ଦିନକ ପରେ ମୋହନ ସରକାରଙ୍କ ଜନତା ଦରବାର । ଅଭିଯୋଗ ପ୍ରକୋଷ୍ଠରେ ଜନଶୁଣାଣି କରିବେ ମୁଖ୍ୟମନ୍ତ୍ରୀ ।

247

କନକ ବ୍ୟୁରୋ: ଦିନକ ପରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଆରମ୍ଭ ହେବ ଜନଶୁଣାଣି । ଲାଗିବ ମୋହନ ମାଝୀଙ୍କ ଜନତା ଦରବାର । ସେଥିପାଇଁ ଭୁବନେଶ୍ୱର ୟୁନିଟ-୫ ଅଂଚଳରେ ଥିବା ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠକୁ ପ୍ରସ୍ତୁତ କରାଯାଉଛି । ରାଜଭବନରୁ ଏଜି ଛକ ମଧ୍ୟରେ ଥିବା ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ସାଧାରଣ ପ୍ରଶାସନ ବିଭାଗ ସଚିବ ସୁରେନ୍ଦ୍ର କୁମାର ଓ ଅନ୍ୟ ଅଧିକାରୀ । କେଉଁଠି ବସିବେ ମୁଖ୍ୟମନ୍ତ୍ରୀ? ସାଧାରଣ ଲୋକଙ୍କ ବସିବା ପାଇଁ କେଉଁଠି ରହିବ ବ୍ୟବସ୍ଥା? ଏନେଇ ଅନ୍ୟ ଅଧିକାରୀଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି ଜିଏ ବିଭାଗ ସଚିବ ।

ଆଗାମୀ ସୋମବାର ଠାରୁ ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜନତା ଦରବାର ଆରମ୍ଭ ହେବ ।
ଜୁଲାଇ ୧ରୁ ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି
– ଦିନ ୧୧ଟାରୁ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ଶୁଣାଣି
– ଏଥିପାଇଁ ଦିନ ୯ଟାରୁ ହେବ ପଞ୍ଜିକରଣ
– ଜନଶୁଣାଣି ସମୟରେ ୩୦ ଜଣ ବସିବାର ବ୍ୟବସ୍ଥା ରହିବ
– ଅଭିଯୋଗ ପ୍ରକୋଷ୍ଠ ବାହାରେ ବ୍ୟାରିକେଡ କରାଯିବ
– ସିରିଏଲ ମାଧ୍ୟମରେ ଲୋକେ ଶୁଣାଣି ପାଇଁ ଆସିବେ
– ଲୋକଙ୍କ ପାଇଁ ପାନୀୟ ଜଳ ଓ ଅନ୍ୟାନ୍ୟ ବନ୍ଦୋବସ୍ତ କରାଯିବ

କେଉଁଠି ରହିବେ ନୂଆ ମୁଖ୍ୟମନ୍ତ୍ରୀ?
ଏବେ ଅତିଥି ଭବନ ମୋହନଙ୍କ ଠିକଣା

ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ହେବା ପରଠାରୁ କେଉଁଠି ରହିବେ, ତାକୁ ନେଇ ଚର୍ଚ୍ଚା ଲାଗିରହିଛି । ଏବେ ଅସ୍ଥାୟୀ ଭାବେ ରାଜ୍ୟ ଅତିଥି ଭବନରେ ରହିଛନ୍ତି ନୂଆ ମୁଖ୍ୟମନ୍ତ୍ରୀ । ଯଦିଓ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ଥିବା ସରକାରୀ କ୍ୱାର୍ଟରରେ ମୋହନ ମାଝୀ ରହିବା ନେଇ କିଛି ସ୍ପଷ୍ଟ କରିନାହାନ୍ତି ଜିଏ ବିଭାଗ ସଚିବ । କିନ୍ତୁ ଏହା ପଛରେ ଥିବା କୋଠରୀକୁ ଯାଇ ଯାଂଚ କରିଛନ୍ତି । ଅନୁମାନ କରାଯାଉଛି ଏହିଠାରେ ରହିପାରନ୍ତି ନୂଆ ମୁଖ୍ୟମନ୍ତ୍ରୀ । ୨୦୦୦ ମସିହାରେ ନବୀନ ପଟ୍ଟନାୟକ ଏହାକୁ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ପରିଣତ କରିଥିଲେ । ଏହା ପୂର୍ବରୁ ଜାନକୀ ପଟ୍ଟନାୟକ ଓ ଗିରିଧର ଗମାଙ୍ଗ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଏହିଠାରେ ରହୁଥିଲେ । ଏହାଥିଲା ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ।