ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ : କୋଭିଡ୍ ସ୍ଥିତିରେ ଦଶମ ଓ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା ନେଇ ଲେଖିଲେ ଚିଠି

ଦଶମ ଓ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା ପାଇଁ ଜାତୀୟ ସ୍ତରରେ ଗାଇଡଲାଇନ ଆଣିବାକୁ ଅରୁରୋଧ; କରୋନା ଯୋଗୁଁ ପାଠ ପଢ଼ା ବିଳମ୍ବିତ ହୋଇଥିବା ଦର୍ଶାଇ ସବୁ ପରୀକ୍ଷା ପାଇଁ ଟାଇମ ଫ୍ରେମ ପ୍ରସ୍ତୁତ କରିବାକୁ ଦାବି

239

କନକ ବ୍ୟୁରୋ : ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ଜାତୀୟ ସ୍ତରର ଗାଇଡଲାଇନ ଆଣିବାକୁ ଦାବୀକରି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ । ଏହାଦ୍ୱାରା ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମନରେ ପରୀକ୍ଷା ନେଇ ଥିବା ଦ୍ୱନ୍ଦ୍ୱ ବି ଦୂର ହୋଇପାରିବ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି । ଛାତ୍ରଛାତ୍ରୀଙ୍କ ନିରାପତ୍ତା ପାଇଁ ରାଜ୍ୟରେ ୧୭ ମାର୍ଚ୍ଚ ଠାରୁ ସ୍କୁଲ ଓ କଲେଜ ବନ୍ଦ କରାଯାଇଥିବା ବେଳେ ବର୍ତ୍ତମାନ ଡିଜିଟାଲ ମୋଡରେ ପିଲାଙ୍କୁ ଶିକ୍ଷା ଦିଆଯାଉଛି । କିନ୍ତୁ ତାହା ବୋର୍ଡ ପରୀକ୍ଷା ପାଇଁ ଯଥେଷ୍ଟ ନୁହେଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ବର୍ତ୍ତମାନ ପରୀକ୍ଷା ହେବ କି ନାହଁ ସେନେଇ ସମସ୍ତଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି । ସମସ୍ତ ଉଚ୍ଚତର ଶିକ୍ଷା ପରସ୍ପର ସହ ଜଡିତ ହୋଇଥିବାରୁ ବୋର୍ଡ ପରୀକ୍ଷା ପାଇଁ ନିର୍ଦ୍ଧାରିତ ସମୟସୀମା ଭିତରେ ଏକ ଜାତୀୟ ଗାଇଡଲାଇନ ଆସିବା ଆବଶ୍ୟକ । ଉପଯୁକ୍ତ ଗାଇଡଲାଇନ ଆସିବା ଦ୍ୱାରା ରାଜ୍ୟମଧ୍ୟ ପରୀକ୍ଷା ପାଇଁ ନିଜସ୍ୱ ଗାଇଡଲାଇନ ଆଣିପାରିବ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି ।