ମମିତା ମେହେର ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି । ‘ଖୁବଶୀଘ୍ର ନ୍ୟାୟ ପ୍ରଦାନ ପାଇଁ ଉଦ୍ୟମ ଚାଲିଛି’

128

କନକ ବ୍ୟୁରୋ: ମମିତା ମେହେର ହତ୍ୟା ଘଟଣାକୁ ପ୍ରାୟ ୨ ମାସ ପୂରିବାକୁ ବସିଥିବାବେଳେ ବିଧାନସଭାରେ ଏହାକୁ ନେଇ ବିବୃତ୍ତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡିଶାର ଜଣେ ପ୍ରତିଭାବାନ ଝିଅର ମୃତ୍ୟୁ ସମସ୍ତଙ୍କୁ ଗଭୀର ଆଘାତ ଦେଇଛି । ମମିତାଙ୍କ ମୃତ୍ୟୁକୁ ଦୁଃଖଦ ଓ ଦୁର୍ଭାଗ୍ୟଜନକ ବୋଲି କହିବା ସହ ଖୁବଶୀଘ୍ର ନ୍ୟାୟ ପ୍ରଦାନ ପାଇଁ ସରକାର ପ୍ରୟାସ କରୁଥିବା କହିଛନ୍ତି ନବୀନ ପଟ୍ଟନାୟକ । ହେଲେ ବିରୋଧୀଙ୍କୁ ମଧ୍ୟ ଟାର୍ଗେଟ କରିବାକୁ ଭୁଲି ନାହାନ୍ତି ମୁଖ୍ୟମନ୍ତ୍ରୀ ।

ମମିତା ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଓ ଗିରଫଦାରୀ ଦାବି କରି ପ୍ରତିଦିନ ଆନ୍ଦୋଳନ କରୁଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । ଏପରିକି ବିଧାନସଭାକୁ ଚଳାଇ ଦେଉନାହାନ୍ତି ବିରୋଧୀ ବିଧାୟକ । ତେଣୁ ଏକ ସମ୍ବେଦନଶୀଳ ଘଟଣାକୁ ରାଜନୀତିକରଣ କରାଯାଉଥିବା ଅଭିଯୋଗ କରିଛନ୍ତି ମୁଖ୍ୟମନ୍ତ୍ରୀ । ମମିତା ପ୍ରସଙ୍ଗରେ ବିରୋଧୀ ରାଜନୀତିକୁ ଟାର୍ଗେଟ କରି ଏକାଧିକ ଟିପ୍ପଣୀ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମମିତା ପ୍ରସଙ୍ଗ: ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି

  • ଏଭଳି ସମ୍ବେଦନଶୀଳ ଘଟଣାରେ ରାଜନୀତି ଆଶ୍ଚର୍ଯ୍ୟ କରିଛି
  • ପୀଡିତା ପରିବାରର କଷ୍ଟ ଆମେ ଭୁଲିଯିବା ଉଚିତ୍ ନୁହେଁ
  • ସ୍ଥିତି ଏମିତି ହେଲା ଯେ ମମିତାଙ୍କ ବାପା, ମାଆଙ୍କୁ ହାତ ଯୋଡିବାକୁ ପଡିଲା
  • ମମିତାଙ୍କ ଚରିତ୍ରହାନୀ ନକରିବାକୁ ଅନୁରୋଧ କରିଥିଲେ ପରିବାର
  • ପରିବାରର ଅନୁରୋଧ ସତ୍ୱେ ମାମଲାର ରାଜନୀତିକରଣ ଜାରି ରହିଲା

ରାଜ୍ୟବାସୀଙ୍କୁ ଆଶ୍ୱାସନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ମାମଲାର ତ୍ୱରିତ ବିଚାର ପାଇଁ ଉଦ୍ୟମ ହୋଇଛି । ସରକାରଙ୍କ ଅନୁରୋଧରେ ହାଇକୋର୍ଟ ପଦକ୍ଷେପ ନେଇଛନ୍ତି ଏବଂ ଅବସରପ୍ରାପ୍ତ ଜିଲ୍ଲା ଜଜଙ୍କ ଦ୍ୱାରା ତଦନ୍ତର ଅନୁଧ୍ୟାନ କରାଯାଉଛି । ତେଣୁ ବିଚାର ବ୍ୟବସ୍ଥା ଉପରେ ଆମର ଆସ୍ଥା ରହିବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ମହିଳା ନିର୍ଯାତନା କ୍ଷେତ୍ରରେ ବିନା ପକ୍ଷପାତିତାରେ ପୋଲିସକୁ କାମ କରିବାକୁ ଦିଆଯାଉଥିବା କହିଛନ୍ତି ନବୀନ । ଏପରିକି ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ, ଗୃହର ଜଣେ ସଦସ୍ୟଙ୍କୁ କାମ କରିବାକୁ ନଦେବା ଦୁର୍ଭାଗ୍ୟଜନକ । ଏଭଳି ଉଦାହରଣ ଖରାପ ପରମ୍ପରା ସୃଷ୍ଟି କରୁଥିବା କହି ବିରୋଧୀଙ୍କୁ ପୁଣି ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ । ସୂଚନାଯୋଗ୍ୟ ଯେ, ବିଧାନସଭା ଶୀତ ଅଧିବେଶନ ଆରମ୍ଭରୁ ମମିତା ମେହେର ପ୍ରସଙ୍ଗରେ ସରକାରଙ୍କୁ ଅଡୁଆରେ ପକାଇ ଆସୁଛନ୍ତି ବିରୋଧୀ । ଏପରିକି ଗୃହ କାର୍ଯ୍ୟ ଆଦୌ ଚାଲିପାରୁ ନାହିଁ ଆଉ ଏତିକିବେଳେ ଗୃହର ନେତା ହିସାବରେ ଗୃହକୁ ସୁରୁଖୁରୁରେ ଚଳାଇବା ପାଇଁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।