ବାଲେଶ୍ୱରରୁ ବସ୍ତି ଉନ୍ନତୀକରଣ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଲେ, ଆଗାମୀ ତିନି ବର୍ଷରେ ରାଜ୍ୟର ସବୁ ବସ୍ତି ଆଦର୍ଶ କଲୋନୀରେ ପରିଣତ ହେବ ।

109

କନକ ବ୍ୟୁରୋ : ଆଗାମୀ ତିନି ବର୍ଷରେ ରାଜ୍ୟର ସବୁ ବସ୍ତି ଆଦର୍ଶ କଲୋନୀରେ ପରିଣତ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଆଜି ବାଲେଶ୍ୱରରୁ ବସ୍ତି ଉନ୍ନତୀକରଣ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏନେଇ ସେ କହିଛନ୍ତି ଯେ ସହରର ବିକାଶ ଠାରୁ ଆରମ୍ଭ କରି କୋଭିଡ ଲଢେଇ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ବସ୍ତିର ଗରିବ ଲୋକମାନେ ଆଗରେ ରହି କାମ କରୁଛନ୍ତି। ତେଣୁ ବିକାଶ ଉପରେ ମଧ୍ୟ ସେମାନଙ୍କର ସମାନ ଅଧିକାର ରହିଛି ।

ଏହି ଯୋଜନାରେ ରାଜ୍ୟର ବସ୍ତିରେ ବିଜୁଳି, ଭଲ ପିଇବା ପାଣି, ରାସ୍ତା, ଗୋଷ୍ଠୀକେନ୍ଦ୍ର ଆଦି ନାଗରିକ ସୁବିଧାର ବିକାଶ କରି ବସ୍ତିର ଲୋକମାନଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣାଯିବା ସହିତ ଜୀବିକା ପାଇଁ ମଧ୍ୟ ସୁଯୋଗ ସୃଷ୍ଟି କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ରାଜ୍ୟର ଏକ ହଜାର ବସ୍ତିରେ ଏହି କାର୍ୟ୍ୟକ୍ରମ ତୁରନ୍ତ ଆରମ୍ଭ କରାଯିବ। ରାଜ୍ୟ ସରକାରଙ୍କ ଜାଗା ମିଶନ ସାରା ଦେଶରେ ଇତିହାସ ସୃଷ୍ଟି କରିଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ବାଲେଶ୍ୱରର ୪୧ଟି ବସ୍ତିର ୨,୦୫୪ ଜଣଙ୍କୁ ଏବଂ ସାରା ରାଜ୍ୟରେ ୧,୦୫,୦୦୦ ଭୂମି ଅଧିକାର ପ୍ରମାଣପତ୍ର ଆବଣ୍ଟନର ଶୁଭାରମ୍ଭ କରିଥିଲେ । ପୂର୍ବରୁ ୬୦ ହଜାର ବସ୍ତି ଲୋକଙ୍କୁ ଏହି ପ୍ରମାଣପତ୍ର ପ୍ରଦାନ କରାଯାଇଛି। ଆଗାମୀ ୩ ମାସ ମଧ୍ୟରେ ୧ ଲକ୍ଷ ୬୫ ହଜାରରୁ ଅଧିକ ଲୋକ ଏହି ପ୍ରମାଣପତ୍ର ପାଇବେ। ସୂଚନାଯୋଗ୍ୟ ଯେ ସାରା ରାଜ୍ୟର ୧୦୧ଟି ପୌରାଞ୍ଚଳର ୧୭୧୮ଟି ବସ୍ତିର ସାଢେ ଚାରି ଲକ୍ଷ ଲୋକ ଭୂମି ଅଧିକାର ପ୍ରମାଣପତ୍ର ଦ୍ୱାରା ଉପକୃତ ହେବେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ୧୧୬ଟି ବହୁମୁଖୀ ଗୋଷ୍ଠୀ କେନ୍ଦ୍ର ‘ପରିଚୟ’ର ମଧ୍ୟ ଲୋକାର୍ପଣ କରିଥିଲେ। ସୂଚନାଯୋଗ୍ୟ ଯେ ଆଉ ୪୦୦ଟି ପରିଚୟ ବହୁମୁଖୀ ଗୋଷ୍ଠୀକେନ୍ଦ୍ର ନିର୍ମାଣାଧୀନ ଅଛି। ଏହି ଅବସରରେ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ଓ ଦିଲ୍ଲୀସ୍ଥିତ ସେଣ୍ଟର ଅଫ ପଲିସି ରିସର୍ଚ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା ।

ଏହି ଅବସରରେ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, ଅର୍ଥ ବିଭାଗ ପ୍ରମୁଖ ସଚିବ ଅଶୋକ କୁମାର ମୀନା ଏବଂ ୫ ଟି ସଚିବ ଭି.କେ ପାଣ୍ଡିଆନ ପ୍ରମୁଖ ଉପସ୍ଥିତ ଥିଲେ।