କନକ ବ୍ୟୁରୋ: ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଦ୍ଦେର୍ଶକ୍ରମେ ଆଜି ରାଉରକେଲା ଗସ୍ତରେ ଯାଇଛନ୍ତି ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ଟିମ । ଏହି ଟିମରେ ଅଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ‌, ଜାତୀୟ ସ୍ବାସ୍ଥ୍ୟ ମିଶନ, ଓଡ଼ିଶା ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଏବଂ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ତଥା କ୍ରୀଡ଼ା ବିଭାଗ ସଚିବ ଆର. ଭିନିଲ‌ କ୍ରିଷ୍ଣା । ଆଜି ରାଉରକେଲା ଗସ୍ତରେ ଆସି ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ସହିତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ।

Advertisment

ଏହି ଉଚ୍ଚ ପ୍ରତିନିଧି ଦଳ ରାଉରକେଲାରେ ନିର୍ମାଣାଧୀନ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ, ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ, ଫୁଟବଲ‌ ଖେଳ ସହ ଆଥଲେଟିକ୍ସ ପାଇଁ ନିର୍ମାଣାଧୀନ ବିର୍ସା ମୁଣ୍ଡା ଷ୍ଟାଡିୟମ ସହିତ ସାଇନ୍ସ ପାର୍କ ଏବଂ ପ୍ଲାନେଟାରିୟମ‌ କାର୍ଯ୍ୟ ବୁଲି ଦେଖିଛନ୍ତି । ଏହା ସହିତ ରାଉରକେଲାର ବସ୍ତି ବାସିନ୍ଦାଙ୍କ ଥଇଥାନ ପାଇଁ ତିଆରି ହେଉଥିବା ବାସୋପଯୋଗୀ ପ୍ରକଳ୍ପ ସ୍ଥଳ ମଧ୍ୟ ଅନୁଧ୍ୟାନ କରିଛନ୍ତି ।

publive-image

ବିଭିନ୍ନ ପ୍ରକଳ୍ପ ସ୍ଥାନ ପରିଦର୍ଶନ କରିବା ପରେ ଏହି ଟିମ‌ ସୁନ୍ଦରଗଡ଼ ଜିଲ୍ଲାପାଳ, ରାଉରକେଲା ଏଡିଏମ‌ ତଥା ମହାନଗର ନିଗମ କମିଶନର ଏବଂ ଅନ୍ୟ ଅଧିକାରୀମାନଙ୍କ ସହ ବିମାନବନ୍ଦରଠାରେ ସମୀକ୍ଷା କରିଥିଲେ। ସମୀକ୍ଷା ପରେ ମୁଖ୍ୟ ଶାସନ ସଚିବ କହିଥିଲେ ଯେ "ରାଉରକେଲାରେ ନିର୍ମାଣାଧୀନ ଅନ୍ତର୍ଜାତୀୟ ହକି ଷ୍ଟାଡିୟମକୁ ୨୦୨୨ ଜୁଲାଇ ସୁଦ୍ଧା ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରହିଛି । ଏହାଛଡ଼ା ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମର ନିର୍ମାଣ କାମ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ନିର୍ମାଣାଧୀନ ବିର୍ସା ମୁଣ୍ଡା ଷ୍ଟାଡିୟମ ଫୁଟବଲ ଖେଳ ସହ ଆଥଲେଟିକ‌ ପାଇଁ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ସେଠାରେ ୪୦୦ ମିଟର ବିଶିଷ୍ଟ ଆଥଲେଟିକ‌ ଟ୍ରାକ‌ ନିର୍ମାଣ କରାଯାଉଛି ।

publive-image

ଏତଦବ୍ୟତୀତ ସ୍ମାର୍ଟ ସିଟି ଅଧୀନରେ ମଧ୍ୟ ଅନେକ ପ୍ରକଳ୍ପ ଚାଲିଛି । ତେଣୁ ବିଶ୍ବକପ‌ ହକିକୁ ଦୃଷ୍ଟିରେ ରଖି ରାଉରକେଲାରେ ଚାଲିଥିବା ବିଭିନ୍ନ ନିର୍ମାଣ କାର୍ଯ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି”, ସେହିପରି ଏୟାରପୋର୍ଟ ଅଥରିଟି ଅଫ‌ ଇଣ୍ଡିଆ ପକ୍ଷରୁ ରାଉରକେଲା ଏୟାରପୋର୍ଟର ସଂପ୍ରସାରଣ କାର୍ୟ୍ୟ ଜାରି ରହିଛି । ସେଠାରେ ଟର୍ମିନାଲ ବିଲ୍ଡିଂ ମଧ୍ୟ ନିର୍ମାଣ କରାଯିବ। ଏହାକୁ ଆଗାମୀ ୨୦୨୨ ମେ' ମାସ ସୁଦ୍ଧା ଶେଷ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ।

publive-image

ଏହି ଗସ୍ତ ଅବସରରେ ମୁଖ୍ୟ ଶାସନ ସଚିବ ଓ ୫ଞସଚିବ ରାଉରକେଲାରେ କୋଭିଡ‌ ପରିସ୍ଥିତିର ସମୀକ୍ଷା କରିଥିଲେ । ଗଣମାଧ୍ୟମକୁ ମୁଖ୍ୟ ଶାସନ ସଚିବ କହିଥିଲେ ଯେ, “ବର୍ତ୍ତମାନ ରାଉରକେଲାରେ ଜେ ପି ହସ୍ପିଟାଲକୁ ସରକାରୀ କୋଭିଡ‌ ହସ୍ପିଟାଲ ଭାବେ କାର୍ୟ୍ୟକ୍ଷମ ରଖାଯାଇଛି । ସେହିପରି ସୁନ୍ଦରଗଡ଼ରେ ଏନଟିପିସି କୋଭିଡ‌ ସ୍ବାସ୍ଥ୍ୟକେନ୍ଦ୍ର ପ୍ରସ୍ତୁତ ରହିଛି । ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି ପ୍ରଶାସନ ସବୁ ଦୃଷ୍ଟିରୁ ପ୍ରସ୍ତୁତ ରହିଛି’’, ।