ଉପନିର୍ବାଚନ ପୂର୍ବରୁ ସରଗରମ ରାଜନୀତି । ମହାନଦୀ ଉପରେ ଦୁଇଟି ବଡ଼ ବଡ଼ ସେତୁର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ । ସେପଟେ ବସ୍ତିବାସୀଙ୍କ ପାଇଁ କଲେ ବଡ଼ ଘୋଷଣା ।

504

କନକ ବ୍ୟୁରୋ : ତିର୍ତ୍ତୋଲ ଅଂଚଳରେ ମହାନଦୀ ଉପରେ ଦୁଇଟି ବଡ଼ ବଡ଼ ସେତୁର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉପନିର୍ବାଚନ ପୂର୍ବରୁ ସରକାରଙ୍କ ସେତୁ ଉପହାରକୁ ସହଜରେ ନେଇ ପାରିନାହାନ୍ତି ବିରୋଧୀ । ସେପଟେ ଶାସକ ଦଳରେ ଏହାକୁ ନେଇ ଉତ୍ସାହ ଖେଳିଯାଇଛି । କେବଳ ସେତିକି ନୁହେଁ, ଆଜି ବସ୍ତିବାସିନ୍ଦାଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତିି ମୁଖ୍ୟମନ୍ତ୍ରୀ । ତିନି ବର୍ଷ ମଧ୍ୟରେ ରାଜ୍ୟର ସବୁ ବସ୍ତିକୁ ଆଦର୍ଶ ବସ୍ତି କରାଯିବ ବୋଲି କହିଛନ୍ତି ନବୀନ । ବାଲେଶ୍ୱରରୁ ବସ୍ତି ଉନ୍ନତିକରଣ ଯୋଜନାର ଶୁଭାରମ୍ଭ କରାଯାଇଥିବା ବେଳେ ଏହା ପୌରାଂଚଳ ନିର୍ବାଚନକୁ ଦୃଷ୍ଟିରେ ରଖି କରାଯାଉଛି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି ।

ମହାନଦୀ ଉପରେ ୨୦୦ କୋଟି ଟଙ୍କାରେ ୨ ସେତୁ । ତିର୍ତ୍ତୋଲ ଉପ-ନିର୍ବାଚନ ପୂର୍ବରୁ ସରକାରଙ୍କ ଭେଟି । ଉପନିର୍ବାଚନ ତାରିଖ ଘୋଷଣା କରାଯାଇନାହିଁ, ହେଲେ ରାଜନୀତି ସରଗରମ ହେବାରେ ଲାଗିଛି । ଭିଡିଓ କନଫରେନ୍ସିଂ ଜରିଆରେ ତିର୍ତ୍ତୋଲ ଅଂଚଳରେ ମହାନଦୀ ଉପରେ ଦୁଇଟି ସେତୁର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

୧୧୮.୫୬ କୋଟି ଟଙ୍କାର ତିର୍ତ୍ତୋଲ-ପୋସଲ ବ୍ରିଜ୍ । ୮୨.୫୫ କୋଟି ବ୍ୟୟରେ ଜଇପୁର-କଟିକଟା ସେତୁର ଶିଳାନ୍ୟାସ । ଗ୍ରାମ୍ୟ ଉନ୍ନୟନ ଓ ପୂର୍ତ୍ତ ବିଭାଗର ଏହି ଦୁଇ ସେତୁ ହୋଇଛି ଠିକ୍ ଉପନିର୍ବାଚନ ତାରିଖ ଘୋଷଣା ପୂର୍ବରୁ । ବିରୋଧୀ ଏହାକୁ ନିର୍ବାଚନୀ ଚାଲ କହୁଥିବା ବେଳେ ମୁଖ୍ୟମନ୍ତ୍ରୀ କହିଛନ୍ତି କରୋନା ଲଢ଼େଇ ଭିତରେ ବିକାଶ କାମ ଜାରି ରହିବ । ଏହି ଦୁଇ ବ୍ରିଜ୍ ସ୍ଥାନୀୟ ଅଂଚଳରେ ଯୋଗାଯୋଗର ନୂଆ ଯୁଗ ଆରମ୍ଭ କରିବ । ସେପଟେ ବସ୍ତିବାସିନ୍ଦାଙ୍କ ପାଇଁ ଏକ ନୂଆ ଆଶା ଦେଖାଇଛନ୍ତି ସରକାର । ବାଲେଶ୍ୱରରୁ ବସ୍ତି ଉନ୍ନତିକରଣ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ବସ୍ତିବାସୀଙ୍କ ପାଇଁ ବଡ଼ ଘୋଷଣା । ୩ ବର୍ଷ ମଧ୍ୟରେ ସବୁ ବସ୍ତି ହେବ ଆଦର୍ଶ ବସ୍ତି । ବସ୍ତି ଉନ୍ନତିକରଣ ଯୋଜନାର ଶୁଭାରମ୍ଭ କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ବିକାଶରେ ସମସ୍ତଙ୍କର ସମାନ ଅଧିକାର ରହିଛି । ବାଲେଶ୍ୱରର ୪୧ଟି ବସ୍ତିର ୨,୦୫୪ ଜଣ ଓ ସାରା ରାଜ୍ୟରେ ୧ ଲକ୍ଷ ୫ ହଜାର ଲୋକଙ୍କୁ ଭୂମି ଅଧିକାର ପ୍ରମାଣପତ୍ର ଆବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ପୂର୍ବରୁ ୬୦ ହଜାର ବସ୍ତିବାସିନ୍ଦାଙ୍କୁ ଜମିପଟ୍ଟା ଦିଆଯାଇଛି । ଆସନ୍ତା ୩ ମାସ ମଧ୍ୟରେ ମୋଟ ୧ ଲକ୍ଷ ୬୫ ହଜାରରୁ ଅଧିକ ଲୋକଙ୍କ ଭୂମି ଅଧିକାର ପ୍ରମାଣପତ୍ର ଦିଆଯିବାର ଯୋଜନା ରହିଛି । ରାଜ୍ୟର ୧୦୧ ପୌରାଞ୍ଚଳର ୧,୭୧୮ ବସ୍ତିର ସାଢ଼େ ୪ ଲକ୍ଷ ଲୋକ ଏଥିରେ ଉପକୃତ ହେବେ । କରୋନା କାଳରେ ବସ୍ତି ବାସିନ୍ଦାଙ୍କ ପାଇଁ ସରକାରଙ୍କ ବଡ଼ ଘୋଷଣା ପୌରାଞ୍ଚଳ ନିର୍ବାଚନକୁ ଦୃଷ୍ଟିରେ ରଖି କରାଯାଉଛି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି ।