କୋଭିଡ ପରିଚାଳନା ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ।  ପାର୍ବଣ ସମୟରେ ଅଧିକ ସତର୍କ ରହିବା ଉପରେ ଗୁରୁତ୍ୱ : ୟୁରୋପରେ ଦେଖାଦେଇଛି ସେକେଣ୍ଡ ୱେଭ

201

କନକ ବ୍ୟୁରୋ : କୋଭିଡ ପରିଚାଳନା ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମୀକ୍ଷା ପରେ ପାର୍ବଣ ସମୟରେ ଅଧିକ ସତର୍କ ରହିବା ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି । ୟୁରୋପରେ ସେକେଣ୍ଡ ୱେଭ୍ ଦେଖା ଦେଇଥିବାର ଉଦାହରଣ ଦେଇ ସେ କହିଛନ୍ତି, ଢ଼ିଲା ପଣ ଦେଖାଇଲେ ସ୍ଥିତି ଗମ୍ଭୀର ହେବାର ଆଶଙ୍କା ରହିଛି । ତେଣୁ ସତର୍କ କରାଇଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଅର୍ଥନୈତିକ କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେବା ସହ ଏଥିରେ କୌଣସି ବାଧାକୁ ବରଦାସ୍ତ କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ରାଜ୍ୟରେ କୋଭିଡ୍ ପରିଚାଳନାର ସମୀକ୍ଷା କରିଥିଲେ । ମୁଖ୍ୟମନ୍ତ୍ରୀ କହିଛନ୍ତି, ଅଧିକାଂଶ ଜିଲ୍ଲାରେ ସଂକ୍ରମଣ କମୁଛି । କଟକ, ଖୋର୍ଦ୍ଧା, ପୁରୀ ପରି ଅଧିକ ସଂକ୍ରମଣ ଥିବା ଜିଲ୍ଲାରେ ମଧ୍ୟ ପରିସ୍ଥିତିରେ ସୁଧାର ଆସିଛି । ତେବେ ଶୀତ ରୁତୁ ଓ ପାର୍ବଣ ସମୟରେ ଅଧିକ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କେରଳର ଉଦାହରଣ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତିି, ଓମନ୍ ପରେ ରାଜ୍ୟରେ ସ୍ଥିତି ବଦଳି ଯାଇଛି । ୟୁରୋପରେ ମଧ୍ୟ ସେକେଣ୍ଡ ୱେଭ ଦେଖାଦେଇଛି । ତେଣୁ ପ୍ରଶାସନକୁ ସତର୍କ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।