କନକ ବ୍ୟୁରୋ: ୩ ଦିନିଆ ଗସ୍ତରେ ଯାଇ ଜାପାନରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବାନ ପଟ୍ଟନାୟକ । ଟୋକିଓରେ ନିପନ୍ ଷ୍ଟିଲସର ସଭାପତି ଇଜି ହାସିମୋଟୋଙ୍କୁ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ବୈଠକରେ ଓଡ଼ିଶାରେ ଆର୍ସେଲର ମିତଲ ଓ ନିପନ ଷ୍ଟିଲର ସଂପ୍ରସାରଣ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି । ଓଡ଼ିଶାରେ ଦୁଇଟି ମେଗା ଷ୍ଟିଲ ପ୍ଲାଂଟ୍ ପାଇଁ ଆର୍ସେଲର ମିତଲ ଓ ନିପନ ଷ୍ଟିଲ୍ ପୂର୍ବରୁ ସରକାରଙ୍କ ସହ ଏମଓୟୁ କରିଥିଲା । ଏଥିରେ ୯୩ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ହେବ । ଏହାବାଦ୍ ଜାପାନର ବଡ଼ ବଡ କମ୍ପାନୀର ପ୍ରତିନିଧିିଙ୍କ ସହ ୱାନ୍ ଟୁ ୱାନ୍ ବୈଠକ କରିବେ ମୁଖ୍ୟମନ୍ତ୍ରୀ । ବୁଧବାର ହେବାକୁ ଥିବା ଓଡ଼ିଶା ବିଜ୍ନେସ୍ ମିଟରେ ଯୋଗଦେବେ । ସେଠାକାର ପ୍ରବାସୀ ଓଡିଆଙ୍କୁ ଭେଟିବା ସହ ରାତ୍ରୀ ଭୋଜନ କାର୍ଯାକ୍ରମ ରହିଛି ।

Advertisment

ମୁଖ୍ୟମନ୍ତ୍ରୀ ଜାପାନରେ ପହଞ୍ଚିବା ପରେ ଭାରତୀୟ ରାଷ୍ଟ୍ରଦୂତ ସିବି ଜର୍ଜ ତାଙ୍କୁ ସ୍ୱାଗତ କରିଥିଲେ । ସୋମବାର ସନ୍ଧ୍ୟାରେ ସିଙ୍ଗାପୁରରେ ପହଞ୍ଚିବା ପରେ ରାତିରେ ଟୋକିଓ ଅଭିମୁଖେ ଉଡାଣ ଭରିଥିଲେ ମୁଖ୍ୟମନ୍ତ୍ରୀ । ୭ ଘଣ୍ଟାର ଯାତ୍ରା ପରେ ମୁଖ୍ୟମନ୍ତ୍ରୀ ଟୋକିଓରେ ପହଞ୍ଚିବା ନେଇ ଫାଇଭ୍-ଟି ସଚିବ ଭି.କେ ପାଣ୍ଡିଆନ୍ ଇନ୍ଷ୍ଟାଗ୍ରାମ୍ରେ ସୂଚନା ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ମଧ୍ୟ ଜାପାନ ଗସ୍ତ କରିଛନ୍ତି ।

ତେବେ ବିଦେଶୀ ପୁଞ୍ଜି ନିବେଶକୁ ଆକୃଷ୍ଟ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବ୍ୟୟବହୁଳ ବିଦେଶ ଗସ୍ତକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ । ନୂଆକରି କଂଗ୍ରେସରେ ଯୋଗ ଦେଇଥିବା ପୂର୍ବତନ ପ୍ରଶାସକ ବିଜୟ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି- ଏ ପର୍ଯ୍ୟନ୍ତ କେତେ ବିଦେଶୀ ନିବେଶକ ଓଡି଼ଶାକୁ ଆସିଛନ୍ତି? ତାଙ୍କ ଅଭିଯୋଗ ହେଲା, ଆରଟିଆଇ ତଥ୍ୟ ଅନୁସାରେ ୨୦୧୬ରୁ ୨୦୨୨ ମଧ୍ୟରେ ମାତ୍ର ୫ ବିଦେଶୀ ନିବେଶକ ଓଡି଼ଶାରେ ଶିଳ୍ପ ପ୍ରତିଷ୍ଠା କରିବାକୁ ଆସିଛନ୍ତି । ଏଥିପାଇଁ ରାଜ୍ୟ ସରକାର ଖର୍ଚ୍ଚ କରିଛନ୍ତି ୧ ହଜାର ୩୬୮ କୋଟି ୫୪ ଲକ୍ଷ ଟଙ୍କା । ତେଣୁ ଏତେ ମହଙ୍ଗା ବିଦେଶ ଗସ୍ତ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି । ବିଜେପି ମଧ୍ୟ ସମାନ ଢଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତକୁ ନେଇ ପ୍ରଶ୍ନ ଉଠାଇଛି । ପୂର୍ବରୁ ମୁଖ୍ୟମନ୍ତ୍ରୀ ବିଦେଶ ଯାଉନଥିବାବେଳେ ରାଜ୍ୟକୁ ୭ ଲକ୍ଷ କୋଟିର ପୁଞ୍ଜି ନିବେଶ ଆସିଥିଲା । ୨୫ ବର୍ଷ ଭିତରେ ତାହାର ୧୦ରୁ ୨୦ ପ୍ରତିଶତ ମଧ୍ୟ ବିନିଯୋଗ କରିପାରି ନାହାନ୍ତି । ରାଜ୍ୟରେ ଭିତ୍ତିଭୂମି ଓ ଶିଳ୍ପ ଅନୁକୂଳ ପରିବେଶ ତିଆରି ହୋଇପାରି ନାହିଁ ବୋଲି କହିଛି ବିଜେପି ।

ପୂର୍ବରୁ ୨୦୧୮ରେ ଅନୁଷ୍ଠିତ ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ଜାପାନର ପ୍ରତିନିଧିମାନେ ଯୋଗଦେଇଥିଲେ । ଏବେ ଜାପାନର ପ୍ରାୟ ୫୦ରୁ ଅଧିକ କମ୍ପାନୀ ଓଡ଼ିଶାରେ ବିଭିନ୍ନ କ୍ଷେତ୍ରରେ କାରବାର କରୁଛନ୍ତି । ଓଡ଼ିଶାରେ ପୁଞ୍ଜିନିବେଶ ଓ ନିଯୁକ୍ତିର ସମ୍ଭାବନାକୁ ବୃଦ୍ଧି କରିବା ପାଇଁ ନିୟମିତ ଉଦ୍ୟମ ଜାରି ରଖିଛନ୍ତି ଓଡ଼ିଶା ସରକାର । ଗତବର୍ଷ ହୋଇଥିବା ମେକ୍ ଇନ୍ ଓଡ଼ିଶା କନକ୍ଲେଭର ତୃତୀୟ ସଂସ୍କରଣରେ ଓଡ଼ିଶାକୁ ୧୦ଲକ୍ଷ ୫୦ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ପ୍ରସ୍ତାବ ଆସିଥିଲା । ଏହି ପୁଞ୍ଜିନିବେଶ ସମ୍ଭାବନା ଜରିଆରେ ପ୍ରାୟ ୧୦ ଲକ୍ଷ ୫୦ ହଜାର ପ୍ରତ୍ୟକ୍ଷ ଓ ପରୋକ୍ଷ କର୍ମନିଯୁକ୍ତିର ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର ।