ନବୀନ ନିବାସରୁ ଚାଲି ଚାଲି ଯାଇ ଭୋଟ୍ ଦେଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟଶାସନ ସଚିବ ଓ ୫ଟି ସଚିବ ମଧ୍ୟ କଲେ ମତଦାନ ।

112

କନକ ବ୍ୟୁରୋ : ନବୀନ ନିବାସରୁ ଚାଲି ଚାଲି ଆସି ଭୋଟ ଗ୍ରହଣ କେନ୍ଦ୍ରରେ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ । ୫୩ ନମ୍ବର ୱାର୍ଡର ପଳାସପଲ୍ଲୀ ସ୍କୁଲରେ ଭୋଟ ଦେଇଛନ୍ତି ନବୀନ ପଟ୍ଟନାୟକ । ସେହିପରି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗଣତନ୍ତ୍ରର ଏଡି ମହାପର୍ବରେ ସାମିଲ ହୋଇଛନ୍ତି । ମତଦାନ କେନ୍ଦ୍ରକୁ ପତ୍ନୀ ସୁଜାତା କାର୍ତିକେୟନଙ୍କ ସହ ଯାଇ ଭୋଟ ଦେଇଛନ୍ତି ୫ଟି ସଚିବ ଭିକେ ପାଣ୍ଡିୟାନ । ସେହିପରି ନେତା ଅଭିନେତା ନିଜର ମତାଧିକାର ସାବ୍ୟସ୍ତ କରିଥିବା ବେଳେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଭୋଟ ଦେଇ ନାହାନ୍ତି ।

ଭୋଟ ଦେଲେ ମୁଖ୍ୟମନ୍ତ୍ରୀ
ପୌର ନିର୍ବାଚନରେ ମତ ଅଧିକାରୀ ସାବ୍ୟସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଡ଼ା ସୁରକ୍ଷାରେ ୫୩ ନମ୍ବର ୱାର୍ଡର ମତଦାନ କେନ୍ଦ୍ରକୁ ଯାଇ ଭୋଟ ଦେଇଛନ୍ତି । ନବୀନ ନିବାସରୁ ଚାଲି ଚାଲି ମତଦାନ କେନ୍ଦ୍ର ପଲାସପଲ୍ଲୀର ୟୁପି ସ୍କୁଲକୁ ଯାଇ ଭୋଟ ଦେବା ପରେ ପୁଣି ମୁଖ୍ୟମନ୍ତ୍ରୀ ଚାଲି ଚାଲି ଫେରିଛନ୍ତି ।

ମତାଧିକାର ସାବ୍ୟସ୍ତ କଲେ ମୁଖ୍ୟ ସଚିବ
ବିଏମସି ମହାନଗର ନିଗମ ନିର୍ବାଚନରେ ମତଦାନ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଭୁବନେଶ୍ୱର ୟୁନିଟ୍-ୱାନ ସ୍ଥିତ ୪୦ ନମ୍ବର ୱାର୍ଡର ସରକାରୀ ଉଚ୍ଚ ବିଦ୍ୟାଳୟରେ ୪୧୬ ବୁଥରେ ସେ ଭୋଟ ଦେଇଛନ୍ତି ।

ଧାଡିରେ ଆସି ଭୋଟ ଦେଲେ ପାଣ୍ଡିଆନ୍
ମତଦାନ କେନ୍ଦ୍ରକୁ ପତ୍ନୀ ସୁଜାତା କାର୍ତିକେୟନଙ୍କ ସହ ଯାଇ ଭୋଟ ଦେଇଛନ୍ତି ୫ଟି ସଚିବ ଭିକେ ପାଣ୍ଡିୟାନ । ୟୁନିଟ୍ ୬ ସ୍ଥିତ ବଏଜ ହାଇସ୍କୁଲ, ୪୬ ନମ୍ବର ୱାର୍ଡର ୪୮୩ ନମ୍ବର ବୁଥରେ ଧାଡିରେ ଛିଡ଼ା ହୋଇ ମତଦାନ କରିଛନ୍ତି ।

