କୋଭିଡ୍‌ ଡ୍ୟୁଟି ବେଳେ ପ୍ରାଣ ହରାଉଥିବା ଯୋଦ୍ଧାଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ଯୋଦ୍ଧା ପରିବାରକୁ ମିଳିବ ୫୦ ଲକ୍ଷ : ଅଣ-କୋଭିଡ୍‌ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇବାକୁ ନିର୍ଦ୍ଦେଶ

805

କନକ ବ୍ୟୁରୋ : ରାଜ୍ୟରେ ଅଣ କୋଭିଡ୍ ରୋଗୀମାନେ ବିଭିନ୍ନ ଡାକ୍ତରଖାନାରେ ଉପଯୁକ୍ତ ଚିକିତ୍ସା ପାଉ ନଥିବାର କେତେକ ଅଭିଯୋଗ ଆସୁଥିବା ବେଳେ ଏନେଇ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏଭଳି ରୋଗୀଙ୍କର ସାମାନ୍ୟତମ ଅବହେଳା ନହୁଏ, ସେଥିପ୍ରତି ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ରାଜ୍ୟରେ ଆମ୍ବୁଲାନ୍ସ ସେବାର ନେଟୱର୍କକୁ ସୁଦୃଢ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ରୋଗୀଙ୍କ ଜୀବନ ବଂଚାଇବା ଆମ ସମସ୍ତଙ୍କ ପ୍ରଥମ କର୍ତବ୍ୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ତେଣୁ ଏହା ଉପରେ ସମସ୍ତେ କାମ କରିବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।  ରାଜ୍ୟର କରୋନା ମୁକାବିଲା ନେଇ ସମୀକ୍ଷା କରିବା ଅବସରରେ ଏହି କଥା କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହ କୋଭିଡ ଡ୍ୟୁଟି ସମୟରେ ପ୍ରାଣ ହରାଉଛିବା  କୋଭିଡ୍ ଯୋଦ୍ଧାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ସହାୟତା ଦେବାକଥା ପୁଣି ଥରେ ଦୋହରାଇଛନ୍ତି ନବୀନ । ସେହିପରି ଅଙ୍ଗନବାଡି ଓ ଆଶାକର୍ମୀଙ୍କ ନିକଟତମ  ଆତ୍ମୀୟମାନେ ମାସିକ ୭୫୦୦ ଟଙ୍କା ଓ ୫୦୦୦ ଟଙ୍କା  ଲେଖାଏଁ ସହାୟତା ପାଇବେ ବୋଲି ନବୀନ ପୁଣି ଥରେ ଏହି ସମୀକ୍ଷା ବୈଠକରେ କହିଛନ୍ତି ।