ନିର୍ବାଚନ ସଫଳତା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଫୋନ କରି ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବଢ଼ିଲା ଚର୍ଚ୍ଚା, କଂଗ୍ରେସ କହିଲା ବିଜେଡି-ବିଜେପି ଏକ

213

କନକ ବ୍ୟୁରୋ : ପୂର୍ବରୁ ସେମିଫାଇନାଲ କୁହାଯାଉଥିବା ବିଧାନସଭା ନିର୍ବାଚନରେ ବିଜେପି ଦମଦାର ବିଜୟ ହାସଲ କରିବା ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫୋନ ଯୋଗେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତିନି ରାଜ୍ୟରେ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି ।

ବିଜେଡି-ବିଜେପି ଏକ ବୋଲି ବାରମ୍ବାର କହି ଆସୁଛି କଂଗ୍ରେସ । ଆଉ ଏବେ ଯେତେବେଳେ ମୋଦୀଙ୍କୁ ନବୀନ ଫୋନ କରି ବିଜୟ ଅଭିନନ୍ଦନ ଜଣାଇଛନ୍ତି, ସେତେବେଳେ କଂଗ୍ରେସକୁ ଆଉ ସୁଯୋଗ ମିଳିଯାଇଛି । ଦୁଇ ଦଳ ମିଶିକରି ଥିବାରୁ କଂଗ୍ରେସ ଏଥର ଫାଇଦାରେ ରହିବ ବୋଲି ଦାବି କରିଛନ୍ତି ପିସିସି ସଭାପତି । ଏପରିକି ଦଳ ୯ରୁ ୯୦ ଆସନରେ ପହଁଚିବ ବୋଲି କହିଛନ୍ତି । ତେବେ କଂଗ୍ରେସର ଏଭଳି ଅଭିଯୋଗକୁ ଗ୍ରହଣ କରିପାରିନି ବିଜେଡି । ଓଡିଶାରେ କେବଳ ନବୀନ ମଡେଲ କାମ କରିବ ବୋଲି କହିଛନ୍ତି ବିଜେଡି ନେତା । ବିଜେପି ମଧ୍ୟ କଂଗ୍ରେସର ଅଭିଯୋଗକୁ ସମାଲୋଚନା କରିଛି ।

ନିର୍ବାଚନ ଫଳାଫଳର ପ୍ରଭାବ ଓଡିଶା ଉପରେ ପଡିବ କି ନାହିଁ, ଚର୍ଚ୍ଚା ଭିତରେ, ତେଲେଙ୍ଗାନାରୁ ଆଉ ଏକ ଦିଗ ସାମନାକୁ ଆସିଛି । ଜାତୀୟ ଗଣମାଧ୍ୟମର ଚର୍ଚ୍ଚା ଅନୁସାରେ, ବିଜେପି ସହ ବିଆରଏସର ସମ୍ପର୍କ କେସିଆରଙ୍କ ହାରିବାର ଅନ୍ୟତମ ପ୍ରମୁଖ କାରଣ । ଯାହା ଆଗାମି ଦିନରେ ଓଡିଶା ରାଜନୀତିରେ ମଧ୍ୟ ଦେଖିବାକୁ ମିଳିପାରେ ବୋଲି ଆଶଙ୍କା କରିଛନ୍ତି ରାଜନୀତି ସମୀକ୍ଷକ ।

ଆଉ ତିନି ମାସ ରହିଲା ସାଧାରଣ ନିର୍ବାଚନ । ଏହି ତିନି ମାସରେ ରାଜ୍ୟ ରାଜନୀତିରେ ଅନେକ ସମୀକରଣ ଓ ରାଜନୈତିକ ହଟଚମଟ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ତେବେ ବିଜେପି ବିଜେଡି ପ୍ରତି କେଉଁ ଆଭିମୁଖ୍ୟ ରଖୁଛି, ଆଉ କଂଗ୍ରେସ ତେଲେଙ୍ଗାନା ମଡେଲ ଆପଣାଇ କେତେ ଲାଭ ପାଉଛି ତାହା ଆଗାମି ଦିନରେ ସ୍ପଷ୍ଟ ହେବ ।