କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଜ୍ୟର ବିକାଶ ନେଇ ଆଲୋଚନା ସୂଚନା ।

192

କନକ ବ୍ୟୁରୋ: ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଏବଂ ପ୍ରଭାତୀ ପରିଡା ମଧ୍ୟ ଅମିତ ଶାହାଙ୍କୁ ଭେଟିଛନ୍ତି । ଏହି ସାକ୍ଷାତ ଅବସରରେ ରାଜ୍ୟର ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ଆଲୋଚନା କରିଥିବା ଜଣାପଡିଛି । ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବା ପରେ ମୋହନ ମାଝୀ ଦୁଇ ଉପ-ମୁଖ୍ୟମନ୍ତ୍ରୀଙ୍କ ସହ ତିନି ଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି । ଆଜି ସନ୍ଧ୍ୟାରେ ଅମିତ ଶାହାଙ୍କୁ ସାକ୍ଷାତ କରିବା ପୂର୍ବରୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କୁ ସାକ୍ଷାତ କରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ସେହିପରି ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରି ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନା ସମୟରେ ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଏବଂ ପ୍ରଭାତୀ ପରିଡା ମଧ୍ୟ ଉପସ୍ଥିତ ଥିଲେ ।