ଭାରତ ପାଇଁ ବଡ ବିପଦ ଚୀନ : ପ୍ରତିରକ୍ଷା ମୁଖ୍ୟ ଜେନେରାଲ ବିପିନ ରାୱତଙ୍କ ବୟାନ; ଡ୍ରାଗନ ଉପରେ କମୁଛି ଭରସା ବଢୁଛି ସନ୍ଦେହ

Advertisment
ଭାରତ ପାଇଁ ବଡ ବିପଦ ଚୀନ : ପ୍ରତିରକ୍ଷା ମୁଖ୍ୟ ଜେନେରାଲ ବିପିନ ରାୱତଙ୍କ ବୟାନ; ଡ୍ରାଗନ ଉପରେ କମୁଛି ଭରସା ବଢୁଛି ସନ୍ଦେହ

କନକ ବ୍ୟୁରୋ : ଭାରତ ପାଇଁ ସୁରକ୍ଷା ଦୃଷ୍ଟିରୁ ଚୀନ୍‌ ସବୁଠାରୁ ବଡ଼ ବିପଦ ବୋଲି ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ ଜେନେରାଲ ବିପିନ ରାୱତ କହିଛନ୍ତି । ପୂର୍ବ ଲଦାଖ୍‌ ସମେତ ବିଭିନ୍ନ ସୀମାରେ ଚୀନ୍‌ର ଭାରତ ବିରୋଧୀ ଷଡ଼ଯନ୍ତ୍ରକୁ ଦୃଷ୍ଟିରେ ରଖି ଜେନେରାଲ ରାୱତ ଆଜି ଏଭଳି ବୟାନ ଦେଇଛନ୍ତି । ରାୱତ କହିଛନ୍ତି ଯେ ଭାରତ ପାଇଁ ବଡ଼ ବିପଦର କାରଣ ହୋଇଥିବା ଚୀନ୍‌ର ମୁକାବିଲା ପାଇଁ ଭାରତ ସବୁ ଦୃଷ୍ଟିରୁ ନିଜକୁ ପ୍ରସ୍ତୁତ କରୁଛି ଏବଂ ହିମାଳୟ ଅଂଚଳରେ ସୀମାକୁ ସୁରକ୍ଷିତ କରିବା ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପକୁ ଆହୁରି ସୁଦୃଢ଼ କରିବାକୁ ପଦକ୍ଷେପ ନିଆଯାଉଛି ।

ଗତବର୍ଷରୁ ବିବାଦୀୟ ଅଂଚଳରେ ଯେଉଁ ଅତିରିକ୍ତ ସେନା ମୁତୟନ ଥିଲେ ସେମାନେ ଦୀର୍ଘ ଦିନ ଧରି ସେଠାରେ ମୁତୟନ ରହିବାକୁ ହିଁ ହେବ ବୋଲି ରାୱତ କହିଛନ୍ତି । ପରମାଣୁ ଶକ୍ତି ସଂପନ୍ନ ଦୁଇ ରାଷ୍ଟ୍ର ମଧ୍ୟରେ ସୀମା ବିବାଦର ସମାଧାନ ହୋଇପାରୁନାହିଁ ଏବଂ ଏହା ପଛରେ ବିଶ୍ବାସର ସଙ୍କଟ ହିଁ ମୁଖ୍ୟ ପ୍ରତିବନ୍ଧକ ବୋଲି ରାୱତ କହିଛନ୍ତି । ସୂଚନାଯୋଗ୍ୟ, ଗତମାସରେ ଭାରତ ଏବଂ ଚୀନ୍‌ ସାମରିକ କମାଣ୍ଡରଙ୍କ ମଧ୍ୟରେ ୧୩ତମ ଶୀର୍ଷ ବୈଠକ ଅନୁଷ୍ଠିତ ହୋଇଥିଲା ଏବଂ ଏଥିରୁ କୌଣସି ସମାଧାନ ପନ୍ଥା ବାହାରିଲା ନାହିଁ କିମ୍ବା ଉତ୍ତେଜନା ହ୍ରାସ ପାଇଁ ସହମତି ହୋଇପାରିଲା ନାହିଁ ।

ତେଣୁ ଭାରତୀୟ ସେନା ଏବେ ଯେଭଳି ସ୍ଥିତିରେ ରହିଛି ସେହି ଅବସ୍ଥାରୁ ପଛକୁ ହଟିବ ନାହିଁ ବୋଲି ରାୱତ କହିଛନ୍ତି । ଭାରତ ଏବଂ ଚୀନ୍‌ ମଧ୍ୟରେ ଗତ ବର୍ଷ ହୋଇଥିବା ରକ୍ତାକ୍ତ ସଂଘର୍ଷ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶାସନ ପାକିସ୍ତାନ ଉପରୁ ଫୋକସ୍‌ ହଟାଇ ଏବେ ଚୀନ୍‌ ଉପରେ କେନ୍ଦ୍ରୀଭୂତ କରିଛନ୍ତି । ଚୀନ୍‌ର ପ୍ରତ୍ୟେକଟି ଚାଲ୍‌ ଏବଂ ଷଡ଼ଯନ୍ତ୍ରକୁ ବୁଝି ସେହି ଅନୁଯାୟୀ ପଦକ୍ଷେପ ଗ୍ରହଣ କରାଯାଉଛି । ଭାରତ-ଚୀନ୍‌ ମଧ୍ୟରେ ଦୀର୍ଘ ୩୪୮୮ କିମି ପରିବ୍ୟାପ୍ତ ସୀମା ରହିଥିବା ବେଳେ ପୂର୍ବ ଲଦାଖ୍‌ ଏବଂ ଅରୁଣାଚଳ ସୀମାରେ ଉତ୍ତେଜନା ଅଧିକ ରହିଛି । ଗତବର୍ଷ ଜୁନ୍‌ରେ ଗଲୱାନରେ ହୋଇଥିବା ବଡ଼ ଧରଣର ସଂଘର୍ଷରେ ୨୦ ଭାରତୀୟ ଯବାନ ସହିଦ ହୋଇଯାଇଥିଲେ । ଏଥିରେ ଚୀନ୍‌ର ମଧ୍ୟ ୪୦ରୁ ଅଧିକ ସୈନିକ ନିହତ ହୋଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe