କନକ ବ୍ୟୁରୋ : ଜନଜାତି ଭାଇ ଭଉଣୀଙ୍କ ଉପରୁ ହଟିବ ଛୋଟ ଛୋଟ ମକଦ୍ଦମା । ଏନେଇ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଦିବାସୀଙ୍କ ଉପରୁ ପ୍ରତ୍ୟାହୃତ ହେବ ଜଙ୍ଗଲ ଓ ଅବକାରୀ ସଂପର୍କିତ ୪୮୦୧୮ ମାମଲା । ଏହି ମାମଲା ଗୁଡିକ ମଧ୍ୟରେ ଅବକାରୀ ବିଭାଗ ଅଧିନରେ ୩୬୫୮୧ ମାମଲା, ଗୃହ ବିଭାଗ ଅଧୀନରେ ୯୮୪୬ ମାମଲା, ଜଙ୍ଗଲ ଓ ପରିବେଶ ବିଭାଗ ଅଧୀନରେ ୧୫୯୧ ମାମଲାକୁ ପ୍ରତ୍ୟାହାର କରାଯାଇଛି। ଏହିସବୁ ମାମଲା ପ୍ରତ୍ୟାହୃତ ହେବା ଦ୍ବାରା କୋର୍ଟ ଓ ନ୍ୟାୟିକ ବ୍ୟବସ୍ଥା ଉପରୁ ମଧ୍ୟ ଚାପ ହ୍ରାସ ପାଇବ ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଗୃହ ବିଭାଗ, ଅବକାରୀ ବିଭାଗ ଓ ଜଙ୍ଗଲ ଓ ପରିବେଶ ବିଭାଗ ଜନଜାତି ବର୍ଗଙ୍କ ଉପରେ ଥିବା ମକଦ୍ଦମା ଗୁଡିକର ସମୀକ୍ଷା କରିଥିଲେ । ମୋକଦ୍ଦମା ଗୁଡିକର ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ ପରେ ଉପରୋକ୍ତ ତିନୋଟି ବିଭାଗର ସମୁଦାୟ ୪୮୦୧୮ଟି ଜଙ୍ଗଲ ଓ ଅବକାରୀ ସଂପର୍କିତ ମାମଲା ପ୍ରତ୍ୟାହୃତ କରିବା ପାଇଁ ନିଷ୍ପତ୍ତି ହୋଇଛି।