ମୁଖ୍ୟମନ୍ତ୍ରୀଙ୍କ ମିଶନ ଉତ୍ତର ଓଡିଶା : ଉଦଳା ପରେ ମୋରଡା ଓ ବାଙ୍ଗିରିପୋଷୀରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର । ପୁଣି ଥରେ ମୋଦିଙ୍କୁ କଲେ ଟାର୍ଗେଟ୍ 

99

କନକ ବ୍ୟୁରୋ : ବାରିପଦା ଜଗନ୍ନାଥ ମନ୍ଦିରରେ ଦର୍ଶନ ପର ନବୀନ ପ୍ରଥମେ ଉଦଳାର କରପଡାରେ ସାଧାରଣ ସଭାକୁ ସମ୍ବୋଧନ କରିଛନ୍ତି । ତା’ପରେ ମୋରଡାରେ ବିଶାଳ ଜନସଭାକୁ ସମ୍ବୋଧନ କରିବା ବେଳେ ମୋଦି ଓ କେନ୍ଦ୍ରମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି ନବୀନ । ନବୀନ ସିଧାସଳଖ କେନ୍ଦ୍ର ଉପରେ ବର୍ଷିବା ସହ କହିଛନ୍ତି ଏଥର କେନ୍ଦ୍ରରେ କୌଣସି ରାଜନୈତିକ ଦଳକୁ ମିଳିବନି ବହୁମତ । କେନ୍ଦ୍ରରେ ସରକାର ଗଠନରେ ବଡ ଭୂମିକା ନେବ ବିଜେଡି । ସେହିପରି ଉଦଳାରେ ନବୀନ କହିଛନ୍ତି ମୟୂରଭଂଜରେ ମେଡିକାଲ କଲେଜ ସ୍ଥାପନକୁ ଜଣେ କେନ୍ଦ୍ରମନ୍ତ୍ରୀ ବିରୋଧ କରିଥିଲେ । ରାଜ୍ୟ ସରକାର ଏହି ମେଡିକାଲ କଲେଜ ସ୍ଥାପନ ପାଇଁ ରାଜ୍ୟ ସରକାର ୮୦ ପ୍ରତିଶତ ଅର୍ଥ ଖର୍ଚ୍ଚ କରିଥିବା ବେଳେ କେନ୍ଦ୍ର ମାତ୍ର ୨୦ ପ୍ରତିଶତ ଅର୍ଥ ଦେଇଛି । ଆହୁରି ବି କହିଛନ୍ତି, ଲୋକଙ୍କ ଉପକାର ଠାରୁ ନିଜ ସ୍ୱାର୍ଥ କ’ଣ ବଡ । ଏସସି/ଏସଟି ପିଲାଙ୍କ ଛାତ୍ର ବୃତ୍ତି ବନ୍ଦ କଲେ । ମୟୁରଭଂଜରେ ରେଳ ସମ୍ପ୍ରସାରଣ ଶୂନ । ମୟୁରଭଂଜ ପ୍ରତି କେନ୍ଦ୍ର ବିଜେପି ସରକାରର ଦରଦ ଏମିତି । ମୟୁରଭଂଜର ସ୍ୱାଭିମାନୀ ଜନତା ଏହାର ଉଚିତ୍ ଜବାବ ଦେବେ ।

ମୋରଡା  ସମାବେଶ ପରେ ନବୀନ ବାଙ୍ଗିରିପୋଷୀ ଗସ୍ତ କରିଥିଲେ । ଏଠାରେ ବିଶାଳ ଜନସଭାକୁ ସମ୍ବୋଧନ କରିବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଥିଲେ ନବୀନ । ଏହି ମଂଚରେ ମଧ୍ୟ କେନ୍ଦ୍ରକୁ ନିଶାନା କରିଥିଲେ ନବୀନ । ଫାଇଲିନ୍, ହୁଡହୁଡ୍ ବେଳେ ବିଜେପିର କେନ୍ଦ୍ରୀୟ ନେତାଙ୍କ ଦେଖା ନଥିଲା । ଏବେ କେବଳ ଆସି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ନବୀନ ସମାଲୋଚନା କରିଛନ୍ତି । ଦଳୀୟ ପ୍ରାର୍ଥୀଙ୍କୁ ବହୁମାତ୍ରାରେ ଭୋଟ୍ ଦେଇ ଜିତାଇବାକୁ ନବୀନ ଭୋଟରଙ୍କୁ ନିବେଦନ କରିଛନ୍ତି । ଏହି ସମାବେଶରେ ନବୀନ ପୁଣି ଥରେ ପ୍ରତିଶ୍ରୁତି ଦେଇଛନ୍ତି ରାଜ୍ୟର ୪୦ ଲକ୍ଷ ଚାଷୀ ପରିବାରକୁ କାଳିଆ ଯୋଜନାର ବାକି ଥିବା ଦୁଇଟି ପର୍ଯ୍ୟାୟର ଟଂକା ସରକାର ଗଠନର ପ୍ରଥମ ଦିନରେ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ସାରସକଣା ଓ ରାଇରଂଗପୁରରେ ଜନସଭା କରିବା ସହ ଏକାଧିକ ସ୍ଥାନରେ ରୋଡ୍ ସୋ କରିବେ । ମୟୂରଭଂଜ ଗସ୍ତ ଶେଷ କରିବା ପରେ ଯଶୀପୁର ଓ ତିର୍ତ୍ତୋଲରେ ବି ନବୀନ କରିବେ ପ୍ରଚାର ।