ଓଡିଶା ଆଦର୍ଶ ଉତ୍କର୍ଷ ବିଦ୍ୟାଳୟ: ୧୦ ସୂତ୍ରୀ ଲକ୍ଷ୍ୟ ରଖିଲେ ମୁଖ୍ୟମନ୍ତ୍ରୀ

97

କନକ ବ୍ୟୁରୋ: କିପରି ଅଧିକ ଓଡିଆ ପିଲା ମେଡିକାଲ ଓ ଇଂଜିନିୟରିଂ ପ୍ରବେଶିକା ପରୀକ୍ଷାରେ ସଫଳ ହେବେ ସେନେଇ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ପ୍ରୟାସ । ଏଥିପାଇଁ ଭୁବନେଶ୍ୱର ଉପକଣ୍ଠ ଅନ୍ଧାରୁଆରେ ହେବାକୁ ଯାଉଛି ଓଡିଶା ଆଦର୍ଶ ଉକ୍ରର୍ଷ ବିଦ୍ୟାଳୟ । ପଚିଶ ଏକର ଜମି ଉପରେ ନିର୍ମିତ ହେବାକୁ ଥିବା ଏହି ଆବାସିକ ବିଦ୍ୟାଳୟ ଓଡିଶାରେ ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ ସୁଯୋଗ ହେବ । ୧୮ ମାସରେ କାମ ସରିବ ଆଉ ଏକ ହଜାର ଛାତ୍ରଛାତ୍ରୀ ପାଠ ପଢିବେ । ଓଡିଶାର ସମସ୍ତ ଆଦର୍ଶ ବିଦ୍ୟାଳୟରୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ବଛାଯାଇ ଯୁକ୍ତ ଦୁଇ ବିଜ୍ଞାନରେ ଆଡମିସନ ଦିଆଯିବ ।

ତେବେ ଆଦର୍ଶ ବିଦ୍ୟାଳୟରେ କଣ ରହିବ ବିଶେଷତ୍ୱ, ୧୦ ସୂତ୍ରୀ ଲକ୍ଷ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୁରୁଦିବସ ଅବସରରେ ଓଡିଶା ଆଦର୍ଶ ବିଦ୍ୟାଳୟ ପାଇଁ ୪୪୩ ନୂଆ ଶିକ୍ଷକଙ୍କୁ ନିଯୁକ୍ତି ମିଳିଥିବା ବେଳେ ସେଥିରୁ ୧୫୭ ଜଣ ଶିକ୍ଷୟିତ୍ରୀ ଅଛନ୍ତି । ଓଡିଶା ଆଦର୍ଶ ବିଦ୍ୟାଳୟ ଦେଶ ପାଇଁ ରୋଲ ମଡେଲ ହେବାକୁ ଥିବା ବେଳେ ଏହା ପିଲାଙ୍କ ସ୍ୱପ୍ନକୁ ସାକାର କରିବ । ନୂଆ ଏବଂ ରୂପାନ୍ତରିତ ଓଡିଶା ଗଠନରେ ଏହା ବଡ ଭୂମିକା ଗ୍ରହଣ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ତା ସହ ୧୦ ସୂତ୍ରୀ ଲକ୍ଷ୍ୟ ବି ସ୍ଥିର କରିଛନ୍ତି ।

ସମସ୍ତ ଓଡିଶା ଆଦର୍ଶ ବିଦ୍ୟାଳୟର କ୍ୟାମ୍ପସକୁ ଗ୍ରୀନ କ୍ୟାମ୍ପସ କରିବା ଲକ୍ଷ୍ୟ । ପ୍ରତିଭାମାନଙ୍କ କେନ୍ଦ୍ରସ୍ଥଳୀ ହେବ ଓଡିଶା ଆଦର୍ଶ ବିଦ୍ୟାଳୟ । ଯେଉଁଠୁ ପ୍ରତିବର୍ଷ ଅତି କମରେ ଜଣେ ଛାତ୍ର ଜାତୀୟ ପ୍ରବେଶିକା ପରୀକ୍ଷାରେ ଉତୀର୍ଣ୍ଣ ହେଉଥିବେ । କରୋନା ନିୟମ ମାନି ଚଳିତ ବର୍ଷ ଅତି କମରେ ଗୋଟିଏ ରକ୍ତଦାନ ଶିବିର କରିବେ । ପ୍ରତି ଓଡିଶା ଆଦର୍ଶ ବିଦ୍ୟାଳୟ ୧୦ ବର୍ଷର ରୋଡମ୍ୟାପ ପ୍ରସ୍ତୁତ କରିବେ । ସବୁ ଓଏଭିରେ ଏକ ୱେବପେଜ ରହିବ । ମାସକୁ ଓଏଭି ନ୍ୟୁଜ୍ ପ୍ରକାଶ କରାଯିବ । ଏଥିସହ ଓଡିଶା ଆଦର୍ଶ ବିଦ୍ୟାଳୟ ଯୋଗ, ଖେଳ ଏବଂ ସ୍ୱାସ୍ଥ୍ୟକୁ ପ୍ରୋତ୍ସାହନ ଦେବ ବୋଲି ଲକ୍ଷ୍ୟ ରଖାଯାଇଛି ।