ଭୋଟ ଦେଲେ ନେତା, ମନ୍ତ୍ରୀ
ପୌର ନିର୍ବାଚନରେ ସାମିଲ ହୋଇ ମତଦାନ କରିଛନ୍ତି ନେତା, ମନ୍ତ୍ରୀ । ମତଦାନ କେନ୍ଦ୍ରରେ ପହଂଚି ଭୋଟ ଦେଇଛନ୍ତି, ମନ୍ତ୍ରୀ ଅଶୋକ ପଣ୍ଡା, ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, କଂଗ୍ରେସ ବିଧାୟକ ତାରା ବାହାନୀପତି । ଭୁବନେଶ୍ୱର ୩ନମ୍ବର ୱାର୍ଡ଼ର ଏରୋଡ୍ରମ୍ ୟୁପି ସ୍କୁଲରେ ପହଞ୍ଚି ଭୋଟ୍ ଦେଇଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା । ରାଜଧାନୀର ଭୁବନେଶ୍ୱର ୬୦ନମ୍ବର ୱାର୍ଡ଼ର ୬୨୦ନମ୍ବର ବୁଥରେ ନିଜ ଧର୍ମପତ୍ନୀଙ୍କ ସହ ଭୋଟ୍ ଦେଇଛନ୍ତି ସମୀର ମହାନ୍ତି । ସେପଟେ ଜୟପୁର ସହରର ୨୧ ନମ୍ବର ୱାର୍ଡ଼ର ଜଗଦିଶ ଚନ୍ଦ୍ର ନାୟକ ସରକାରୀ ସ୍କୁଲରେ ଭୋଟ୍ ଦେଇଛନ୍ତି ବିଧାୟକ ତାରା ବାହିନୀପତି ।

ଭୋଟ ଦେଲେ କେନ୍ଦ୍ରମନ୍ତ୍ରୀଙ୍କ ପତ୍ନୀ
ପୌର ନିର୍ବାଚନ ପ୍ରଚାରରେ ସାମିଲ ହୋଇନଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମତଦାନରେ ମଧ୍ୟ ଅନୁପସ୍ଥିତ ରହିଛନ୍ତି । ତାଳଚେର ୧୮ ନମ୍ବର ୱାର୍ଡର ଦେଉଳବେଡା ସ୍କୁଲର ୨୫ ନମ୍ବର ବୁଥରେ ଭୋଟ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀଙ୍କ ଧର୍ମପତ୍ନୀ ମୃଦୁଳା ଟି ପ୍ରଧାନ । କହିଛନ୍ତି, ୟୁପିରେ କାର୍ଯ୍ୟ ବ୍ୟସ୍ତତା ହେତୁ, ଭୋଟ୍ ଦେବାକୁ ଆସିପାରିଲେନି ଧର୍ମେନ୍ଦ୍ର ।

ଭୋଟ ଦେଲେନି ସାଂସଦ ଅପରାଜିତା ଷଡଙ୍ଗୀ
ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ମଧ୍ୟ ଭୋଟ ଦେଇ ନାହାନ୍ତି । ସଂସଦର ବଜେଟ ଅଧିବେଶନରେ ଉପସ୍ଥିତ ପାଇଁ ଦଳ ପକ୍ଷରୁ ହ୍ୱୁଇପ୍ ଜାରି ହୋଇଥିବାରୁ ସେ ଭୋଟ ଦେଇପାରିନଥିବା ଜଣାପଡିଛି ।

ମତାଧିକାର ସାବ୍ୟସ୍ତ କଲେ ନେତା, ଅଭିନେତା
ପୌର ନିର୍ବାଚନରେ ମତ ଅଧିକାର ସାବ୍ୟସ୍ତ କରିଛନ୍ତି ଓଲିଉଡ ଷ୍ଟାର । ଝାରପଡାର ୩୨ ନମ୍ବର ବୁଥରେ ମତାଧିକାର ସାବ୍ୟସ୍ତ କରିଛନ୍ତି ଅଭିନେତ୍ରୀ ତଥା ବିଜେପି ନେତ୍ରୀ ପିଙ୍କି ପ୍ରଧାନ । ଆଇଗନିଆର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଭୋଟ ଦେଇଛନ୍ତି ଓଲିଉଡ ଅଭିନେତା ସବ୍ୟସାଚୀ ମିଶ୍ର । ସେପଟେ ଭୋଟ ଦେଇଛନ୍ତି ମୋ କଲେଜ ଅଧ୍ୟକ୍ଷ ତଥା ଅଭିନେତା ଆକାଶ ଦାସ ନାୟକ । କୋରେଇ ନିର୍ବାଚନ ମଣ୍ଡଳୀ ବ୍ୟାସ ନଗର ପୌର ପରିଷଦ ୧୩ ନମ୍ବର ୱାର୍ଡ଼ରେ ୨୧ ନମ୍ବର ବୁଥରେ ଆକାଶ ଦାସ ନାୟକ ଭୋଟ ଦେଇଛନ୍ତି ।