ନନ୍ଦିଗ୍ରାମରେ ମହାସଂଗ୍ରାମ । ଭୋଟ ହାତେଇବାକୁ ସବୁ ବଳ ଲଗାଇ ଦେଇଛନ୍ତି ଟିଏମସି ଓ ବିଜେପି । ହ୍ୱିଲ ଚେୟାରରେ ବସି ରୋଡ ସୋ କଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି । 

172

କନକ ବ୍ୟୁରୋ: ଫୋକସରେ ନନ୍ଦିଗ୍ରାମ । ଦ୍ୱିତୀୟ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ପଶ୍ଚିମବଙ୍ଗର ନନ୍ଦିଗ୍ରାମରେ ହେବ ଅସଲ ଲଢେଇ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହେବା ପରେ ଏବେ ନନ୍ଦିଗ୍ରାମରେ ସବୁ ବଳ ଲଗାଇ ଦେଇଛନ୍ତି ଟିଏମସି ଓ ବିଜେପି । ତାତିକୁ ଖାତିର ନକରି ନନ୍ଦିଗ୍ରାମରେ ପଦଯାତ୍ରା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ହ୍ୱିଲ ଚେୟାରରେ ବସି ରୋଡ ସୋ କରିଛନ୍ତି ମମତା ବାନାର୍ଜି । ୮କିଲୋମିଟର ପ୍ରସ୍ତାବିତ ରୋଡ ସୋ ଖୁରିଦରାମ ମୋଡ ଠାରୁ ଆରମ୍ଭ ହୋଇ ଠାକୁର ଚୌକ ପର୍ଯ୍ୟନ୍ତ ଯିବାର ଥିଲା । କିନ୍ତୁ ମଝିରେ ରାସ୍ତା ବଦଳାଇ ଗାଁ ଭିତରକୁ ପଶିଥିଲେ ମମତା । ଏଠାରେ ହ୍ୱିଲ ଚେୟାରରେ ବସି ଲଗାତର ରୋଡ ସୋ କରିବା ସହ ଜନସଭାକୁ ସମ୍ବାଧେିତ କରିଛନ୍ତି ଦିଦି । ନନ୍ଦିଗ୍ରାମରେ ନାମାଙ୍କନ ପତ୍ର ଭରିବା ଦିନ ଆହତ ହୋଇଥିବା ମମତା ସେହି ଦିନ ଠାରୁ ହ୍ୱିଲ ଚେୟାରରେ ବସି ନିର୍ବାଚନ ପ୍ରଚାରର ମଙ୍ଗ ଧରିଛନ୍ତି ।

ବିଜେପିରୁ ଶୁଭେନ୍ଦୁ ଅଧିକାରୀ ଓ ଟିଏମସିରୁ ମମତା ବାନାର୍ଜି ମୁହାଁମୁହିଁ ହେଉଥିବା ବେଳେ ନନ୍ଦିଗ୍ରାମରେ ଏଥର ମହାସଂଗ୍ରାମ ହେବ । କାରଣ କୋଲକାତାରୁ ୧୫୦ କିଲୋମିଟର ଦୂରରେ ଥିବା ଏହି ନନ୍ଦିଗ୍ରାମରୁ ମମତା ତାଙ୍କ ସଂଘର୍ଷମୟ ରାଜନୀତି ଆରମ୍ଭ କରିଥିଲେ । ଅର୍ଥାତ ନନ୍ଦିଗ୍ରାମକୁ ମମତାଙ୍କ ରାଜନୀତିର କର୍ମସ୍ଥଳି ବନାଇଥିଲେ ।

