ଏପ୍ରିଲରେ ଜାପାନ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡିଶାରେ ପୁଞ୍ଜିନିବେଶ ପାଇଁ ଶିଳ୍ପପତିଙ୍କ ସହ କରିବେ ଆଲୋଚନା

104

କନକ ବ୍ୟୁରୋ: ଆସନ୍ତା ମାସ ପ୍ରଥମ ସପ୍ତାହରେ ଜାପାନ ଯାଇପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ସରକାରଙ୍କ ମହତ୍ୱାକାଂକ୍ଷୀ ପରିକଳ୍ପନା ମେକ୍ ଇନ୍ ଓଡ଼ିଶାକୁ ଆହୁରି ବ୍ୟାପକ କରିବା ଏବଂ ପୁଞ୍ଜି ନିବେଶକଙ୍କୁ ଆକର୍ଷିତ କରିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ଜାପାନ ଯାଉଥିବା ସୂଚନା ମିଳିଛି । ତେବେ ଓଡ଼ିଶାରେ ପୁଞ୍ଜି ନିବେଶ ଓ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍କୁ ନେଇ ବାରମ୍ବାର ପ୍ରଶ୍ନ ଉଠାଇ ଆସୁଛନ୍ତି ବିରୋଧୀ ।

  • ଜାପାନ ଯିବେ ନବୀନ
  • ବିଦେଶରୁ ଆସିବ ପୁଞ୍ଜିନିବେଶ

ଓଡିଶାକୁ ଶିଳ୍ପହବରେ ପରିଣତ କରିବାକୁ ପୁଣି ବିଦେଶ ଯିବେ ନବୀନ ପଟ୍ଟନାୟକ । ଏପ୍ରିଲ ପ୍ରଥମ ସପ୍ତାହରେ ଜାପାନାର ଅନେକ ବଡ ବଡ ଶିଳ୍ପପତିଙ୍କୁ ଭେଟି ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ୨୦୨୨ ମେକ ଇନ ଓଡିଶା କାର୍ଯ୍ୟକ୍ରମରେ ଓଡିଶା ଭାଗ ନେଇଥିଲା । ଜାପାନ ସହ ଅନେକ କ୍ଷେତ୍ରରେ ଓଡିଶାର ବାଣିଜ୍ୟିକ ସମ୍ପର୍କ ଥିବାରୁ ଓଡିଶାରୁ ନିବେଶର ଏକ ବାତାବରଣ ସୃଷ୍ଟି ହୋଇପାରେ । ଏପରିକି ଭାରତରେ ଅବସ୍ଥାପିତ ଜାପାନ ରାଷ୍ଟ୍ରଦୂତ ମେକ ଇନ ଓଡିଶାରେ ସାମିଲ ହୋଇ ଓଡିଶାରେ ନିବେଶ କଥା କହିଛନ୍ତି ।

ଓଡିଶାର ପ୍ରତିନିଧି ମଣ୍ଡଳ ଜାପାନରେ ନିବେଶକଙ୍କୁ ପେଟ୍ରୋକେମିକାଲ୍ସ, ଖାଦ୍ୟ ପ୍ରକ୍ରିୟାକରଣ ପ୍ଲାଷ୍ଟିକ, ବୟନଶିଳ୍ପ ଓ ପର୍ଯ୍ୟଟନ ଭଳି କ୍ଷେତ୍ରରେ ଅଧିକ ଆକୃଷ୍ଟ କରିବାକୁ ଉଦ୍ୟମ କରିବେ । ନବୀନଙ୍କ ଗସ୍ତକୁ ନେଇ ବିଜେଡି ଉତ୍ସାହିତ ଥିବାବେଳେ ବିରୋଧୀ ବିଧାନସଭା ଅଧିବେଶନ ଚାଲିଥିବାବେଳେ ନବୀନଙ୍କ ବିଦେଶ ଗସ୍ତକୁ ନେଇ ବିରୋଧୀ ପ୍ରତିକ୍ରିୟା ରଖିଛନ୍ତି । ତେବେ ବହୁ ବ୍ୟବଧାନ ପରେ ନବୀନ ପଟ୍ଟନାୟକ ଗତବର୍ଷ ଇଟାଲୀ ସହ ଦୁବାଇ ଗସ୍ତରେ ଯାଇଥିଲେ । ଦୁବାଇରେ ବଡ ବଡ ଶିଳ୍ପପତିଙ୍କ ସହ ଆଲୋଚନା କରିଥିଲେ । ଏବେ ଦ୍ୱିତୀୟ ଥର ଲାଗି ବିଦେଶରେ ଶିଳ୍ପପତିଙ୍କୁ ଆକୃଷ୍ଟ କରିବା ପାଇଁ ଏକ ଉଚସ୍ତରୀୟ ପ୍ରତିନିଧି ଦଳ ବି ନବୀନଙ୍କ ସହ ଜାପାନ ଯିବେ ।