ଚର୍ଚ୍ଚାରେ ‘ଜୁନିୟର ମୁଖ୍ୟମନ୍ତ୍ରୀ’ । ଯୋଗୀ ଆଦିତ୍ୟନାଥଙ୍କ ବେଶରେ ନଜର ଆସିଲେ ଏହି କୁନି ପୁଅ…

163

କନକ ବ୍ୟୁରୋ: ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଆଜିର ଦିନରେ ସମସ୍ତେ ଜାଣିଛନ୍ତି । ହେଲେ ଏବେ ଚର୍ଚ୍ଚାକୁ ଆସିଛନ୍ତି ଜୁନିୟର ଯୋଗୀ । ଯାହାଙ୍କ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ ହେଉଥିବାବେଳେ, ଲୋକମାନେ ମଧ୍ୟ ତାଙ୍କ ଭିଡିଓକୁ ସେୟାର କରୁଥିବା ଦେଖିବାକୁ ମିଳିଛି । ତେବେ ଭାଇରାଲ ହେଉଥିବା ଏହି କୁନି ପିଲାର ନାଁ ହେଉଛି ଅଙ୍କିତ । ଯିଏକି ଅବିକଳ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଗେଟଅପ୍ ନେଇ ରାସ୍ତାରେ ଚାଲୁଥିବା ଭିଡିଓରେ ଦେଖିବାକୁ ମିଳିଛି । ଖାଲି ସେତିକି ନୁହେଁ ତାଙ୍କ ଚାରିପାଖରେ ବଡିଗାର୍ଡ ଥିବା ସହିତ ଲୋକଙ୍କ ଗହଳି ଭିତରେ ଜୁନିୟର ଯୋଗୀ ଚାଲୁଥିବା ନଜର ଆସିଛି ।

ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୁଧବାର ଗ୍ରେଟର ନୋଏଡା ଗସ୍ତରେ ଯାଇଥିଲେ । ଆଉ ଏହି ପୋଗ୍ରାମରେ ହଠାତ୍ ଜଣେ ଛୋଟ ଛୁଆକୁ ମୁଖ୍ୟମନ୍ତ୍ରୀଙ୍କ ଗେଟଅପରେ ଦେଖି ସମସ୍ତେ ଚମକି ଯାଇଥିଲେ । ଏଥିସହିତ ଅଙ୍କିତଙ୍କ ଫଟୋ ମଧ୍ୟ ସୋସିଆଲ୍ ମିଡିଆରେ ଛାଇ ଯାଇଥିଲା । ଦିନକ ଭିତରେ ସେ ସୋସିଆଲ୍ ମିଡିଆ ସେନସେସନ୍ ପାଲଟିବା ସହିତ ତାଙ୍କ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଗସ୍ତରେ ଅନେକ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ସମ୍ରାଟ ଭୋଜ କଲେଜରେ ମୁଖ୍ୟମନ୍ତ୍ରୀ ସମ୍ରାଟ ମିହିର ଭୋଜଙ୍କ ପ୍ରତିମା ଉନ୍ମୋଚନ କରିଥିଲେ । ଏଥିସହିତ ସମ୍ରାଟ ଭୋଜଙ୍କ ବିଜୟ ଗାଥା ମଧ୍ୟ ବର୍ଣ୍ଣନା କରିଥିଲେ ଯୋଗୀ । ତାଙ୍କ ରାଜତ୍ୱ ସମୟରେ ତାଲିବାନୀମାନଙ୍କର ଶାସନ ଟଳମଳ ହୋଇଥିଲା । ସେ ଆଫଗାନିସ୍ତାନ ଶାସନକୁ ବର୍ବାଦ କରିଦେଇଥିଲେ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି କାର୍ଯ୍ୟକ୍ରମରେ କହିଥିଲେ ।