କନକ ବ୍ୟୁରୋ : ନୂଆ ରାଜନୀତିରେ କାମ ବଦଳାଇବା ଠାରୁ ନାମ ବଦଳାଇବା ଏକ ଫ୍ୟାସନରେ ପରିଣତ ହୋଇଛି । ଯେ କୌଣସି ସହର, ରେଳ ଷ୍ଟେସନ ଓ ସ୍ମାରକକୁ ବିକଶିତ କରିବା ପରିବର୍ତ୍ତେ ନାମ ପରିବର୍ତ୍ତନ କରି ଚର୍ଚ୍ଚା ସାଉଣ୍ଟିବାକୁ ନେତାମାନଙ୍କ ଭିତରେ ପ୍ରତିଯୋଗିତା ଚାଲିଛି । ଏହି ପ୍ରତିଯୋଗିତାରେ ସବୁଠୁ ଆଗରେ ଅଛନ୍ତି ଉତ୍ତରପ୍ରଦେଶର ଚର୍ଚ୍ଚିତ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।
ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୈଜାବାଦ ରେଳ ଷ୍ଟେସନର ନାମ ବଦଳାଇ ଏହାକୁ ଅଯୋଧ୍ୟା କ୍ୟାଣ୍ଟ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ସୂଚନା ମୁତାବକ ଭାରତ ସରକାରଙ୍କ ତରଫରୁ ଏହି ନାମ ଉପରେ ମୋହର ଲାଗିସାରିଛି । ଅନ୍ୟପଟେ ୟୁପି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି କି ମୁଖ୍ୟମନ୍ତ୍ରୀ ଫୈଜାବାଦ ରେଳ ଷ୍ଟେସନର ନାମ ଅଯୋଧ୍ୟା କ୍ୟାଣ୍ଟ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ।
କହିରଖୁ କି ବିଜେପି ସାଂସଦ ଲଲ୍ଲୁ ସିଂହ ଫୈଜାବାଦ ରେଳ ଷ୍ଟେସନର ନାମ ବଦଳାଇ ଅଯୋଧ୍ୟା କ୍ୟାଣ୍ଟ ରଖିବାକୁ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ପ୍ରସ୍ତାବ ଦେଇଥିଲେ । ଏନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିବା ପରେ ଲଲ୍ଲୁ ସିଂ ଖୁସି ବ୍ୟକ୍ତ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।
ସୂଚନା ଥାଉକି ଯୋଗୀ ସରକାର ଏହା ପୂର୍ବରୁ ଆହ୍ଲାବାଦର ନାମ ବଦଳାଇ ପ୍ରୟାଗରାଜ ଓ ଫୈଜାବାଦର ନାମ ବଦଳାଇ ଅଯୋଧ୍ୟା କରିସାରିଛନ୍ତି । କେବଳ ସେତିକି ନୁହେଁ ମୁଗଲସରାଇର ନାମ ପରିବର୍ତ୍ତନ କରି ଦୀନ ଦୟାଲ ଉପାଧ୍ୟାୟ ନଗର କରିବା ସହ ଝାନ୍ସି ରେଳ ଷ୍ଟେସନର ନାମ ରାଣୀ ଲକ୍ଷ୍ମୀବାଇଙ୍କ ନାମରେ ନାମିତ କରିବାକୁ ସୁପାରିଶ କରିଛନ୍ତି ।