ନନ୍ଦିଗ୍ରାମକୁ ନିଜ କର୍ମସ୍ଥଳୀ ବନାଇଥିବା ମମତା ୨୦୦୯ରେ ନନ୍ଦିଗ୍ରାମରୁ ଦୀର୍ଘ ୩୪ ବର୍ଷର ସିପିଏମର ଗଡକୁ ଭାଙ୍ଗିବାରେ ସକ୍ଷମ ହୋଇଥିଲେ । ଅନ୍ୟପଟେ ନନ୍ଦିଗ୍ରାମ ଅଂଚଳରେ ଶୁଭେନ୍ଦୁ ଅଧିକାରୀଙ୍କ ପରିବାର ବେଶ୍ ଲୋକପ୍ରିୟତା ରହିଛି । ୨୦୧୬ ବିଧାନସଭା ନିର୍ବାଚନରେ ଶୁଭେନ୍ଦୁ ଅଧିକାରୀ ଏଠାରୁ ଲକ୍ଷେ ୩୦ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଥିଲେ ।

ଏବେ ନନ୍ଦିଗ୍ରାମରେ ହେବ ଅସଲ ଲଢେଇ କାରଣ, ମମତାଙ୍କ ବିରୋଧରେ ଏହି ଆସନରୁ ତାଙ୍କ ପୂର୍ବତନ ସହଯୋଗୀ ଶୁଭେନ୍ଦୁ ଅଧିକାରୀଙ୍କୁ ପ୍ରାର୍ଥୀ କରିଛି ବିଜେପି । ମମତା ନିଜ ପାରମ୍ପରିକ ଆସନ ଭବାନୀପୁରକୁ ଛାଡି ଏଥର ନନ୍ଦିଗ୍ରାମରୁ ନିର୍ବାଚନ ଲଢୁଛନ୍ତି । ବିଜେପି ଏହି ଆସନରୁ କଳେବଳେ ଜିିତିବା ପାଇଁ ସ୍ୱତନ୍ତ୍ର ରଣନୀତି କରୁଥିବାବେଳେ ନିର୍ଣ୍ଣାୟକ ଲଢେଇ ପାଇଁ ପ୍ରସ୍ତୁତ ହେଉଛନ୍ତି ମମତା ବାନାର୍ଜୀ । ସେପଟେ ବିଜେପି ବି ଏଠାରେ ଜୋରଦାର କରିଛନ୍ତି ନିର୍ବାଚନୀ ପ୍ରଚାର ।

ପଶ୍ଚିମବଙ୍ଗ ନିର୍ବାଚନ ଉପରେ ରହିଛି ସରା ଦେଶର ନଜର । ଏଠାରେ ହେଉଛି ୨୦୨୧ ମସିହାର ସବୁଠାରୁ ବଡ ନିର୍ବାଚନ । ଆଗରୁ ହୁଏତ ପଶ୍ଚିମବଙ୍ଗ ଏଭଳି ନିର୍ବାଚନ କେବେ ଦେଖି ନଥିଲା ।

ଭୋଟରଙ୍କ ଭରସାରେ ଶୁଭେନ୍ଦୁଙ୍କୁ ମମତା ନନ୍ଦିଗ୍ରାମରେ କଡା ଚ୍ୟାଲେଞ୍ଜ ଦେବେ ବୋଲି କୁହାଯାଉଛି । ଅନ୍ୟପଟେ ହିନ୍ଦୁ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ମମତା ପ୍ରଚାର ସମୟରେ ସ୍ୱତନ୍ତ୍ର ରଣନୀତି ଆପଣାଉଛନ୍ତି । ଦେଖିବାକୁ ବାକି ରହିଲା ନନ୍ଦିଗ୍ରାମର ଭୋଟର କାହାକୁ ଭୋଟ ଦେଉଛନ୍ତି ।

ଦେଶର ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଂଚଳରେ ଚଳିତ ନିର୍ବାଚନ ହେଉଥିବା ବେଳେ ବିଜେପିର ଫୋକସରେ ରହିଛି ପଶ୍ଚିମବଙ୍ଗ । କାରଣ ଏହି ନିର୍ବାଚନ ଏବେ ବିଜେପି ପାଇଁ ବଡ ଚ୍ୟାଲେଞ୍ଜ ହୋଇଛି । ପଶ୍ଚିମବଙ୍ଗ ଜିତିବା ପରେ ପୂର୍ବାଂଚଳର ଅନ୍ୟ ରାଜ୍ୟକୁ ଫୋକସ କରିବାକୁ ଲକ୍ଷ୍ୟ ରଖିଛି ଦଳ ।