କନକ ବ୍ୟୁରୋ : ଆଜି ସମ୍ବଲପୁର କୁଚିଣ୍ଡା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୁଚିଣ୍ଡାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ । ଏଥିସହିତ, ସମ୍ବଲପୁର ମହାନଗର, ଜିଲ୍ଲାର ବିଭିନ୍ନ ବ୍ଲକ ଓ ଏନ୍ଏସି ଅଂଚଳରେ ମନ୍ତ୍ରୀ ଏବଂ ବିଭିନ୍ନ ବିଭାଗର ଦାୟିତ୍ବରେ ଥିବା ନେତାମାନେ ମଧ୍ୟ ଅନୁରୂପ ଭାବେ ସ୍ବାସ୍ଥ୍ୟ କାର୍ଡ ବାଣ୍ଟିବେ । ପ୍ରାୟ ସମସ୍ତେ ସୋମବାର ସନ୍ଧ୍ୟା ସୁଦ୍ଧା ନିଜ ସହାୟକ ଅଧିକାରୀ/କର୍ମଚାରୀମାନଙ୍କ ସହିତ ସମ୍ବଲପୁର ଜିଲ୍ଲାରେ ପହଂଚି ପହଞ୍ଚିଛନ୍ତି । ବିଜେଡି ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ନିଜେ କୁଚିଣ୍ଡାରେ ସମସ୍ତ ପ୍ରସ୍ତୁତିର ତଦାରଖ କରିବା ସହିତ ସମ୍ବଲପୁର ସର୍କିଟ୍ ହାଉସ୍ରେ ଦଳୀୟ ନେତାମାନଙ୍କ ସହିତ ଆଲୋଚନା କରିଛନ୍ତି।
ସୂଚନା ଅନୁସାରେ, ଆଜି ଦିନ ୧୧ଟାରେ ମୁଖ୍ୟମନ୍ତ୍ରୀ କୁଚିଣ୍ଡା ମୁକୁନ୍ଦି ପଡ଼ିଆ ସଭାସ୍ଥଳରେ ପହଂଚିବେ । ଉପମୁଖ୍ୟ ସଚେତକ ତଥା ବିଧାୟକ ଇଂ.ରୋହିତ ପୂଜାରୀଙ୍କ ସ୍ବାଗତ ଭାଷଣ ପରେ କୁଚିଣ୍ଡା ବିଧାୟକ କିଶୋର ନାୟକ, ସମ୍ବଲପୁର ଲୋକସଭା ସାଂସଦ ନିତେଶ ଗଙ୍ଗଦେବ, ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ପରେ ମୁଖ୍ୟମନ୍ତ୍ରୀ କିଛି ହିତାଧିକାରୀଙ୍କୁ ସ୍ବାସ୍ଥ୍ୟକାର୍ଡ ବାଣ୍ଟିବେ । ମୁଖ୍ୟମନ୍ତ୍ରୀ ୧୧ଟା ୩୭ରୁ ୧୧ଟା ୪୧ ପର୍ଯ୍ୟନ୍ତ ଉପସ୍ଥିତ ଜନତାଙ୍କୁ ଉଦ୍ବୋଧନ ଦେବା ପରେ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ ଧନ୍ୟବାଦ ଅର୍ପଣ କରିବା କାର୍ଯ୍ୟକ୍ରମ ରହିଛି ।
ମୁଖ୍ୟମନ୍ତ୍ରୀ ବାରିପଦା ଗସ୍ତ କରିବା ସମୟରେ ବିଜେପି ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଥିଲା । କଳାପତାକା ଦେଖାଇଥିଲେ । ମମିତା ମେହେର ହତ୍ୟାକାଣ୍ଡକୁ ନେଇ ଗତକାଲି ସମ୍ବଲପୁର ବିଜେପି ବିଧାୟକ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଏକାଧିକ ପ୍ରଶ୍ନ କରିଥିଲେ । କୁଚିଣ୍ଡାର ବିଭିନ୍ନ ଅସମ୍ପୂର୍ଣ୍ଣ ପ୍ରକଳ୍ପ କାହିଁକି ଶେଷ ହୋଇନାହିଁ ସେ ନେଇ ପଚାରିଥିଲେ । ତେଣୁ ଆଜି ବି ବିଜେପି ବିରୋଧ କରିବାର ଯଥେଷ୍ଟ ଆଶଙ୍କା ରହିଛି । ଏସବୁକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି ପୋଲିସ ।