ପ୍ରାକନିର୍ବାଚନୀ ହିଂସାକୁ ମୁଖ୍ୟମନ୍ତ୍ରୀଙ୍କ ନିନ୍ଦା: କହିଲେ, ଗଣତନ୍ତ୍ରରେ ନାହିଁ ହିଂସାର ସ୍ଥାନ

117

କନକ ବ୍ୟୁରୋ: ରାଜ୍ୟରେ ପ୍ରାକ୍ ନିର୍ବାଚନୀ ହିଂସା ଅନେକଙ୍କୁ ବିବ୍ରତ କରିଛି । ରାଜନୀତି ବି ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ଘଟଣାକୁ ନିନ୍ଦା କରିଛନ୍ତି । କହିଛନ୍ତି , ଗଣତନ୍ତ୍ରରେ ଏଭଳି ହିଂସାର ସ୍ଥାନ ନାହିଁ । ଖଲ୍ଲିକୋଟ ହିଂସା ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଛନ୍ତି, ଗଣତନ୍ତ୍ରରେ ହିଂସା ଓ ଅନ୍ୟାୟର କୌଣସି ସ୍ଥାନ ନାହିଁ । ହାରିବା ଭୟରେ ହିଂସାକୁ ଅବଲମ୍ବନ କରୁଛନ୍ତି ଶାସକ ଦଳ ।

ଗଣତନ୍ତ୍ରର ମହାନ ପର୍ବକୁ ନେଇ ଯେତେବେଳେ ସାରା ଦେଶରେ ଉତ୍ସାହ ଓ ଖୁସିର ମାହୋଲ ଦେଖା ଦେଇଛି । ସେହି ସମୟରେ ନିର୍ବାଚନକୁ ନେଇ ଦେଖା ଦେଇଥିବା ହିଂସା ସମସ୍ତଙ୍କୁ ବିବ୍ରତ କରିଛି । ଖଲ୍ଲିକୋଟ ପ୍ରାକ୍ନିର୍ବାଚନୀ ହିଂସାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଛନ୍ତି,

– ଖଲ୍ଲିକୋଟରେ ଘଟିଥିବା ହିଂସା ସମ୍ପୂର୍ଣ୍ଣ ନିନ୍ଦନୀୟ
– ଗଣତନ୍ତ୍ରରେ ଏପରି ହିଂସାର କୌଣସି ସ୍ଥାନ ନାହିଁ
– ମୃତକଙ୍କ ପରିବାର ପ୍ରତି ସମବେଦନା
– ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି
ଘଟଣାରେ ପୋଲିସ ଉଚିତ ପଦକ୍ଷେପ ନେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ସେହିପରି ଖଲ୍ଲିକୋଟରେ ପ୍ରାକ ନିର୍ବାଚନ ହିଂସାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । କହିଛନ୍ତି, ରାଜ୍ୟରେ ହିଂସାକୁ ବରଦାସ୍ତ କରାଯିବ ନାହିଁ । ହିଂସା ନିୟନ୍ତ୍ରଣ ପାଇଁ ବିଧି ସମ୍ମତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ହିଂସା ରୋକିବା ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଗଞ୍ଜାମ ଜିଲ୍ଲାପାଳ ଓ ଏସପିଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ସିଇଓ ।

ସେପଟେ ଖଲ୍ଲିକୋଟ ହିଂସା ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଛନ୍ତି, ଗଣତନ୍ତ୍ରରେ ହିଂସା ଓ ଅନ୍ୟାୟର କୌଣସି ସ୍ଥାନ ନାହିଁ । ହାରିବା ଭୟରେ ହିଂସାକୁ ଅବଲମ୍ବନ କରୁଛନ୍ତି ଶାସକ ଦଳ । ଏହାସହ ବିଜେପି କର୍ମୀଙ୍କ ମୃତ୍ୟୁ ନେଇ ଧର୍ମେନ୍ଦ୍ର କହିଛନ୍ତି, ବିଜେପି କାର୍ଯ୍ୟକର୍ତାଙ୍କ ବଳିଦାନ ବ୍ୟର୍ଥ ଯିବନାହିଁ । ଏହାର ଉଚିତ ଜବାବ ଲୋକେ ବାଲାଟରେ ଦେବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ରାଜ୍ୟରେ ବେଶ୍ ସୁରୁଖୁରୁରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସରିଛି । କାଁ ଭାଁ ଗୋଟିଏ ଦୁଇଟି ସ୍ଥାନରେ ଉତେଜନାକୁ ଛାଡ଼ିଦେଲେ ସେଭଳି କୌଣସି ଅପ୍ରୀତିକର ପରିସ୍ଥିତିକୁ ସାମ୍ନା କରିନି ଓଡ଼ିଶା । କିନ୍ତୁ ଦ୍ୱିତୀୟ ପର୍ଯ୍ୟାୟ ହେବା ପୂର୍ବରୁ ଖଲ୍ଲିକୋଟ ହିଂସାକାଣ୍ଡରେ ଜଣଙ୍କର ମୁଣ୍ଡ ଗଡ଼ିବା ସମସ୍ତଙ୍କୁ ବିବ୍ରତ କରିଦେଇଛି ।