କନକ ବ୍ୟୁରୋ: ନବୀନଙ୍କ ଚିଠିର ଉତ୍ତର ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ପହଣ୍ଡି ବେଳେ ଘଟିଥିବା ଅଘଟଣ ନେଇ ଚିଠି ଲେଖିବା ପରେ, ଏହାର ଜବାବ ରଖିଛନ୍ତି ମୋହନ । ସେ କହିଛନ୍ତି, ଜଗତର ନାଥ ଜଗନ୍ନାଥ କେବଳ ଓଡିଆ ଜାତିର ଅସ୍ମିତାର ପ୍ରତୀକ ନୁହଁନ୍ତି । ସେ ସାରା ଜଗତ ଅର୍ଥାତ ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳର ନାଥ । ପ୍ରଭୁ ଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ମିଳିତ ସମାହାର ଏବଂ ତାଙ୍କର ପୂଜନ ବିଧି ବ୍ୟବସ୍ଥା ସାରା ଜଗତରେ ବିରଳ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଚିଠିରେ ଉଲ୍ଲେଖ କରିଛନ୍ତି ।

ଏଥିସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଚଳିତ ବର୍ଷ ଆଡପ ମଣ୍ଡପକୁ ବଡ ଠାକୁରଙ୍କ ପହଣ୍ଡି ବେଳେ ଯେଉଁ ଅଘଟଣ ଘଟିଲା, ସେଥିରେ ସାରା ଜଗତ ଦୁଃଖିତ । ତେଣୁ ଆପଣ ଏ ଘଟଣାରେ ମର୍ମାହତ ହେବା ସ୍ୱାଭାବିକ ବୋଲି ନବୀନଙ୍କୁ ଚିଠି ଲେଖି କହିଛନ୍ତି ନବୀନ । ଏଥିସହ ସେ ମଧ୍ୟ ଏହି ଘଟଣାରେ ଗଭୀର ଭାବେ ମର୍ମାହତ ବୋଲି କହିଛନ୍ତି ।

ସେପଟେ ଏହି ଅଘଟଣ ଘଟିବା ପରେ, ଯେପରି ଏହି ଘଟଣାର ପୁନରାବୃତ୍ତି ନଘଟିବ ସେଥିପାଇଁ ଯତ୍ନବାନ ହେବାକୁ ସେ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି । ତା ସହିତ ନବୀନଙ୍କ ଚିଠିକୁ ସେ ଗୁରୁତ୍ୱର ସହ ପଢିଛନ୍ତି ବୋଲି ମୋହନ ମାଝୀ ଚିଠିରେ ଉଲ୍ଲେଖ କରିଛନ୍ତି । ଖାଲି ସେତିକି ନୁହେଁ, ନବୀନଙ୍କ ପରାମର୍ଶ ତାଙ୍କ ପାଇଁ ସବୁବେଳେ ସମ୍ମାନର ସହ ଗ୍ରହଣୀୟ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଚିଠି ଲେଖି ଜଣାଇଛନ୍ତି ।

ସୂଚନାଯୋଗ୍ୟ ଯେ, ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ  ମାଝୀଙ୍କୁ ଚିଠି ଲେଖିଥିଲେ ନବୀନ । ଚିଠି ଲେଖି ନବୀନ କହିଥିଲେ, ମହାପ୍ରଭୁ ଓଡିଆ ଜାତିର ମୁରବୀ । ଆମ ବିଶ୍ୱାସର କେନ୍ଦ୍ରବିନ୍ଦୁ ଓ ପ୍ରତୀକ । ଆଡପ ମଣ୍ଡପକୁ ବଡ ଠାକୁରଙ୍କ ପହଣ୍ଡି ବେଳେ ଯେଉଁ ଅଘଟଣ ଘଟିଲା ତାହା ସାରା ବିଶ୍ୱର ଜଗନ୍ନାଥପ୍ରେମୀଙ୍କୁ ବ୍ୟଥିତ କରିଛି । ମୁଁ ମଧ୍ୟ ଏଥିରେ ଅତ୍ୟନ୍ତ ମର୍ମାହତ । ଚାରାମାଳରୁ ବଡଠାକୁର ମୁହଁ ମାଡି ହୋଇ ପଡିଯିବା ଅତି ହୃଦୟ ବିଦାରକ ଘଟଣା ଥିଲା । ହେଲେ ଏଭଳି ସ୍ପର୍ଶକାତର ମାମଲାରେ ମନ୍ତ୍ରୀ ଯେଉଁଭଳି ହାଲୁକା ମନ୍ତବ୍ୟ ଦେଲେ ଏହା ଭକ୍ତର ଭାବାବେଗକୁ ଆଘାତ ଦେଇଛି । ସରକାରଙ୍କ ଏଭଳି ଆଭିମୁଖ୍ୟ ଜଗନ୍ନାଥ ପ୍ରେମୀଙ୍କ ଆଶ୍ୱସ୍ତ କରିବାରେ ସକ୍ଷମ ହେଲା ନାହିଁ ବୋଲି ନବୀନ ନିଜ ଚିଠରେ ଉଲ୍ଲେଖ କରିଥିଲେ। ଯାହାର ଏବେ ଜବାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।