ଆଜି ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିବାକୁ କଳାହାଣ୍ଡି ଗସ୍ତ କରବେ ନବୀନ । ମହିଳାଙ୍କୁ ନେଇ ବିଜେଡି କରିବ ବଡ ଧରଣର ଶକ୍ତି ପ୍ରଦର୍ଶନ

କଳାହାଣ୍ଡିରେ ଡେରା ପକାଇଛନ୍ତି ୧୩ ମନ୍ତ୍ରୀ

90

କନକ ବ୍ୟୁରୋ : ଆଜି କଳାହାଣ୍ଡି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭବାନୀପାଟଣାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ବାଣ୍ଟିବେ ମୁଖ୍ୟମନ୍ତ୍ରୀ । ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡକୁ ନେଇ ଗତ କିଛି ଦିନ ହେଲା କଳାହାଣ୍ଡିରେ ସରକାରଙ୍କ ବିରୋଧରେ ବିରୋଧୀମାନେ ଜୋରଦାର ଆନ୍ଦୋଳନ ଚଳାଇଛନ୍ତି । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ଅଡି ରହିଛନ୍ତି ବିରୋଧୀ । ମନ୍ତ୍ରୀଙ୍କୁ ବହିଷ୍କାର କରୁନଥିବାରୁ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ବିରୋଧୀଙ୍କ ଟାର୍ଗେଟକୁ ଆସିଛନ୍ତି । ତଥାପି ଏସବୁ ବିବାଦ ଭିତରେ ରାଜ୍ୟ ସରକାର ତାଙ୍କର କାର୍ଯ୍ୟକ୍ରମ ଜାରି ରଖିଛନ୍ତି । ବାରିପଦା, କୁଚିଣ୍ଡା ପରେ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିବାକୁ ଆଜି କଳାହାଣ୍ଡି ଗସ୍ତ କରିବେ ନବୀନ । ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିବା ସହ ମହିଳାଙ୍କୁ ନେଇ ଶକ୍ତି ପ୍ରଦର୍ଶନ କରିବ ବିଜେଡି । ଏହି ସମାବେଶକୁ ସଫଳ କରିବା ପାଇଁ କଳାହାଣ୍ଡିରେ ୧୩ ମନ୍ତ୍ରୀ ଡେରା ପକାଇଥିବା ଜଣାପଡିଛି ।

ମୁଖ୍ୟମନ୍ତ୍ରୀ ସକାଳେ ଭୁବନେଶ୍ବରଠାରୁ ବିମାନ ଯୋଗେ ଉତକେଲା ଏୟାରଷ୍ଟ୍ରିପ୍‌ରେ ଅବତରଣ କରିବେ । ସେଠାରୁ ହେଲିକପ୍ଟର ଯୋଗେ ଭବାନୀପାଟଣା ଓୟୁଏଟି ପରିସରକୁ ଯିବେ। ସକାଳ ୧୧ଟାରେ ଓୟୁଏଟି ଅଡିଟୋରିୟମରେ ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟକାର୍ଡ ବଣ୍ଟନ କରିବେ। ଏହି କାର୍ଯ୍ୟକ୍ରମରେ ୨୫୦ ଜଣ ମହିଳା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସମସ୍ତଙ୍କ କୋଭିଡ୍‌ ପରୀକ୍ଷା କରାଯାଇଛି । ୩୦ ଜଣ ସାମ୍ବାଦିକଙ୍କ କୋଭିଡ୍‌ ପରୀକ୍ଷା ପରେ ପାସ୍‌ ପ୍ରଦାନ କରାଯାଇଛି । କାର୍ଯ୍ୟକ୍ରମ ୧୧ଟା ୫୦ ପର୍ଯ୍ୟନ୍ତ ଚାଲିବ । ସେଠାରୁ ମୁଖ୍ୟମନ୍ତ୍ରୀ ଉତକେଲାଯାଇ ବିମାନ ଯୋଗେ ଭୁବନେଶ୍ବର ଫେରିବାର କାର୍ଯ୍ୟକ୍ରମ ରହିଛି ।

ବିରୋଧୀ ଦଳର ବିରୋଧ ଯୋଗୁଁ ପ୍ରଶାସନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମକୁ ଗୁପ୍ତ ରଖାଯାଇଛି । କାର୍ଯ୍ୟକ୍ରମରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ରହିବେ କି ନାହିଁ, ସେ ନେଇ ଦଳ ବା ସରକାରଙ୍କ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ । ବରଂ ଏହାକୁ ନେଇ ବିଭିନ୍ନ ମହଲରେ କଳ୍ପନାଜଳ୍ପନା ପ୍ରକାଶ ପାଇଛି । ସେପଟେ ଓୟୁଏଟି ପରିସରରେ ଆଉ ଏକ ମଞ୍ଚ ନିର୍ମାଣ ହେଉଛି, ଯେଉଁଠି ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହେବ । ଏହି ମିଶ୍ରଣ ପର୍ବରେ କଂଗ୍ରେସର ପୂର୍ବତନ ବିଧାୟକ ଶିବାଜୀ ମାଝୀ, ବିଜେଡିରୁ ଇସ୍ତଫା ଦେଇଥିବା ନେତା ସାରଦା ପ୍ରସନ୍ନ ସ୍ବାଇଁ, ନର୍ଲା ବ୍ଲକ୍‌ ଅଧ୍ୟକ୍ଷା ମନୋରମା ମହାନ୍ତି, ବ୍ଲକ୍‌ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ଆଇନଜୀବୀ ଧର୍ମେନ୍ଦ୍ର ନାୟକ ସମେତ ୧୪ ଜଣଙ୍କୁ ବିଜେଡିରେ ସାମିଲ କରିବା ପାଇଁ ତାଲିକା ଚୂଡ଼ାନ୍ତ କରାଯାଇଛି । ଏଠାରେ ଶ୍ରୀ ମିଶ୍ର ରହିବେ ବୋଲି କର୍ମୀ ମହଲ ଚର୍ଚ୍ଚା କରୁଛନ୍ତି । ଉଲ୍ଲେଖଥାଉକି, ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମକୁ ନେଇ ୨ ବିରୋଧୀ ଦଳ କଂଗ୍ରେସ ଓ ବିଜେପି ମଧ୍ୟରେ ଛକାପଞ୍ଝା ଚାଲିଛି ।