ମେଣ୍ଟ ଚର୍ଚ୍ଚା ଭିତରେ ସସପେନ୍ସ ବଢାଇଲା ମୁଖ୍ୟମନ୍ତ୍ରୀଙ୍କ ବୟାନ । କହିଲେ, ରାଜନୀତିରେ ସବୁଠୁ ଖରାପ ହେଉଛି ଗୁଜବ ଓ ମିଛକଥା । କେବେ ସ୍ପଷ୍ଟ ହେବ ଚିତ୍ର?

230

କନକ ବ୍ୟୁରୋ: ମେଣ୍ଟ ଚର୍ଚ୍ଚା ଭିତରେ ସସପେନ୍ସ ବଢାଇଲା ମୁଖ୍ୟମନ୍ତ୍ରୀଙ୍କ ବୟାନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଫାଇଭ୍-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ଏକ ଭିଡିଓକୁ ନେଇ ଏବେ ସବୁଠି ଚର୍ଚ୍ଚା । ରାଜନୀତିରେ ସବୁଠୁ ଖରାପ ଜିନିଷ କ’ଣ ବୋଲି ଭିଡିଓରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ପାଣ୍ଡିଆନ୍ । ଏହାର ଉତ୍ତରରେ ନବୀନ କହୁଛନ୍ତି, ରାଜନୀତିରେ ସବୁଠୁ ଖରାପ ହେଉଛି ଗୁଜବ ଓ ମିଛକଥା । ନବୀନ-ପାଣ୍ଡିଆନଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାର ୧୩ ସେକେଣ୍ଡର ଏହି ଭିଡିଓ ଅନେକ କଥାକୁ ଇଙ୍ଗିତ କରୁଥିବା ଚର୍ଚ୍ଚା ହେଉଛି ।

ଗତ ୫ ଦିନ ଧରି ସାରା ରାଜ୍ୟରେ ବିଜେପି-ବିଜେଡି ମେଣ୍ଟକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଦିଲ୍ଲୀରୁ ଫେରିବା ପରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ମେଣ୍ଟ ସମ୍ଭାବନାକୁ ବାଏଁ ବାଏଁ ଉଡାଇ ଦେଇଛନ୍ତି । କେବଳ ସେତିକି ନୁହେଁ, ମେଣ୍ଟ ନେଇ ଚର୍ଚ୍ଚା ହୋଇଛି ବୋଲି ମଧ୍ୟ ମାନିବାକୁ ରାଜି ନାହାନ୍ତି ମନମୋହନ । ସବୁ ବିଧାନସଭା ଓ ଲୋକସଭା ଆସନରେ ବିଜେପି ଏକାକୀ ନିର୍ବାଚନ ଲଢ଼ି ସରକାର ଗଢ଼ିବ ବୋଲି ମଧ୍ୟ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ଏହାକୁ ସମର୍ଥନ ଜଣାଇଛନ୍ତି ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂହ ତୋମାର । ଅଚାନକ ବିଜେପିର ଏପରି ଆଭିମୁଖ୍ୟ, ଦ୍ୱନ୍ଦ୍ୱ ସୃଷ୍ଟି କରିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ଆହୁରି ଅନେକ ପ୍ରଶ୍ନ ଛିଡ଼ା କରିଛି । ତେବେ ଦିନେ ଅବା ଦୁଇ ଦିନ ଭିତରେ ମେଣ୍ଟ ନେଇ ଚିତ୍ର ସ୍ପଷ୍ଟ ହୋଇପାରେ ବୋଲି କୁହାଯାଉଛି ।