ବିଜୁ ପଟ୍ଟନାୟକ ବିମାନବନ୍ଦରର ଛାତ ଭୁଶୁଡିବା ଘଟଣା: ଠିକାଦାର ଦିଲୀପ ଖଟେଇଙ୍କୁ ଅଟକ ରଖି ପୋଲିସର ପଚରାଉଚରା; ବିଜେଡି କହିଲା, ଘଟଣାକୁ ରାଜନୀତି ନକରି ଦୋଷୀଙ୍କ ବିରୋଧରେ ନିଆଯାଉ କାର୍ଯ୍ୟାନୁଷ୍ଠାନ

400

କନକ ବ୍ୟୁରୋ: ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରର ଛାତ ଭୁଶୁଡିବା ଘଟଣାରେ ଠିକାଦାର ଅଟକ । ନିର୍ମାଣ କରୁଥିବା ଦିଲୀପ କନଷ୍ଟ୍ରକସନର ମୁଖ୍ୟ ଦିଲ୍ଲୀପ ଖଟେଇଙ୍କୁ ଅଟକି ରଖି ଡିସିପିଙ୍କ ନେତୃତ୍ୱରେ କମିଶନରେଟ୍ ପୋଲିସ ପଚରାଉଚରା କରୁଥିବା ଜଣାପଡିଛି । ପ୍ରାୟ ୮୭ କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ନିର୍ମାଣ କାର୍ଯ୍ୟ ଚାଲିଥିଲା ।

ତିନି ମାସ ହେବ ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ ଗତକାଲି ରାତିରେ ଶ୍ରମିକଙ୍କୁ ଲଗାଇ କାର୍ଯ୍ୟ ଚାଲିଥିଲା । ଏହି ସମୟରେ ଅଚାନକ ଛାତ ଭୁଶୁଡି ପଡିବାରୁ ଜଣେ ଶ୍ରମିକ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି । ତେବେ ଦୁର୍ଘଟଣା ପରେ ମୁହଁଫୁଟାଣି ଦେଖାଇଥିଲେ ଦିଲ୍ଲୀପ । ସବୁ ଦୋଷ ଶ୍ରମିକଙ୍କର ବୋଲି ସେ କହିଥିଲେ । ଅନ୍ୟପଟେ ତଦନ୍ତ ପରେ କେଉଁ ପରିସ୍ଥିତିରେ ଏତେ ବଡ ଅଘଟଣ ଘଟିଲା ତାହା ଜଣାପଡିବ ବୋଲି କହିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ।ଅନ୍ୟପଟେ, ବିମାନ ବନ୍ଦର ଛାତ ଭୁଶୁଡିବା ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । କହିଛନ୍ତି, ଘଟଣାକୁ ନେଇ ରାଜନୀତି କରାନଯାଉ । ସମସ୍ତ ଆହତ ଓ ମୃତକଙ୍କୁ କ୍ଷତିପୂରଣ ମିଳୁ । ଏବଂ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ।

ନିର୍ମାଣ ଛାତ ଭୁଶୁଡି ଜଣେ ଶ୍ରମିକଙ୍କ ଜୀବନ ଯାଇଛି । ଭାଙ୍ଗି ଯାଇଥିବା ଛାତ ତଳେ ଦୀର୍ଘ ୨ ଘଂଟାରୁ ଅଧିକ ସମୟ ଫସି ରହିବାରୁ ଶ୍ରମିକ ଜଣଙ୍କର ମୃତ୍ୟୁ ହୋଇଛି । ସନ୍ଧାନୀ କୁକୁର ଜରିଆରେ ତାଙ୍କୁ ଠାବ କରାଯିବା ପରେ ସମସ୍ତ ଲୁହା ରଡକୁ ବାହାର କରି ତାଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତ ଶ୍ରମିକଙ୍କ ନାମ ଅନ୍ତର୍ଯ୍ୟାମୀ ଗୁରୁ । ତାଙ୍କ ଘର ବଡମ୍ୱା ଅଂଚଳରେ ବୋଲି ସୂଚନା ମିଳିଛି । ଆଉ ଜଣେ ଅଳ୍ପକେ ମୃତ୍ୟୁ ମୁହଁରୁ ବଂଚି ଯାଇଛନ୍ତି । ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଛି । ତାଙ୍କ ନାମ ନବକିଶୋର ସ୍ୱାଇଁ , ଘର ଢେଙ୍କାନାଳ ଅଂଚଳରେ ବୋଲି ଜଣାପଡିଛି ।

ଟର୍ମିନାଲ ୧ ଓ ଟର୍ମିନାଲ ୨କୁ ସଂଯୋଗ କରିବାକୁ ଏକ ଛାତର ନିର୍ମାଣ ଚାଲିଥିଲା । ଶୁକ୍ରବାର ରାତିରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଏହି ନିର୍ମାଣ କାମ ଚାଲିଥିବା ବେଳେ ଏହା ଭୁଷୁଡି ପଡିଛି । ଭଗ୍ନାବଶେଷ ତଳେ ଚାପି ହୋଇ ରହିଯାଇଥିଲେ ଶ୍ରମିକ । ଦୁର୍ଘଟଣା ଖବର ପାଇ ଓଡ୍ରାଫ, ଅଗ୍ନିଶମ, ଏନଡିଆରଏଫ୍ର ଟିମ୍ ପହଁଚି ଉଦ୍ଧାର କାର୍ଯ୍ୟ କରିଥିଲା । ତେବେ କେତେ ଜଣ ଶ୍ରମିକ ଛାତ କାମ ବେଳେ ଉପରେ ଥିଲେ ସେ ନେଇ ସ୍ପଷ୍ଟ ସୂଚନା ମିଳି ପାରିନାହିଁ ।