ୍ୟାଙ୍ଗ୍ ସହ ଓଡ଼ିଶାକୁ ୩୬ଟି ବିଦ୍ୟୁତ୍ ଖୁଣ୍ଟି ଇରେକ୍ଟର ମେସିନ୍ ପଠାଇବା ପାଇଁ ଅନୁରୋଧ କରିଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ।

ଅନ୍ୟପଟେ ରାଜ୍ୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅସୀତ୍ ତ୍ରିପାଠୀ ଜଣାଇଥିଲେ କି, ଗତ ୩ ଦିନ ମଧ୍ୟରେ ମୋବାଇଲ ସେବା ଯୋଗାଯୋଗରେ ଉନ୍ନତି ପରିଲିକ୍ଷିତ ହେଉଛି । ତେଣୁ ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱର ଓ ଖୋର୍ଦ୍ଧାରେ ୨୯ ପ୍ରତିଶତ, ପୁରୀରେ ୯ ପ୍ରତିଶତ ଏବଂ କଟକରେ ୩୫ ପ୍ରତିଶତ ମୋବାଇଲ ସେବା ଅଗ୍ରଗତି ହୋଇଛି । କିନ୍ତୁ ଯୋଗାଯୋଗ ସେବାରେ ଉନ୍ନତି ପାଇଁ ପୁରୀରେ ସ୍ୱତନ୍ତ୍ର ଅସ୍ଥାୟୀ ବୈଷୟିକ ସ୍ଥାପନ ନିମନ୍ତେ ଚିହ୍ନଟ କରାଯାଇଛି । ଏହା ସ୍ଥାପିତ ହେଲେ ଯୋଗାଯୋଗରେ ଅଧିକ ଉନ୍ନତି ଆଣିବ ବୋଲି କ୍ୟାବିନେଟ୍ ସଚିବଙ୍କୁ ଅବଗତ କରାଇଛନ୍ତି ଅରତିକ୍ତ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ।