ଜେଲରୁ ବାର୍ତ୍ତା ଦେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ । କହିଲେ ମୁଁ ଅରବିନ୍ଦ କେଜ୍ରିୱାଲ, ମୁଁ ନୁହେଁ ଆତଙ୍କବାଦୀ

252

କନକ ବ୍ୟୁରୋ: ବହୁଚର୍ଚ୍ଚିତ ମଦ ଦୁର୍ନୀତି ମାମଲାରେ ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଶ୍ୱସ୍ତି ପାଇବା ବଦଳରେ ତାଙ୍କୁ ଗୋଟେ ପରେ ଗୋଟେ ଝଟକା ମିଳୁଛି । କୋର୍ଟ ବାରମ୍ବାର ଆବେଦନ ଖାରଜ କରିବା ପରେ ନିରାଶ ହୋଇପଡିଥିବା କେଜ୍ରିୱାଲ ଏବେ ଜେଲରୁ ରହି ବାର୍ତ୍ତା ପଠାଇଛନ୍ତି । ଏହି ବାର୍ତ୍ତାକୁ ସାମ୍ବାଦିକ ସମ୍ମିଳନୀ କରିି ପ୍ରକାଶ କରିଛନ୍ତି ଆମ ଆଦମୀ ପାର୍ଟି ନେତା ସଂଜୟ ସିଂ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି ମୋର ନାମ ଅରବିନ୍ଦ କେଜ୍ରିୱାଲ, ମୁଁ ଆତଙ୍କବାଦୀ ନୁହେଁ ।

  • ଜେଲରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା
  • ମୋ ନାଁ ଅରବିନ୍ଦ କେଜ୍ରିୱାଲ, ମୁଁ ଆତଙ୍କବାଦୀ ନୁହେଁ

ସଞ୍ଜୟ କହିଛନ୍ତି ଜେଲରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସହ ଆତଙ୍କବାଦୀ ପରି ବ୍ୟବହାର କରାଯାଉଛି । ପରିବାର, ସର୍ମ୍ପକୀୟ ଓ ଦଳୀୟ କର୍ମୀ ଗଲେ ସଠିକ ଭାବେ ସାକ୍ଷାତ କରିବାକୁ ଅନୁମତି ମିଳୁନି । ସେପଟେ ସୋମବାର କେଜ୍ରିୱାଲଙ୍କୁ ଜେଲରୁ ଭେଟିବା ପରେ କଡ଼ା ପ୍ରତିକ୍ରିୟା ରଖିଥିଲେ ଆପ ନେତା ତଥା ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ । ମାନ କହିଥିଲେ ୨୪ ଘଣ୍ଟିଆ ସିସିଟିଭି ନଜରରେ ରହିଛନ୍ତି କେଜ୍ରିୱାଲ । ତାଙ୍କୁ ହତାଶ କରାଯାଉଛି, ଅପମାନ ଦିଆଯାଉଛି ।

ସଂଜୟ ଓ ଭଗୱନ୍ତ ମାନଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ଦିଲ୍ଲୀ ବିଜେପି ପ୍ରଦେଶ ଅଧ୍ୟକ୍ଷ ବିରେନ୍ଦ୍ର ସଚଦେବ । ବିଜେପି ନେତା କହିଛନ୍ତି ତିହାର ଜେଲ ଦିଲ୍ଲୀ ସରକାରଙ୍କ ଅଧିନରେ ଆସେ । ସରକାର ଯେଉଁ ନିୟମ ସାଧାରଣ ଅଭିଯୁକ୍ତଙ୍କ ପାଇଁ କରିଛନ୍ତି ସେହି ନିୟମ ମୁଖ୍ୟମନ୍ତ୍ରୀ ଓ ସମସ୍ତ ଅଭିଯୁକ୍ତଙ୍କ ଲାଗୁ ହେବ । ଏଥିରେ ଆପ କ’ଣ ପାଇଁ ପ୍ରଶ୍ନ ଉଠାଉଛି । ପରସ୍ପରର ଦୋଷକୁ ଲୁଚାଇବାକୁ ଆପ ନେତା,ମନ୍ତ୍ରୀ ଏଭଳି ଅଭିଯୋଗ ଆଣୁଥିବା କହିଛନ୍ତି ବିଜେପି ପ୍ରଦେଶ ଅଧ୍ୟକ୍ଷ ।

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଦିନକୁ ଦିନ କେଜ୍ରିୱାଲଙ୍କ ସମସ୍ୟା ବଢ଼ୁଛି । ସେପଟେ ଇଡି ରିମାଣ୍ଡ ଓ ଗିରଫଦାରୀକୁ ବିରୋଧ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତୁରନ୍ତ ଶୁଣାଣୀ ପାଇଁ ଯେଉଁ ଆବେଦନ କରିଥିଲେ ତାକୁ କୋର୍ଟ ଖାରଜ କରିଛନ୍ତି । ସୋମବାର ଶୁଣାଣୀ କରି ଆବେଦନ ଖାରଜ କରିବା ସହ ଇଡି ଓ କେଜ୍ରିୱାଲଙ୍କଠୁ ୨୭ ତାରିଖ ସୁଦ୍ଧା ଜବାବ ମାଗିଛନ୍ତି । ୨୯ରେ ହେବ ପରବର୍ତୀ ଶୁଣାଣୀ ।